କିମ୍ବଦନ୍ତୀ ଆଥଲେଟ୍ ମିଲ୍‌ଖା ସିଂ କରୋନା ସଂକ୍ରମିତ | News Room Odisha

କିମ୍ବଦନ୍ତୀ ଆଥଲେଟ୍ ମିଲ୍‌ଖା ସିଂ କରୋନା ସଂକ୍ରମିତ

ନୂଆଦିଲ୍ଲୀ: ଭାରତର କିମ୍ବଦନ୍ତୀ ଆଥଲେଟ୍ ମିଲଖା ସିଂ କରୋନା ସଂକ୍ରମିତ ହୋଇଛନ୍ତି । ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିବା ପରେ ମିଲ୍‌ଖା ଏବେ ତାଙ୍କ ଚଣ୍ଡିଗଡ଼ ସ୍ଥିତ ଘରେ ଆଇସୋଲେସନରେ ଅଛନ୍ତି । ‘ଫ୍ଲାଇଙ୍ଗ୍ ଶିଖ୍‌’ ଭାବେ ପରିଚିତ ଏହି ମହାନ ଧାବକଙ୍କୁ ଏବେ ୯୧ ବର୍ଷ । ମିଲ୍‌ଖା କରୋନା ସଂକ୍ରମିତ ଥିବା ନେଇ ତାଙ୍କ ପତ୍ନୀ ଗଣମାଧ୍ୟମକୁ ସ୍ପଷ୍ଟ କରିଛନ୍ତି ।

ମିଲଖାଙ୍କ ରୋଷେୟାଙ୍କୁ ଜ୍ୱର ହୋଇଥିଲା । ସତର୍କତା ମୂଳକ ପଦକ୍ଷେପ ଭାବେ ମିଲଖା ନିଜର କୋଭିଡ୍ ଟେଷ୍ଟ କରାଇଥିଲେ । ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି । ମିଲଖା କହିଛନ୍ତି ଯେ, ତାଙ୍କର ଘରେ କାମ କରୁଥିବା କିଛି ଲୋକଙ୍କ ରିପୋର୍ଟ ବି ପଜିଟିଭ୍ ଆସିଥିଲା । ଏହାପରେ ପରିବାରର ସବୁ ସଦସ୍ୟଙ୍କ କରୋନା ଟେଷ୍ଟ କରାଯାଇଥିଲା । ତେବେ କେବଳ ତାଙ୍କର ହିଁ ରିପୋର୍ଟ ପଜିଟିଭ ଆସିଛି । ସେ ଠିକ୍ ଅଛନ୍ତି । ତାଙ୍କଠାରେ କୋଭିଡ୍‌ର କିଛି ଲକ୍ଷଣ ନାହିଁ । ସେ ଆଉ ତିନି-ଚାରି ଦିନ ମଧ୍ୟରେ ଠିକ୍ ହୋଇଯିବେ ବୋଲି ତାଙ୍କ ଡାକ୍ତର କହିଛନ୍ତି ।
ପାଞ୍ଚ ଥରର ଏସିଆଡ୍ ସ୍ୱର୍ଣ୍ଣ ବିଜେତା ମିଲ୍‌ଖା ସିଂ ୧୯୬୦ ରୋମ୍ ଅଲିମ୍ପିକ୍ସର ୪୦୦ ମିଟର ଇଭେଣ୍ଟରେ ଅଳ୍ପକେ ବ୍ରୋଞ୍ଜ ପଦକରୁ ବଞ୍ଚିତ ହୋଇଥିଲେ । ମିଲ୍‌ଖାଙ୍କ ପୁଅ ଜୀଭ୍ ମିଲଖା ସିଂ ଜଣେ ଜଣାଶୁଣା ଗଲ୍ଫର । ଉଭୟ ମିଲ୍‌ଖା ଓ ତାଙ୍କ ପୁଅ ଜୀଭ୍ ପୂର୍ବରୁ ଭାରତର କୋଭିଡ୍ ଲଢ଼େଇ ପାଇଁ ୨ ଲକ୍ଷ ଟଙ୍କା ଦାନ କରିଛନ୍ତି ।