ସବୁ ଭାରତୀୟ ଖେଳାଳିଙ୍କ କୋଭିଡ୍ ରିପୋର୍ଟ ନେଗେଟିଭ୍, ଆରମ୍ଭ କଲେ ଅଭ୍ୟାସ | News Room Odisha

ସବୁ ଭାରତୀୟ ଖେଳାଳିଙ୍କ କୋଭିଡ୍ ରିପୋର୍ଟ ନେଗେଟିