ସରକାରଙ୍କୁ ନିୟମ ମନେ ପକାଇଦେଲେ ପ୍ରଧାନ ବିଚାରପତି, ସିବିଆଇ ନିର୍ଦ୍ଦେଶକ ଦୌଡ଼ରୁ ବାଦ୍ ପଡ଼ିଲେ ଦୁଇ ପ୍ରାର୍ଥୀ

ନୂଆଦିଲ୍ଲୀ: ସିବିଆଇର ନୂଆ ନିର୍ଦ୍ଦେଶକ ଚୟନ ପାଇଁ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା । ଏଥିରେ ପ୍ରଧାନ ବିଚାରପତି ସରକାରଙ୍କୁ ଏକ ନିୟମ ବିଷୟରେ ଉଲ୍ଲେଖ କରିଥିଲେ । ଏହାପରେ ସିବିଆଇ ନିର୍ଦ୍ଦେଶକ ଦୌଡ଼ରେ ଥିବା ସରକାରଙ୍କ ପସନ୍ଦର ଦୁଇ ପ୍ରାର୍ଥୀ ବାଦ୍ ପଡିଥିଲେ ।

ପ୍ରାୟ ଦେଢ଼ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ପିଏମ୍ ମୋଦି ଓ ପ୍ରଧାନ ବିଚାରପତି ରମନ୍ନାଙ୍କ ସହ ବିରୋଧୀ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ ଉପସ୍ଥିତ ଥିଲେ । ବୈଠକରେ ମହାରାଷ୍ଟ୍ରର ପୂର୍ବତନ ଡିଜିପି ସୁବୋଧ କୁମାର ଜୟସ୍ୱାଲ, ସଶସ୍ତ୍ର ସୀମା ସୁରକ୍ଷା ବାହିନୀର ଡିଜି କେଆର ଚନ୍ଦ୍ର ଏବଂ ଗୃହ ମନ୍ତ୍ରାଳୟର ସ୍ୱତନ୍ତ୍ର ସଚିବ ବିଏସକେ କୌମୁଦିଙ୍କ ନାମ ଉପରେ ଆଲୋଚନା ହୋଇଥିଲା । ତେବେ ସିବିଆଇ ମୁଖ୍ୟଙ୍କ ଚୟନ ନେଇ ଏକ ନିୟମକୁ ସର୍ବଦା ଅଣଦେଖା କରାଯାଉଛି ବୋଲି ପ୍ରଧାନ ବିଚାରପତି ଜଷ୍ଟିସ୍ ରମନ୍ନା କହିଥିଲେ । ଏହି ନିୟମ ମୁତାବକ ଯେଉଁ ଅଧିକାରୀଙ୍କ ଚାକିରି ୬ ମାସରୁ କମ୍ ସମୟ ରହିଛି, ସେମାନଙ୍କ ନାମ ସିବିଆଇ ମୁଖ୍ୟ ପଦ ପାଇଁ ବିଚାର କରାଯିବ ନାହିଁ । ଚୟନ ପ୍ୟାନେଲ ଏହି ନିୟମର ପାଳନ କରିବା ଉଚିତ ବୋଲି ପ୍ରଧାନ ବିଚାରପତି କହିଥିଲେ । ଏହି ପ୍ୟାନେଲର ଅନ୍ୟତମ ସଦସ୍ୟ ତଥା ବିରୋଧୀ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ ମଧ୍ୟ ଏହି ନିୟମର ସମର୍ଥନ କରିଥିଲେ । ପ୍ରଧାନ ବିଚାରପତି ଏହି ନିୟମ ସମ୍ପର୍କରେ ମନେ ପକାଇବା ପରେ ସିବିଆଇ ନିର୍ଦ୍ଦେଶକ ଦୌଡ଼ରୁ ବିଏସ୍‌ଏଫ୍ ମୁଖ୍ୟ ରାକେଶ ଅସ୍ଥାନା ଏବଂ ଏନ୍‌ଆଇଏର ୱାଇସି ମୋଦି ବାଦ୍ ପଡ଼ିଥିଲେ । ଉଭୟ ପ୍ରଧାନମନ୍ତ୍ରୀଙ୍କ ମୋଦିଙ୍କ ବିଶ୍ୱସ୍ତ ଭାବେ ପରିଚିତ । ଅସ୍ଥାନା ଅଗଷ୍ଟ ୩୧ରେ ଅସବର ନେବାକୁ ଥିବା ବେଳେ ଏନ୍‌ଆଇଏ ମୁଖ୍ୟ ୱାଇସି ମୋଦିଙ୍କ କାର୍ଯ୍ୟକାଳ ମେ ୩୧ରେ ସରିବ । ସିବିଆଇ ନିର୍ଦ୍ଦେଶକ ପଦ ପାଇଁ ଉଭୟ ଅସ୍ଥାନା ଓ ମୋଦିଙ୍କୁ କେନ୍ଦ୍ର ସରକାର ସର୍ବାଗ୍ରେ ରଖିଥିଲେ ।

Comments are closed.