ଭାରତରେ କୋଭିଡ୍‌-୧୯ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ପାର୍‌ | News Room Odisha

ଭାରତରେ କୋଭିଡ୍‌-୧୯ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ପାର୍‌

‌ନୂଆଦିଲ୍ଲୀ: ଭାରତରେ କୋଭିଡ୍‌-୧୯ ଜନିତ ମୃତ୍ୟୁ ସଂଖ୍ୟା ତିନି ଲକ୍ଷ ଟପିଛି । ଗତ ୨୪ ଘଣ୍ଟାରେ ଏହି ରୋଗରେ ଆଉ ୪୪୫୪ ଜଣଙ୍କର ମୃତ୍ୟୁ ହୋଇଛି । ଏଥିସହ ଭାରତରେ ମୋଟ ମୃତ୍ୟୁ ସଂଖ୍ୟା ୩,୦୩,୭୨୦କୁ ବୃଦ୍ଧି ପାଇଛି । ଆମେରିକା ଓ ବ୍ରାଜିଲ ପରେ ଭାରତ ବିଶ୍ୱର ତୃତୀୟ ଦେଶ ଯେଉଁଠି କରୋନାରେ ତିନି ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଛି ।
ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଥିବା ବେଳେ ଦୈନିକ ସଂକ୍ରମଣ କ୍ରମାଗତ କମିବାରେ ଲାଗିଛି । ଦିନକରେ ଭାରତରେ ଆଉ ୨୨୨,୩୧୫ ନୂଆ କୋଭିଡ୍ ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ଭାରତରେ ମୋଟ କୋଭିଡ୍ ମାମଲା ୨୬,୭୫୨,୪୪୭ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ କୋଭିଡ୍‌ରୁ ପୁଣି ୩,୦୨,୫୪୪ ଜଣ ସୁସ୍ଥ ହୋଇଛନ୍ତି । ଏଯାବତ୍ ଦେଶରେ ଏହି ଘାତକ ରୋଗରୁ ୨୩,୭୨୮,୦୧୧ ଜଣ ଆରୋଗ୍ୟ ଲାଭ କରିସାରିଛନ୍ତି । ଏବେ ଦେଶରେ ୨୭ ଲକ୍ଷ ୨୦ ହଜାର ୭୧୬ ସକ୍ରିୟ ରୋଗୀ ଅଛନ୍ତି ।

ଭାରତରେ ମେ ୨୩ ସୁଦ୍ଧା ୧୯ କୋଟି ୬୦ ଲକ୍ଷ ୫୧ ହଜାର ୯୬୨ କରୋନା ଟିକା ଡୋଜ୍ ଦିଆଯାଇଛି । ଗତକାଲି ମୋଟ ୯ ଲକ୍ଷ ୪୨ ହଜାର ୭୨୨ ଡୋଜ୍ ଦିଆଯାଇଥିଲା ।