କେନ୍ଦ୍ର ସରକାରଙ୍କୁ ୯୯,୧୨୨ କୋଟି ଟଙ୍କା ଦେବ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌

ମୁମ୍ବାଇ: କରୋନା ସଙ୍କଟ ମଧ୍ୟରେ କେନ୍ଦ୍ର ସରକାରଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର । ଭାରତୀୟ ରିଜର୍ଭ ବ୍ୟାଙ୍କ୍ (ଆରବିଆଇ) ୩୧ ମାର୍ଚ୍ଚ ୨୦୨୧ରେ ଶେଷ ହୋଇଥିବା ନଅ ମାସର ହିସାବ ଅବଧି ପାଇଁ ସରକାରଙ୍କୁ ୯୯,୧୨୨ କୋଟି ଅତିରିକ୍ତ ଅର୍ଥ ପ୍ରଦାନ କରିବ । ଏହି ନିଷ୍ପତ୍ତିକୁ ଆରବିଆଇ ବୋର୍ଡର ମଞ୍ଜୁରି ମିଳିଛି ।

କେନ୍ଦ୍ର ସରକାରଙ୍କୁ ଏହି ଅତିରିକ୍ତ ଅର୍ଥ ପ୍ରଦାନ କରିବା ନିଷ୍ପତ୍ତି ରିଜର୍ଭ ବ୍ୟାଙ୍କର କେନ୍ଦ୍ରୀୟ ନିର୍ଦ୍ଦେଶକ ବୋର୍ଡ ବୈଠକରେ ନିଆଯାଇଛି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ବୈଠକ ହୋଇଥିଲା । ଏହି ବୈଠକରେ ଦେଶର ଆର୍ଥିକ ସ୍ଥିତି, ବୈଶ୍ୱିକ ଓ ଘରୋଇ ଚାଲେଞ୍ଜ୍ ଏବଂ ନିକଟରେ କୋଭିଡ୍‌ର ଦ୍ୱିତୀୟ ଲହରର ପ୍ରଭାବ କମ୍ କରିବା ପାଇଁ ନିଆଯାଇଥିବା ପଦକ୍ଷେପ ନେଇ ସମୀକ୍ଷା କରାଯାଇଥିଲା ।

ଏପ୍ରିଲ-ମାର୍ଚ୍ଚକୁ ହିସାବ ଅବଧି ଭାବେ (ପୂର୍ବରୁ ଜୁଲାଇ-ଜୁନ) ଗ୍ରହଣ କରିବା ସହ ରିଜର୍ଭ ବ୍ୟାଙ୍କ୍ ୯ ମାସ (ଜୁଲାଇ ୨୦୨୦ରୁ ମାର୍ଚ୍ଚ ୨୦୨୧) ମଧ୍ୟରେ ନିଜର କାରବାର ଉପରେ ଆଲୋଚନା କରିଥିଲା । ଗଭର୍ଣ୍ଣର ଶକ୍ତିକାନ୍ତ ଦାଶଙ୍କ ଅଧ୍ୟକ୍ଷତାରେ ବସିଥିବା ରିଜର୍ଭ ବ୍ୟାଙ୍କ୍ କେନ୍ଦ୍ରୀୟ ନିର୍ଦ୍ଦେଶକ ବୋର୍ଡ ବୈଠକରେ ସଂକ୍ରମଣ ଅବଧିରେ ବ୍ୟାଙ୍କ୍‌ର ବାର୍ଷିକ ରିପୋର୍ଟ ଏବଂ ଚଳନ୍ତି ଖାତାକୁ ମଞ୍ଜୁରି ପ୍ରଦାନ କରାଯାଇଥିଲା ।

 

Comments are closed.