ସମ୍ବିତ ପାତ୍ରଙ୍କ ମିଛ ଧରିଲା ଟ୍ୱିଟର, କଂଗ୍ରେସ୍ ଟୁଲ୍‌କିଟ୍ ପୋଷ୍ଟକୁ କହିଲା ବିଭ୍ରାନ୍ତିକର

ନୂଆଦିଲ୍ଲୀ: ବିଜେପି ପ୍ରବକ୍ତା ସମ୍ବିତ ପାତ୍ରଙ୍କ ମିଛ ଧରିଛି ଟ୍ୱିଟର । ସମ୍ବିତ ପାତ୍ର ନିକଟରେ କଂଗ୍ରେସର ‘କାରୋନା ଟୁଲକିଟ୍‌’ ସମ୍ପର୍କରେ ଯେଉଁ ପୋଷ୍ଟ କରିଥିଲେ, ତାକୁ ଟ୍ୱିଟର ‘ମାନିପୁଲେଟଡ ମିଡ଼ିଆ’ ବା ବିଭ୍ରାନ୍ତିକର ବୋଲି ଦର୍ଶାଇଛି । ଅର୍ଥାତ୍ ଏହି ପୋଷ୍ଟରେ ଯାହା ଦାବି କରାଯାଇଛି ତାହା ସତ ବୋଲି କୁହାଯାଇ ପାରିବ ନାହିଁ ।

ମେ ୧୮ରେ ସମ୍ବିତ ପାତ୍ର କଂଗ୍ରେସର ତଥାକଥିତ ‘କରୋନା ଟୁଲକିଟ୍‌’ ସମ୍ପର୍କରେ ପୋଷ୍ଟ କରି କଂଗ୍ରେସକୁ ସମାଲୋଚନା କରିଥିଲେ । ଦେଶର କରୋନା ସଙ୍କଟ ମଧ୍ୟରେ କଂଗ୍ରେସ ପ୍ରଧାନମନ୍ତ୍ରୀ ମୋଦିଙ୍କ ଛବି ଖରାପ କରିବାକୁ ଷଡ଼ଯନ୍ତ୍ର କରୁଛି ବୋଲି ସମ୍ବିତ ପାତ୍ର ଅଭିଯୋଗ କରିଥିଲେ । ସମ୍ବିତ ଦାବି କରିଥିଲେ ଯେ, କଂଗ୍ରେସ ଏକ ପିଆର୍ ଅଭିଯାନ ଚଳାଇଛି । ଯାହା ଦ୍ୱାରା କିଛି ବୁଦ୍ଧିଜୀବୀଙ୍କ ଜରିଆରେ ସରକାର ବିରୋଧୀ ମାହୋଲ ସୃଷ୍ଟି କରିବାକୁ ଉଦ୍ୟମ କରୁଛି । ଏହି ପୋଷ୍ଟ ସହ ସମ୍ବିତ ପାତ୍ର କଂଗ୍ରେସର ଲେଟର ହେଡ୍ ଥିବା ଏକ ଦଲିଲ ସେୟାର କରିଥିଲେ, ଯେଉଁଥିରେ ମୋଦିଙ୍କୁ ଘେରିବ ପାଇଁ ଯୋଜନା ସମ୍ପର୍କରେ ଉଲ୍ଲେଖ ହୋଇଥିଲା ।

ସମ୍ବିତ ପାତ୍ର ସୋସିଆଲ ମିଡିଆରେ ଯେଉଁ ‘ଟୁଲକିଟ୍‌’ ସେୟାର କରିଥିଲେ ତାହାକୁ କଂଗ୍ରେସ ନକଲି ବୋଲି କହିଥିଲା । ଏନେଇ କଂଗ୍ରେସ ପକ୍ଷରୁ ଟ୍ୱିଟର ନିକଟରେ ଅଭିଯୋଗ କରାଯାଇଥିଲା । କଂଗ୍ରେସର ଅଭିଯୋଗ ପରେ ଟ୍ୱିଟର ସମ୍ବିତଙ୍କ ଉକ୍ତ ସନ୍ଦିଗ୍ଧ ପୋଷ୍ଟ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏହାକୁ ‘ମାନିପୁଲେଟଡ୍‌’ ବା ବିଭ୍ରାନ୍ତିକର ବୋଲି ଦର୍ଶାଇଛି । ଯେଉଁ ପୋଷ୍ଟର ସତ୍ୟାସତ୍ୟ ନେଇ ସନ୍ଦେହ ଥାଏ, ତାକୁ ଟ୍ୱିଟର ‘ମାନିିପୁଲେଟଡ୍‌’ ଭାବେ ଚିହ୍ନିତ କରିଥାଏ ।

Comments are closed.