ଦାଦା ସାହେବ ଫାଲକେ ପୁରସ୍କାର ବିଜେତା ସୌମିତ୍ର ଚାଟାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ

କୋଲକାତା – କିମ୍ବଦନ୍ତୀ ଅଭିନେତା ତଥା ଦାଦା ସାହେବ ଫାଲକେ ବିଜେତା ସୌମିତ୍ର ଚାଟାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ବିଗିଡି ଯାଇଛି । ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୌମିତ୍ରଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ରହିଛି । ତାଙ୍କୁ ଲାଇଫ୍ ସପୋର୍ଟରେ ରଖାଯାଇଛି । ତାଙ୍କ ଚିକିତ୍ସା କରୁଥିବା ଜଣେ ଡାକ୍ତରଙ୍କ କହିବା ଅନୁସାରେ ଗତ ୨୪ ଘଣ୍ଟା ଭିତରେ ସୌମିତ୍ରଙ୍କ ଅବସ୍ଥା ଅପରିବର୍ତ୍ତିତ ରହିଛି । ଗତ ୪୦ ଦିନ ଧରି ଆମର ପ୍ରଚେଷ୍ଟା ଯଥେଷ୍ଟ ହୋଇନାହିଁ । ଏବେ କେବଳ ଚମତ୍କାର ହିଁ ସୌମିତ୍ରଙ୍କୁ ଏଭଳି ସ୍ଥିତିରୁ ଉଦ୍ଧାର କରିପାରିବ । ଦୁଃଖର ସହ ଆମେ ଏହା ତାଙ୍କ ପରିବାରବର୍ଗକୁ ଜଣାଇ ଦେଇଛୁ ବୋଲି ଡାକ୍ତର ଜଣକ କହିଛନ୍ତି ।

ସୌମିତ୍ରଙ୍କ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ସବୁ ଅଚଳ ହୋଇଯାଇଥିବା ମେଡିକାଲ ତରଫରୁ କୁହାଯାଇଛି । କିମ୍ବଦନ୍ତୀ ଚଳଳିତ୍ର ନିର୍ମାତା ସତ୍ୟଜିତ ରାୟଙ୍କ ‘ଅପୁର ସଂସାର’ରୁ ସୌମିତ୍ର ତାଙ୍କ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ସତ୍ୟଜିତଙ୍କ ସେ ୧୪ଟି ଫିଲ୍ମରେ କାମ କରିଥିଲେ । ସତ୍ୟଜିତଙ୍କ ବ୍ୟତୀତ ମୃଣାଳ ସେନ, ତପନ ସିହ୍ନା ଓ ତରୁଣ ମଜୁମଦାରଙ୍କ ଭଳି ଖ୍ୟାତନାମା ବଙ୍ଗଳା ନିର୍ଦ୍ଦେଶକଙ୍କ ସହ ମଧ୍ୟ ସୌମିତ୍ର କାମ କରିବାକୁ ସୁଯୋଗ ପାଇଥିଲେ । ଏହି ୮୫ ବର୍ଷୀୟ ଅଭିନେତାଙ୍କୁ ୨୦୧୨ରେ ସମ୍ମାନଜନକ ଦାଦା ସାହେବ ଫାଲକେ ଫୁରସ୍କାର ମିଳିଥିଲା । ଅକ୍ଟୋବର ୬ରେ କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା ପରେ ସୌମିତ୍ରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

Comments are closed.