କରୋନା ଆଗରେ ଅପରାଜୟ ଗାଁ

କରୋନା ପ୍ରଥମ ଲହରୀ ପରେ ଏବେ ଦ୍ବିତୀୟ ଲହରୀ ଅନେକଙ୍କୁ ତାର ଶିକାର କଲାଣି। କେତେକଙ୍କ ଜୀବନ ନେଲାଣି ତ ଏହି ମହାମାରୀ ଲାଗି ଅନେକ ପରିବାର ଉଜୁଡ଼ିଗଲାଣି। ହେଲେ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଏବେ ବି ଏମିତି ଅନେକ ଗାଁ ରହିଛି ଯାହା କରୋନା ଆଗରେ ଏଯାବତ୍ ଅପରାଜୟ ରହି ଆସିଛି। କରୋନା ଗାଁକୁ ପଶିପାରିନି। ଜଣେ ମଧ୍ୟ ଗ୍ରାମବାସୀ ଆରମ୍ଭରୁ ଏଯାବତ୍ ପଜିଟିଭ୍ ହୋଇନାହାନ୍ତି। କୋଭିଡ୍ ସତର୍କତା ଯଦି ଶତପ୍ରତିଶତ ମାନିବା, ତେବେ ମହାମାରୀକୁ କିଭଳି ନିଜ ଠାରୁ ଦୂରେଇ ରଖିହେବ ତାହା ଏହି ଗ୍ରାମର ଲୋକଙ୍କୁ ଦେଖିଲେ ସହଜରେ ବୁଝିହୁଏ। ସମସ୍ତେ ସଜାଗ ରହିଲେ କିଭଳି କରୋନାମୁକ୍ତ ରହିହେବ ତାହା ଏହି ଗ୍ରାମବାସୀଙ୍କ ଠାରୁ ଶିକ୍ଷା ମିଳେ।

ଗଜପତି ଜିଲ୍ଲା ଗୁମ୍ମା ବ୍ଲକ୍‌ର ତରଙ୍ଗଡା ପଞ୍ଚାୟତ ଅନ୍ତର୍ଗତ ତାମୁସିଂ, ପାଙ୍ଗୁଡ଼ା ଗାଁ କୁହନ୍ତୁ ଅବା ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକର ଦାନପୁର ପଞ୍ଚାୟତ ଅନ୍ତର୍ଗତ କରଞ୍ଜରା ଗ୍ରାମ… ଏସବୁ ହେଉଛି ବର୍ତ୍ତମାନ ସୁଦ୍ଧା କରୋନାମୁକ୍ତ ରହି ଆସିଥିବା ଗାଁ। ମହାମାରୀ ଏପର୍ଯ୍ୟନ୍ତ ମାଡ଼ି ପାରିନି। ଆଉ ତାର କାରଣ ହେଲା ଗାଁ ଲୋକ ଆରମ୍ଭରୁ କୋଭିଡ୍ ସମ୍ବନ୍ଧିତ ସତର୍କତା ପାଳି ଆସୁଛନ୍ତି। ସେ ମାସ୍କ ପିନ୍ଧିବା କଥା କୁହନ୍ତୁ କିମ୍ବା ସାମାଜିକ ଦୂରତା ରକ୍ଷା, ଗହଳି ନକରିବା କିମ୍ବା ପ୍ରବାସୀଙ୍କୁ ଘରୋଇ ସଙ୍ଗରୋଧରେ ରଖିବା ଅଥବା ହାତ ଧୋଇ ନିଜକୁ ପରିଷ୍କାର ରଖିବା… ଏସବୁ କ୍ଷେତ୍ରରେ ସମ୍ପୂର୍ଣ୍ଣ ସଚେତନ ଓ ସଜାଗ ଗ୍ରାମବାସୀ। ତାମୁସିଂ ଏବଂ ପାଙ୍ଗୁଡ଼ା ଗାଁର ଜନସଂଖ୍ୟା ପ୍ରାୟ ୫ଶହ। ଗାଁ ଲୋକ ସେଭଳି ଜରୁରି କାମ ନଥିଲେ ଗାଁରୁ ବାହାରୁ ନାହାନ୍ତି। ଯଦିବି ଯାଉଛନ୍ତି, ଗାଁ ଓ ଘରକୁ ଫେରିଲେ ସମସ୍ତ ସତର୍କତା ଅବଲମ୍ବନ କରୁଛନ୍ତି। ଗାଧୋଇ ଓ ହାତଗୋଡ଼ ଧୋଇ ପଶୁଛନ୍ତି। ବାହାର ଅଞ୍ଚଳରେ ଥିବା ଟିକା କେନ୍ଦ୍ରକୁ ଯିବାକୁ ଚାହୁଁ ନଥିବାରୁ ଗାଁରେ ଟିକାକରଣ ହୋଇପାରିନି। ତେବେ ଏହି କରୋନାମୁକ୍ତ ଗାଁ ଓ ଗ୍ରାମବାସୀଙ୍କ ସମ୍ପର୍କରେ ଅବଗତ ହେବା ପରେ ଜିଲ୍ଲାପାଳ ଅନୁପମ ଶାହା ଏବେ ଗାଁରେ ହିଁ ଗ୍ରାମବାସୀଙ୍କୁ ଟିକା ଦେବା ନେଇ ପଦକ୍ଷେପ ନେବାକୁ ଆଶ୍ୱାସନା ଦେଇଛନ୍ତି। ଏହି ଗାଁ ଲୋକଙ୍କ ପରି ସମସ୍ତେ ସଜାଗ ରହିବା ଉଚିତ ବୋଲି କହିଛନ୍ତି ସେ।

