ଫ୍ଲାଇଟ୍‌ରେ ବିବାହ, ତଦନ୍ତ ନିର୍ଦ୍ଦେଶ ଦେଲେ ଡିଜିସିଏ | News Room Odisha

ଫ୍ଲାଇଟ୍‌ରେ ବିବାହ, ତଦନ୍ତ ନିର୍ଦ୍ଦେଶ ଦେଲେ ଡିଜିସିଏ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ମଧ୍ୟରେ ତାମିଲନାଡୁର ଏକ ଦମ୍ପତି ଫ୍ଲାଇଟ୍‌ରେ ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି । ମଝି ଆକାଶରେ ହୋଇଥିବା ଏହି ବାହାଘରର ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ମାମଲା ଏବେ ଭାରତର ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ(ଡିଜିସିଏ)ଙ୍କ ପାଖରେ ପହଞ୍ଚିଛି । ଡିଜିସିଏ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ମଦୁରାଇର ରାକେଶ ଓ ଦୀକ୍ଷା ନିଜ ବାହାଘର ପାଇଁ ଏକ ନିଆରା ଯୋଜନା କରିଥିଲେ । ଏଥିପାଇଁ ସେମାନେ ସ୍ପାଇସ୍ ଜେଟ୍‌ର ଏକ ଫ୍ଲାଇଟ୍‌କୁ ଭଡ଼ାରେ ନେଇଥିଲେ । ଏହାକୁ ମଦୁରାଇରୁ ବାଙ୍ଗାଲୋର ଯାଏଁ ବୁକ୍ କରାଯାଇଥିଲା । ପୂରା ବାହାଘର ଏହି ଫ୍ଲାଇଟ୍‌ରେ ହୋଇଥିଲା । ଫ୍ଲାଇଟ୍ ଉଭୟ ବର ଓ କନ୍ୟାର ପରିବାର ଲୋକ ସହ ଅତିଥି ଓ ସମ୍ପର୍କୀୟରେ ଭରି ଯାଇଥିଲା । ଭାଇରାଲ ହୋଇଥିବା ଏହି ବାହାଘରର ଭିଡିଓ ଓ ଫଟୋରେ ବର କନ୍ୟାକୁ ମଙ୍ଗଳସୂତ୍ର ପିନ୍ଧାଉଥିବା ଦେଖିବାକୁ ମିଳୁଛି ଏବଂ ଉଭୟ ଫଟୋ ମଧ୍ୟ ଉଠାଉଛନ୍ତି । ସେମାନଙ୍କ ପଛରେ ଅତିଥିମାନେ ବି ନଜର ଅସୁଛନ୍ତି । ଉକ୍ତ ବିମାନରେ ଉପସ୍ଥିତ ଅଧିକାଂଶ ଲୋକଙ୍କ ମୁହଁରେ ମାସ୍କ ନାହିଁ । ଏହି ବାହାଘରରେ କୋଭିଡ୍ ନିୟମର ଖୋଲା ଉଲ୍ଲଂଘନ ହୋଇଥିବା ସ୍ପଷ୍ଟ ଦେଖାଯାଉଛି ।

ଡିଜିସିଏ ଏବେ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ମଦୁରାଇ ଏୟାରପୋର୍ଟର ନିର୍ଦ୍ଦେଶକ ଏସ୍ ସେନ୍ଥିଲ୍ ବଲଭନ୍ କହିଛନ୍ତି ଯେ, ଉକ୍ତ ସ୍ପାଇସ୍ ଜେଟ୍ ଫ୍ଲାଇଟ୍ ମଦୁରାଇରୁ ବୁକ୍ ହୋଇଥିଲା । ତେବେ ଏହି ଭଡ଼ା ବିମାନରେ ବାହାଘର ଆୟୋଜନ କରିବା ପାଇଁ ଯୋଜନା ହୋଇଥିବା ସମ୍ପର୍କରେ ଏୟାରପୋର୍ଟ ଅଧିକାରୀ ପାଖରେ କୌଣସି ସୂଚନା ନଥିଲା ।

ଡିଜିସିଏ ଏହି ଘଟଣାରେ ଉଭୟ ସ୍ପାଇସ୍ ଜେଟ୍ ଏବଂ ମଦୁରାଇ ଏୟାରପୋର୍ଟରୁ ରିପୋର୍ଟ ମାଗିଛି । ଫ୍ଲାଇଟ୍‌ର କ୍ରୁ’ଙ୍କୁ ମଧ୍ୟ ଚାକିରିରୁ ସାମୟିକ ହଟାଇ ଦିଆଯାଇଛି ।