ଛତିଶଗଡ଼: ମୋଦିଙ୍କ ବଦଳରେ ଟିକା ସାର୍ଟିଫିକେଟ୍‌ରେ ବାଘେଲଙ୍କ ଫଟୋ | News Room Odisha

ଛତିଶଗଡ଼: ମୋଦିଙ୍କ ବଦଳରେ ଟିକା ସାର୍ଟିଫିକେଟ୍‌ରେ ବାଘେଲଙ୍କ ଫଟୋ

ରାୟପୁର: କୋଭିଡ୍ ଟିକା ସାର୍ଟିଫିକେଟ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ରହିଛି । ଏହାର ଯଥାର୍ଥତା ନେଇ ବିରୋଧୀ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ତେବେ ଛତିଶଗଡ଼ରେ ମୋଦିଙ୍କ ଫଟୋ ବଦଳରେ ଟିକା ସାର୍ଟିଫିକେଟ୍‌ରେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ଫଟୋ ଦେଖିବାକୁ ମିଳୁଛି ।

୧୮ ରୁ ୪୪ ବର୍ଷ ବୟସ୍କଙ୍କ ଟିକାକରଣ ପାଇଁ ଯେଉଁ ସାର୍ଟିଫିକେଟ୍ ଜାରି କରାଯାଉଛି, ସେଥିରେ ବାଘେଲଙ୍କ ଫଟୋ ଛପା ହୋଇଛି । ଏପରିକି ଏହି ବୟସ ବର୍ଗର ପଞ୍ଜିକରଣ ପାଇଁ କୋ-ୱିନ୍ ପୋର୍ଟାଲ ବଦଳରେ ଛତିଶଗଡ଼ର ବାଘେଲ ସରକାର ନିଜସ୍ୱ ଏକ ପୋର୍ଟାଲ ଲଞ୍ଚ୍ କରିଛନ୍ତି । ଟିକା ପାଇଁ ଏହି ପୋର୍ଟାଲରେ ରାଜ୍ୟର ୧୮-୪୪ ବର୍ଷର ଲୋକଙ୍କୁ ପଞ୍ଜିକରଣ କରିବାକୁ ପଡିବ । ଏବଂ ଏହି ପୋର୍ଟାଲ ମାଧ୍ୟମରେ ଟିକା ନେଇଥିବା ଲୋକଙ୍କୁ ସାର୍ଟିଫିକେଟ୍ ଦିଆଯାଉଛି । ଟିକା ସାର୍ଟିଫିକେଟ୍‌ରେ ମୁଖ୍ୟମନ୍ତ୍ରୀ ବାଘେଲଙ୍କ ଫଟୋ ରହିଛି ।

ଟିକା ସାର୍ଟିଫିକେଟ୍‌ରେ ମୋଦିଙ୍କ ବଦଳରେ ମୁଖ୍ୟମନ୍ତ୍ରୀ ବାଘେଲଙ୍କ ଫଟୋ ଲଗାଯିବାକୁ ଛତିଶଗଡ଼ର ସ୍ୱାସ୍ଥ୍ୟ ମନ୍ତ୍ରୀ ଟିଏସ ସିଂହ ଯଥାର୍ଥ ବୋଲି କହିଛନ୍ତି । ଯେବେ ଟିକାକରଣ ପାଇଁ କେନ୍ଦ୍ର ସରକାର ଅର୍ଥ ସହ ଟିକା ଯୋଗାଉଥିଲେ, ସେତେବେଳେ ଟିକା ସାର୍ଟିଫିକେଟ୍‌ରେ ମୋଦିଙ୍କ ଫଟୋ ରହିବା ଠିକ୍ ଲାଗୁଥିଲା । କିନ୍ତୁ ଏବେ ରାଜ୍ୟ ସରକାର ନିଜ ଖର୍ଚ୍ଚରେ ଟିକା କିଣୁଛନ୍ତି । ତେଣୁ ଟିକା ସାର୍ଟିଫିକେଟ୍‌ରେ ମୁଖ୍ୟମନ୍ତ୍ରୀ ବାଘେଲଙ୍କ ଫଟୋ ବ୍ୟବହାର କରିବାକୁ ଆମେ ନିଷ୍ପତ୍ତି ନେଇଛୁ ବୋଲି ସେ କହିଛନ୍ତି ।