ସେହିପରି ୧୨ ଶହ ଜନସଂଖ୍ୟା ବିଶିଷ୍ଟ ଗଞ୍ଜାମ ଜିଲ୍ଲାର କରଞ୍ଜରା ଗାଁ ଲୋକ ଦେଖାଇ ଦେଇଛନ୍ତି ଯେ- ଗ୍ରାମବାସୀଙ୍କ ଏକତା ଓ ସଚେତନତା ବଳରେ ମହାମାରୀକୁ ସହଜରେ ଦୂରେଇ ରଖିହେବ। ଗାଁର ଅଧିକାଂଶ ଲୋକ ମୂଲ ଲାଗନ୍ତି କିମ୍ବା ମାଛ ଧରି ଓ ବିକି ପେଟ ପୋଷନ୍ତି। ତଥାପି ସେମାନେ ଏତେ ସଜାଗ ଯେ କରୋନାକୁ ଗାଁରେ ପଶିବାକୁ ଟିକିଏ ବି ସୁଯୋଗ ଦେଇନାହାନ୍ତି। ଗାଁକୁ ଆସୁଥିବା ପ୍ରବାସୀ ବାଧ୍ୟତାମୂଳକ ଘରୋଇ ସଙ୍ଗରୋଧରେ ରୁହନ୍ତି। ଅଙ୍ଗନବାଡ଼ି କର୍ମୀ, ଆଶା ଦିଦି, ଏଏନ୍ଏମ୍ ନିୟମିତ ବ୍ୟବଧାନରେ ଘରକୁ ଘର ପାଇ ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରୁଛନ୍ତି। ସରପଞ୍ଚ ମନୋଜ କୁମାର ପ୍ରଧାନ ଗାଁ ଲୋକଙ୍କୁ ସଚେତନ କରାଇ ଆସୁଛନ୍ତି। ଯିଏ ଯେଉଁଠାକୁ ଗଲେ ବି ମୁହଁରେ ଥାଏ ମାସ୍କ। କୋଭିଡ୍ ନିୟମ ପାଳନ ପୂର୍ବକ ଉନ୍ନୟନମୂଳକ କାମ କରି ଗାଁ ଲୋକ ପେଟପାଟଣା ଯୋଗାଡ଼ କରିପାରୁଛନ୍ତି। ନିକଟରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହି ଗାଁକୁ ବୁଲି ଯାଇଥିଲେ। କରଞ୍ଜରା ଗାଁ ସମସ୍ତଙ୍କ ପାଇଁ ଉଦାହରଣ ବୋଲି ମତବ୍ୟକ୍ତ କରିବା ସହ ଗ୍ରାମବାସୀଙ୍କ ଏକତା ଓ ସତର୍କତାକୁ ପ୍ରଶଂସା କରିଥିଲେ ସେ।

Comments are closed.