ଆମେରିକୀୟ ଖବରକାଗଜର ଖୁଲାସା, କୋଭିଡ୍‌-୧୯ ବ୍ୟାପିବା ପୂର୍ବରୁ ଉହାନ୍ ଲ୍ୟାବ୍‌ର ତିନି କର୍ମଚାରୀ ଗୁରୁତର ଅସୁସ୍ଥ ହୋଇପଡିଥିଲେ

ନୂଆଦିଲ୍ଲୀ: କରୋନା ଭାଇରସ୍ ବ୍ୟାପିବା ପଛରେ ଚୀନର ଭୂମିକା ନେଇ ଆରମ୍ଭରୁ ହିଁ ସନ୍ଦେହ କରାଯାଉଛି । ଏବେ ଏହି ସନ୍ଦେହକୁ ଆହୁରି ଦୃଢ଼ୀଭୂତ କରିଛି ଆମେରିକୀୟ ଖବରକାଗଜ ‘ଦି ୱାଲ ଷ୍ଟ୍ରୀଟ୍ ଜର୍ଣ୍ଣାଲ’ର ଏକ ରିପୋର୍ଟ । ଚୀନ୍‌ରେ ପ୍ରଥମେ ଏହି ରୋଗ ବ୍ୟାପିବାର କିଛି ମାସ ପୂର୍ବରୁ ଉହାନ୍ ସହରର ଏକ ଲ୍ୟାବ୍‌ରେ କାର୍ଯ୍ୟରତ ତିନି ଗବେଷକ ଗୁରୁତର ଅସୁସ୍ଥ ହୋଇପଡିଥିଲେ । ଏପରିକି ସେମାନେ ହସ୍ପିଟାଲ ଚିକିତ୍ସା ଲୋଡିଥିଲେ ବୋଲି ‘ୱାଲ ଷ୍ଟ୍ରୀଟ୍ ଜର୍ଣ୍ଣାଲ’ର ଏକ ରିପୋର୍ଟରେ କୁହାଯାଇଛି । ଏହି ଖୁଲାସା ପରେ କୋଭିଡ୍‌-୧୯ ପଛରେ ଚୀନ୍‌ର ଭୂମିକା ଉପରେ ସାନି ତଦନ୍ତ ପାଇଁ ଦାବି ଉଠିପାରେ ।

କୋଭିଡ୍‌-୧୯ ଉପରେ ଜେନେଭାରେ ଆଜିଠାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ)ର ଆନୁକୂଲ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସମ୍ମିଳନୀ ଆରମ୍ଭ ହେବାକୁ ଥିବା ବେଳେ ଉହାନ୍ ଲ୍ୟାବ୍‌କୁ ନେଇ ଖୁଲାସା ଗୁରୁତ୍ୱ ବହନ କରୁଛି । ଡବ୍ଲୁଏଚ୍‌ଓର ଏହି ସମ୍ମିଳନୀରେ କୋଭିଡ୍ ସଙ୍କଟକୁ ଦୂର କରିବା ଏବଂ ଭବିଷ୍ୟତରେ ଏଭଳି ମହାମାରୀକୁ ରୋକିବା ଉପରେ ପଦକ୍ଷେପ ନେଇ ଆଲୋଚନା ହେବ ।

କରୋନା ଭାଇରସ୍ ଉତ୍ପତ୍ତି ସମ୍ପର୍କରେ ତଦନ୍ତ କରିବା ପାଇଁ ଫେବୃୟାରୀରେ ଡବ୍ଲୁଏଚ୍‌ଓର ଏକ ଟିମ୍ ଉହାନ୍ ଯାଇଥିଲା । ହେଲେ ଉହାନ ଲ୍ୟାବ୍‌ରୁ କୋଭିଡ୍‌-୧୯ର ଉତ୍ପତ୍ତି ହୋଇଥିବା ନେଇ କୌଣସି ପ୍ରମାଣ ନାହିଁ ବୋଲି ଡବ୍ଲୁଏଚ୍‌ଓ କହିଥିଲା । ତେବେ ‘ୱାଲ ଷ୍ଟ୍ରୀଟ୍ ଜର୍ଣ୍ଣାଲ୍‌’ ରିପୋର୍ଟରେ ପ୍ରକାଶିତ ଗୋଇନ୍ଦା ରିପୋର୍ଟ ପରେ ଡବ୍ଲୁଏଚ୍‌ଓର ତଦନ୍ତ ଉପରେ ପ୍ରଶ୍ନ ଉଠିଛି ।

Comments are closed.