ଖଲ୍ଲିକୋଟ ଗବେଷଣା ବିଶ୍ବବିଦ୍ୟାଳୟ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ମିଶିଯିବ | News Room Odisha

ଖଲ୍ଲିକୋଟ ଗବେଷଣା ବିଶ୍ବବିଦ୍ୟାଳୟ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ମିଶିଯିବ

ଆସନ୍ତା ଅକ୍ଟୋବର ପହିଲାରୁ ଆଉ ଖଲ୍ଲିକୋଟ ଗବେଷଣା ବିଶ୍ବବିଦ୍ୟାଳୟ ସ୍ବତନ୍ତ୍ର ହୋଇ ରହିବନି। ବର୍ତ୍ତମାନର ଖଲ୍ଲିକୋଟ ରିସର୍ଚ୍ଚ ୟୁନିଭର୍ସିଟୀ (ପୂର୍ବର କ୍ଲଷ୍ଟର୍ ୟୁନିଭର୍ସିଟୀ) ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ସହ ମିଶ୍ରଣ ହୋଇଯିବ। ଗୋଟିଏ ପଟେ ରାଜ୍ୟର ଦେଢ଼ଶହ ବର୍ଷ ପୂରାତନ ଖଲ୍ଲିକୋଟ ସ୍ବୟଂଶାସିତ ମହାବିଦ୍ୟାଳୟ ଅଗଷ୍ଟ ପହିଲାରୁ ଏକକ ବିଶ୍ବବିଦ୍ୟାଳୟ ରୂପେ କାର୍ଯ୍ୟ କରିବ। ଆରପଟେ ଉଚ୍ଚଶିକ୍ଷାର ଉନ୍ନତି, ସରକାରୀ ଅର୍ଥର ଉଚିତ ବିନିଯୋଗ ସହ ସାମ୍ପ୍ରତିକ ରିସର୍ଚ୍ଚ ୟୁନିଭର୍ସିଟୀର ଛାତ୍ର ଛାତ୍ରୀଙ୍କ ହିତ ଦୃଷ୍ଟିରୁ ଏ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ କରିଛି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ। ଖଲ୍ଲିକୋଟ ଗବେଷଣା ମହାବିଦ୍ୟାଳୟର ସମସ୍ତ ସ୍ଥାୟୀ କର୍ମଚାରୀ, ଛାତ୍ର ଛାତ୍ରୀ ଓ ଗବେଷକ ଅକ୍ଟୋବର ୧ ତାରିଖରୁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଅଧୀନକୁ ଚାଲି ଆସିବେ। ସମସ୍ତ ଅସ୍ଥାବର ସମ୍ପତ୍ତି ବ୍ରହ୍ମପୁର ବିଶ୍ବବିଦ୍ୟାଳୟକୁ ସ୍ଥାନାନ୍ତର ହେବ। ରିସର୍ଚ୍ଚ ୟୁନିଭର୍ସିଟୀ ପାଇଁ ପ୍ରଦତ୍ତ ସରକାରୀ ଜମି ସ୍ଥିତାବସ୍ଥା ସହ ରାଜସ୍ବ ବିଭାଗକୁ ଅର୍ପଣ କରାଯିବ ବୋଲି ପ୍ରକାଶିତ ବିଜ୍ଞପ୍ତିରେ ଦର୍ଶାଯାଇଛି।

ନିର୍ଦ୍ଧାରିତ ସମୟ ପୂର୍ବରୁ ବକେୟା ଥିବା ସମସ୍ତ ପରୀକ୍ଷା ସାରି ଫଳ ପ୍ରକାଶ କରିବେ ଖଲ୍ଲିକୋଟ ଗବେଷଣା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ। ସମସ୍ତ ମାର୍କ, ଡିଗ୍ରୀ, ଡକ୍ଟରେଟ ସହ ଛାତ୍ର ଛାତ୍ରୀମାନେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପରିଚାଳନାଧୀନ ହେବେ। ଏଣିକି ଖଲ୍ଲିକୋଟ ୟୁନିଭର୍ସିଟୀକୁ ମିଳୁଥିବା ଅନୁଦାନ ବ୍ରହ୍ମପୁର ବିଶ୍ବବିଦ୍ୟାଳୟକୁ ହସ୍ତାନ୍ତର ହେବ। ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଖଲ୍ଲିକୋଟ ରିସର୍ଚ୍ଚ ୟୁନିଭର୍ସିଟୀରେ ପ୍ରଚଳିତ ପାଠ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଅନୁଧ୍ୟାନ କରି ତାହା ଜାରି ରହିବ କି ଅନ୍ୟ ବିକଳ୍ପ କଣ ହେବ ସେ ନେଇ ଚୂଡାନ୍ତ ନିଷ୍ପତ୍ତି ନେବେ। ସେ ପର୍ଯ୍ୟନ୍ତ ଆଉ ନୂଆ ଛାତ୍ର ଛାତ୍ରୀଙ୍କ ଆଡମିଶନ୍ କରାଯିବନି।

ଉଲ୍ଲେଖଯୋଗ୍ୟ ଯେ ଆରମ୍ଭରୁ ଖଲ୍ଲିକୋଟ କ୍ଲଷ୍ଟର୍/ରିସର୍ଚ୍ଚ ୟୁନିଭର୍ସିଟୀ ନେଇ ଅନେକ ବାଦବିବାଦ ଲାଗି ରହିଥିଲା। ବର୍ତ୍ତମାନ ବ୍ରହ୍ମପୁର ସହର ଉପକଣ୍ଠ କନିଷି ଠାରେ ଏକ ଭଡା କୋଠାରେ ମାତ୍ର ୬ଟି ବିଭାଗ ଓ ପ୍ରାୟ ୯୦ ଛାତ୍ର ଛାତ୍ରୀ ଏଠାରେ ରହିଛନ୍ତି। ଯେଉଁ ଉଦ୍ଦେଶ୍ୟ ସହ ଏହି ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା ତାହା ବିଶେଷ ସଫଳ ହୋଇପାରିଲା ନାହିଁ। ଏଣୁ ଖଲ୍ଲିକୋଟ ସ୍ବୟଂଶାସିତ ମହିବିଦ୍ୟାଳୟକୁ ଏକକ ବିଶ୍ବବିଦ୍ୟାଳୟ ମାନ୍ୟତା ସହ ଖଲ୍ଲିକୋଟ ଗବେଷଣା ବିଶ୍ବବିଦ୍ୟାଳୟକୁ ବ୍ରହ୍ମପୁର ୟୁନିଭର୍ସିଟୀରେ ବିଲୀନ କରିବାକୁ ବିଜ୍ଞପ୍ତି ପ୍ରକାଶ କରିଛି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ।