‘ଟୁଲକିଟ୍’ ମାମଲା: ସମ୍ବିତ ପାତ୍ରଙ୍କୁ ଛତିଶଗଡ ପୋଲିସର ନୋଟିସ୍

ରାୟପୁର: ଛତିଶଗଡ ପୋଲିସ ‘ଟୁଲକିଟ୍’ ମାମଲାରେ ବିଜେପି ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ନୋଟିସ ଜାରି କରିଛି। ତାଙ୍କୁ ମେ ୨୩ରେ ଅର୍ଥାତ୍ ଆଜି ଅପରାହ୍ନ ୪ଟାରେ ରାୟପୁରର ସିଭିଲ୍ ଲାଇନ୍ ପୋଲିସ୍ ଷ୍ଟେସନରେ ରିପୋର୍ଟ କରିବାକୁ କୁହାଯାଇଛି। କଂଗ୍ରେସର ଛାତ୍ର ସଂଗଠନ ଏନ୍ଏସଏୟୁଆଇ ‘ଟୁଲକିଟ୍’ ମାମଲାରେ ରାୟପୁରର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂ ଏବଂ ପାତ୍ରଙ୍କ ବିରୋଧରେ ଏଫ୍ଆଇଆର୍ ଦାଖଲ କରିଥିଲା। ଏଥିରେ ଏଆଇସିସି ଅନୁସନ୍ଧାନ ବିଭାଗର ଲେଟର ହେଡ୍ ରେ କଥିତ ମିଥ୍ୟା ଏବଂ ଭିତ୍ତିହୀନ ତଥ୍ୟ ପ୍ରକାଶ କରିଥିବା ଅଭିଯୋଗ ହୋଇଛି। ଛତିଶଗଡ ପୋଲିସ ସମ୍ବିତ ପାତ୍ରଙ୍କୁ ବ୍ୟକ୍ତିଗତ କିମ୍ବା ଭିଡିଓ କନଫରେନ୍ସିଂ ଜରିଆରେ ପୋଲିସ ଷ୍ଟେସନରେ ହାଜର ହେବାକୁ କହିଛନ୍ତି । ଏବଂ ଉପସ୍ଥିତ ନଥିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ମଧ୍ୟ ଦିଆଯାଇଛି।

ନ୍ୟାସନାଲ ଷ୍ଟୁଡେଣ୍ଟସ୍ ୟୁନିଅନ୍ ଅଫ୍ ଇଣ୍ଡିଆ (ଏନ୍ଏସଏୟୁଆଇ) ର ରାଜ୍ୟ ସଭାପତି ଆକାଶ ଶର୍ମାଙ୍କ ଅଭିଯୋଗ କ୍ରମେ ‘ମିଥ୍ୟା ଖବର ପ୍ରସାରଣ’ ଏବଂ ‘ସମାଜର ବିଭିନ୍ନ ବର୍ଗ ମଧ୍ୟରେ ହିଂସା ଘଟାଇବା’ ମାମଲା ସିଭିଲ୍ ଲାଇନ୍ ପୋଲିସ୍ ଷ୍ଟେସନରେ ରୁଜୁ ହୋଇଥିଲା। ଶର୍ମା ଅଭିଯୋଗ କରିଛନ୍ତି ଯେ ବିଜେପି ନେତାମାନେ ନକଲି ଚିଠି ବ୍ୟବହାର କରି ମନଗଢା ତଥ୍ୟ ପ୍ରସାରଣ କରିଛନ୍ତି। ଶର୍ମା ଅଭିଯୋଗ କରିଛନ୍ତି ଯେ କରୋନା ଭାଇରସ ମହାମାରୀ ସମୟରେ ଲୋକଙ୍କୁ ସାହାଯ୍ୟ କରିବାରେ ମୋଦି ସରକାରଙ୍କ ବିଫଳତାରୁ ଧ୍ୟାନ ହଟାଇବା ହେଉଛି ଏହି ନକଲି ‘ଟୁଲକିଟ୍’ ର ଉଦ୍ଦେଶ୍ୟ। ଆଇପିସିର ଧାରା ୪୬୮, ୫୦୪, ୫୦୫ (୧) (ଖ) ଅନୁଯାୟୀ ମାମଲା ରୁଜୁ ହୋଇଥିଲା।

Comments are closed.