କୁମ୍ଭମେଳା ପରେ ଚାରିଧାମ ତୀର୍ଥଯାତ୍ରାକୁ ଅନୁମତି ନେଇ ଉତ୍ତରାଖଣ୍ଡ ସରକାରଙ୍କୁ ହାଇକୋର୍ଟଙ୍କ ଭର୍ତ୍ସନା, କହିଲେ କାହିଁକି ଲଜ୍ଜିତ କରୁଛ

ଡେରାଡୁନ୍‌: କରୋନାର ଦ୍ୱିତୀୟ ଲହରୀ ମଧ୍ୟରେ ପ୍ରଥମେ କୁମ୍ଭମେଳା ଓ ଏବେ ଚାରିଧାମ ତୀର୍ଥଯାତ୍ରା ପାଇଁ ଉତ୍ତରାଖଣ୍ଡ ସରକାର ଅନୁମତି ଦେଇଛନ୍ତି । ଏନେଇ ଉତ୍ତରାଖଣ୍ଡ ସରକାରଙ୍କୁ ଭର୍ତ୍ସନା କରିଛନ୍ତି ହାଇକୋର୍ଟ । କୋଭିଡ୍ ସଂକ୍ରମଣ ମଧ୍ୟରେ ଏଭଳି ବିଶାଳ ଧାର୍ମିକ ସମାବେଶକୁ ଅନୁମତି ଦେଇ ରାଜ୍ୟ ସରକାର ନିଜ ଲୋକଙ୍କୁ ଲଜ୍ଜିତ କରୁଛନ୍ତି ବୋଲି ହାଇକୋର୍ଟ କହିଛନ୍ତି । ନିଜ ଭୁଲରୁ ରାଜ୍ୟ ସରକାର କାହିଁକି କିଛି ଶିଖୁନାହାନ୍ତି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି ।

ମୁଖ୍ୟ ବିଚାରପତି ଜଷ୍ଟିସ୍ ରାଘବେନ୍ଦ୍ର ସିଂହ ଚୌହ୍ୱାନ ଏବଂ ଜଷ୍ଟିସ୍ ଆଲୋକ ବର୍ମାଙ୍କ ଖଣ୍ଡପୀଠ କହିଛନ୍ତି ଯେ, ପ୍ରଥମେ କୁମ୍ଭମେଳାକୁ ଅନୁମତି ଦେଇ ଆମେ ଭୁଲ୍ କରିଥିଲୁ । ଏବେ ପୁଣି ଚାରିଧାମ ଯାତ୍ରା । ଏଭଳି ଧାର୍ମିକ ଆୟୋଜନରେ ସାମାଜିକ ଦୂରତା ରହୁନି । ଏଥିପାଇଁ ରାଜ୍ୟବାସୀଙ୍କୁ ବାରମ୍ବାର ଲଜ୍ଜିତ ହେବାକୁ ପଡୁଛି । କେଦାରନାଥ, ବଦ୍ରିନାଥ, ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରୀର ଭିଡିଓ ସେ ସୋସିଆଲ ମିଡିଆରେ ଦେଖିଛନ୍ତି । ଏହି ଚାରିଧାମରେ ସର୍ବଦା ଲୋକଙ୍କ ଭିଡ଼ ରହୁଛି । ଏଭଳି ଦୃଶ୍ୟ ଦେଖି ମୋତେ ମଧ୍ୟ ଲାଜ ଲାଗୁଛି । ମୋର ବନ୍ଧୁମାନେ ମୋତେ ଫୋନ୍ କରି ତୁମ ରାଜ୍ୟରେ କଣ ଏମିତି ଘଟୁଛି ବୋଲି ପ୍ରଶ୍ନ କରୁଛନ୍ତି ବୋଲି ମୁଖ୍ୟ ବିଚାରପତି ଜଷ୍ଟିସ୍ ଚୌହ୍ୱାନ କହିଛନ୍ତି ।

ଚାରିଧାମରେ ଭିଡ଼ ନିୟନ୍ତ୍ରଣ କରିବାକୁ କେହି ଅଛନ୍ତି ନା ସବୁ ପୂଜକଙ୍କ ଉପରେ ଛାଡ଼ି ଦିଆଯାଇଛି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି । ଯଦି ପୂଜକଙ୍କ ମଧ୍ୟରେ କରୋନା ବ୍ୟାପେ ତେବେ କଣ ହେବ? ଛୋଟ ମନ୍ଦିରରେ ଏକାଧିକ ପୂଜକଙ୍କୁ ଅନୁମତି ଦିଆଯାଇ ପାରିବ ନାହିଁ ବୋଲି କୋର୍ଟ କହିଛନ୍ତି ।

ରାଜ୍ୟରେ କୋଭିଡ୍ ସ୍ଥିତି ଓ ଅକ୍ସିଜେନ ଯୋଗାଣ ନେଇ ଦାୟର ହୋଇଥିବା ଏକାଧିକ ପିଟିସନର ଶୁଣାଣି କରୁଛନ୍ତି ଉତ୍ତରାଖଣ୍ଡ ହାଇକୋର୍ଟ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁନ୍ ୯ରେ ହେବ ।

Comments are closed.