ପ୍ରଥମ ଦିନିକିଆ: ହସରଙ୍ଗାଙ୍କ ଲଢ଼ୁଆ ଇନିଂସ୍ ସତ୍ତ୍ୱେ ବାଂଲାଦେଶ ଠାରୁ ହାରିଲା ଶ୍ରୀଲଙ୍କା

ଢାକା: ତମିମ ଇକବାଲ ଏବଂ ମୁସଫିକର ରହିମଙ୍କ ଅର୍ଦ୍ଧଶତକ ପରେ ସ୍ପିନର ମେହେଦି ହସନ ମିରାଜଙ୍କ ଯାଦୁକରୀ ସ୍ପିନ ବୋଲିଂ ବଳରେ ରବିବାର ଅନୁଷ୍ଠିତ ପ୍ରଥମ ଦିନିକିଆରେ ବାଂଲାଦେଶ ୩୩ ରନରେ ଶ୍ରୀଲଙ୍କାକୁ ପରାସ୍ତ କରିଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ୍ ହରାଇ ୨୫୭ ରନ୍ କରିଥିଲା । ଦଳ ପକ୍ଷରୁ ଭେଟେରାନ ବ୍ୟାଟ୍ସମ୍ୟାନ୍ ରହିମ ୮୭ ବଲରେ ୪ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୮୪ ରନ୍ କରିଥିବା ବେଳେ ଅଧିନାୟକ ଇକବାଲ ୬ଟି ଚୌକା ଓ ଗୋଟିଏ ଚୌକା ବଳରେ ୫୨ ରନ୍ କରିଥିଲେ ।

ଏହାର ଜବାବରେ ଶ୍ରୀଲଙ୍କା ୪୮.୧ ଓଭରରେ ମାତ୍ର ୨୨୪ ରନ୍ କରି ଅଲ ଆଉଟ୍ ହୋଇଯାଇଥିଲା । ଦଳ ତରଫରୁ ନିମ୍ନଭାଗ ବ୍ୟାଟ୍ସମ୍ୟାନ୍ ୱାନିନ୍ଦୁ ହସରଙ୍ଗା ଲଢୁଆ ଅର୍ଦ୍ଧଶତକ ହାସଲ କରିଥିଲେ ମଧ୍ୟ ତାଙ୍କ ଉଦ୍ୟମ ବାଂଲାଦେଶକୁ ବିଜୟରୁ ବଞ୍ଚିତ କରିପାରିନଥିଲା । ଶ୍ରୀଲଙ୍କା ପକ୍ଷରୁ ହସରଙ୍ଗା ୬୦ ବଲରେ ୩ଟି ଚୌକା ଓ ୫ଟି ଛକା ବଳରେ ସର୍ବାଧିକ ୭୪ ରନ୍ କରିଥିଲେ । ନୂଆ ଅଧିନାୟକ କୁଶଲ ପେରରା ୩୦ ରନ୍ କରି ଆଉଟ୍ ହୋଇଥିବା ବେଳେ କୁଶଲ ମେଣ୍ଡିସ୍ ୨୪ ଓ ଦାନୁସ୍କା ଗୁଣତିଳକା ୨୧ ରନ୍ କରିଥିଲେ । ବାଂଲାଦେଶ ବୋଲରଙ୍କ ପକ୍ଷରୁ ସ୍ପିନର ମିରାଜ ସବୁଠୁ ସଫଳ ସାବ୍ୟସ୍ତ ହୋଇଥିଲେ । ସେ ମାତ୍ର ୩୦ ରନ୍ ଦେଇ ୪ଟି ୱିକେଟ୍ ହାସଲ କରିଥିଲେ । ମୁସ୍ତାଫିଜୁର ରହମାନ ୩ଟି ଏବଂ ମହମ୍ମଦ ସୈଫୁଦ୍ଦିନ ୨ଟି ୱିକେଟ୍ ନେଇଥିଲେ ।

ଏହି ବିଜୟ ସହ ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ବାଂଲାଦେଶ ୧-୦ରେ ଅଗ୍ରଣୀ ହାସଲ କରିଛି । ମୁସଫିକର ରହିମ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି ।

Comments are closed.