ହୋମ୍ ଆଇସୋଲେସନ୍ ରୋଗୀଙ୍କ ସେବାରେ ପ୍ରଶାସନ, ଉପାଦେୟ ହେଉଛି ଭର୍ଚୁଆଲ ଯୋଗ କ୍ଲାସ୍ | News Room Odisha

ହୋମ୍ ଆଇସୋଲେସନ୍ ରୋଗୀଙ୍କ ସେବାରେ ପ୍ରଶାସନ, ଉପାଦେୟ ହେଉଛି ଭର୍ଚୁଆଲ ଯୋଗ କ୍ଲାସ୍

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ପ୍ରଶାସନ ପ୍ରଥମରୁ ସମନ୍ବିତ କୋଭିଡ ମୁକାବିଲାକୁ ଗୁରୁତ୍ଵ ଦେଇ ଆସିଛି । ଡାକ୍ତରଖାନାରେ ଥିବା ଆକ୍ରାନ୍ତଙ୍କ ଚିକିତ୍ସା ଠାରୁ ଆରମ୍ଭ କରି ହୋମ୍ ଆଇସୋଲେସନ୍ ରୋଗୀଙ୍କ ଚିକିତ୍ସାର ସଂପୂର୍ଣ ଯତ୍ନ ନିଆଯାଉଛି । ସେହିପରି ନୂତନ ଆକ୍ରାନ୍ତ ଚିହ୍ନଟ ପାଇଁ ଟେଷ୍ଟଂକୁ ଜୋରଦାର କରାଯାଉଥିବା ବେଳେ ଟିକାକରଣ ବି ଜୋରସୋରରେ ଜାରି ରହିଛି । ତେବେ , ଏହାରି ଭିତରେ ହୋମ୍ ଆଇସୋଲେସନରେ ଥିବା ରୋଗୀଙ୍କୁ ନିଜ ଘରର ସଦସ୍ୟ ପରି ପ୍ରଶାସନ ସ୍ବାସ୍ଥ୍ୟର ତଦାରଖ କରୁଛି । ଏଥିପାଇଁ ୮ଟି ରାପିଡ୍ ରେସପନ୍ସ ଟିମ୍ ଗଠନ କରାଯାଇ ଘରକୁ ଘର ବୁଲି ସ୍ବାସ୍ଥ୍ୟବସ୍ଥାର ଯାଞ୍ଚ କରୁଛନ୍ତି । ତେବେ , ଏହାରି ଭିତରେ ହୋମ୍ ଆଇସୋଲେସନ୍ ରୋଗୀଙ୍କୁ ପ୍ରତିଦିନ ଭର୍ଚୁଆଲ୍ ମାଧ୍ୟମରେ କରାଯାଉଥିବା ଯୋଗାସନ ବିଶେଷ ଆଦୃତ ଏବଂ ଫଳପ୍ରଦ ହେଉଥିବା ଦେଖିବାକୁ ମିଳିଛି ।

ପ୍ରଶାସନ ପକ୍ଷରୁ ଏକ ସତନ୍ତ୍ର ଟିମ୍ ଗଠନ କରାଯାଇ ହୋମ୍ ଆଇସୋଲେସନରେ ଥିବା ରୋଗୀଙ୍କ ଅବସ୍ଥାର ତଦାରଖ କରାଯାଉଛି । ଏହି ଟିମ୍ ପକ୍ଷରୁ ପ୍ରତିଦିନ ସକାଳେ ଅଧ ଘଣ୍ଟା ଧରି ସମସ୍ତ ରୋଗୀଙ୍କୁ ଯୋଗାସନ ତାଲିମ ଦିଆଯାଉଛି । ଅଭିଜ୍ଞ ଯୋଗ ବିଷାରଦଙ୍କ ଦ୍ଵାରା ଏହି ତାଲିମ ପ୍ରଦାନ କରାଯାଉଛି । ଏଥିରେ ରୋଗୀଙ୍କ ସମେତ ପ୍ରଶାସନର ବରିଷ୍ଠ ଅଧିକାରୀ , ସାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ବି ସାମିଲ ହେଉଛନ୍ତି । ଏପରିକି ବିଭିନ୍ନ ସମୟରେ ଜିଲ୍ଲାର ବିଧାୟକମାନେ ମଧ୍ୟ ଏଥିରେ ସାମିଲ ହେଉଛନ୍ତି ।

କରୋନା ଆକ୍ରାନ୍ତଙ୍କ ପାଇଁ ଉପାଦେୟ ଥିବା ବିଭିନ୍ନ ଯୋଗାସନ ବାବଦରେ ତାଲିମ ସହିତ ଏନେଇ ସଚେତନତା ବି ସୃଷ୍ଟି କରାଯାଉଛି । ଏଥିରେ କପାଲଭାତି , ଅନୁଲୋମ ବିଲୋମ ଆଦି ପ୍ରାଣାୟମ ସହିତ ସୂର୍ଯ୍ୟ ନମସ୍କାର ଆଦି ଯୋଗ କରାଯାଉଛି । ବିଶେଷ କରି ବର୍ତ୍ତମାନ ସମୟରେ ଫୁସଫୁସ ସଂକ୍ରମଣ ହୋଇ ଅଧିକ ସଂଖ୍ୟାରେ ରୋଗୀ ଶ୍ୱାସଜନିତ ସମସ୍ୟାରେ ପଡ଼ୁଛନ୍ତି । ଫଳରେ ଏହାର ନିରାକରଣ ପାଇଁ ଉଦ୍ଧିଷ୍ଟ ବିଭିନ୍ନ ଯୋଗକ୍ରୀୟା ରୋଗୀଙ୍କୁ ଶିକ୍ଷା ଦିଆଯାଉଛି । ଏଥିରେ ବହୁ ରୋଗୀ ଉପକୃତ ହେବା ସହ ପ୍ରଶାସନର ଏଭଳି ପଦକ୍ଷେପକୁ ସାଧୁବାଦ ଜଣାଇଛନ୍ତି ।