କରୋନା ମୃତକଙ୍କୁ ପର କରି ଦେଲା ପରିବାର ଶବଦାହ କଲେ ବିଜେଡି ଜିଲ୍ଲା ସଭାପତି

ଦେବଗଡ : ବର୍ତ୍ତମାନ ସମୟରେ କରୋନା ମହାମାରୀ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଛି । ସଂକ୍ରମଣ ଭୟ ଏତେ ଘାରିଛି ଯେ , ଲୋକେ ନିଜର ସଂପର୍କୀୟ ଏପରିକି ଜନ୍ମ କଲା ବାପା ମାଁଙ୍କ ମୁହଁରେ ବି ଚିତା ଟିକିଏ ଦେବାକୁ ପଛଘୁଞ୍ଚା ଦେଉଛନ୍ତି । ଏଭଳି ସମୟରେ ମାନବିକତାର ମୃତ୍ୟୁ ପରି ପ୍ରତିଦିନ ବହୁ ଘଟଣା ସାମ୍ନାକୁ ଆସିବାରେ ଲାଗିଛି । ଏଭଳି ସ୍ଥିତିରେ ଦେବଗଡ ସହରରେ କରୋନାରେ ମୃତ୍ୟୁବରଣ କରିଥିବା ଜଣେ ବ୍ୟକ୍ତିଙ୍କ ଶେଷକୃତ୍ୟ ପାଇଁ ରକ୍ତ ସଂପର୍କୀୟବି ନଆସିବାରୁ ଦୀର୍ଘ ସମୟଧରି ଶବ ପଡି ରହିଥିଲା । ଏତିକି ବେଳେ ଦେବଗଡ ବିଜେଡି ଜିଲ୍ଲା ସଭାପତି ମାନବିକତାର ପରିଚୟ ଦେଇ ଉକ୍ତ ବ୍ୟକ୍ତିଙ୍କ ଶବଦାହ କରି ପ୍ରଶଂସାର ପାତ୍ର ହୋଇଛନ୍ତି ।

ଦେବଗଡ ଜିଲ୍ଲାର ରିଆମାଳ ବ୍ଲକର ଗୁଣ୍ଡିଆପାଲି ପଞ୍ଚାୟତର ପାଇକନଗର ଗାଁର କେଶବ ଅମାନ୍ତଙ୍କ ପୁଅ ଅଭିଳାଷ ( ୨୩ ) କରୋନାରେ ଆକ୍ରାନ୍ତ ଥିଲେ । ଗୁରୁବାର ଦିନ ତାଙ୍କ ଅବସ୍ଥା ଗୁରୁତର ହେବାକୁ ତାଙ୍କୁ ନିକଟସ୍ଥ ଛତାବର ମେଡ଼ିକାଲକୁ ନିଆଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ସେହିଦିନ ରାତିରେ ତାଙ୍କ ଦେହାନ୍ତ ହୋଇଥିଲା । ଏହାପରେ ପ୍ରଶାସନ ପକ୍ଷରୁ ପରିବାର ଲୋକଙ୍କୁ ସୂଚନା ଦିଆଯାଇଥିଲେ ମଧ୍ୟ ରାତି ହୋଇଯାଇଥିବାରୁ ଶବ ନେବାକୁ କୌଣସି ବ୍ୟବସ୍ଥା ହୋଇପାରିନଥିଲା ।

ହେଲେ ଗତକାଲି ସକାଳେ ବି କୌଣସି ପରିବାର ଲୋକ ଶବ ନେବାକୁ ଆଗ୍ରହ ଦେଖାଇନଥିଲେ । ଫଳରେ ବ୍ଲକ ପ୍ରଶାସନ ପକ୍ଷରୁ ଶବକୁ ତାଙ୍କ ଗାଁକୁ ନିଆଯିବା ପରେ ମଧ୍ୟ ପରିବାର କିମ୍ବା ସଂପର୍କୀୟ କେହି ସଂକ୍ରମଣ ଭୟରେ ପାଖ ମାଡିନଥିଲେ । ଏଥିପାଇଁ ସରପଞ୍ଚ ମଧ୍ୟ ପରିବାର ସମେତ ଗାଁ ଲୋକଙ୍କୁ ନିବେଦନ କରିଥିଲେ ହେଁ କେହି ଶୁଣିନଥିଲେ । ଓଲଟା ତାଟି କବାଟ ବନ୍ଦ କରି ରହିଯାଇଥିଲେ । ଏଭଳି ସମୟରେ ଦେବଗଡ ଜିଲ୍ଲା ବିଜେଡି ସଭାପତି ଶ୍ରୀ ବିଶ୍ବାଳ ଖବର ପାଇ ତୁରନ୍ତ ତାଙ୍କ କିଛି ସହଯୋଗୀଙ୍କ ସହ ଉକ୍ତ ଗାଁକୁ ପହଞ୍ଚିଥିଲେ । ଆଉ ନିଜେ କାଠ ଯୋଗାଡ କରି ଗାଁ ମଶାଣୀରେ ଶବଦାହ କରାଇଥିଲେ । ଏହି ସମୟରେ ଅତିରିକ୍ତ ବିଡିଓ ଜିତୁ ରଞ୍ଜନ ଜେନା , ସହକାରୀ ଯନ୍ତ୍ରୀ ମହେଶ କୁମାର ମାହାଲି ଏବଂ ସରପଞ୍ଚ ଚନ୍ଦ୍ରଣୀ ଗଡନାୟକ ପ୍ରମୁଖ ଏହି ମହାନ କାମରେ ସହଯୋଗ କରିଥିଲେ । ତେବେ , ଶ୍ରୀ ବିଶ୍ବାଳଙ୍କ ଏହି ମହନୀୟତାକୁ ନେଇ ଅଞ୍ଚଳରେ ଭୁରି ଭୁରି ପ୍ରଶଂସା କରାଯାଇଛି ।

Comments are closed.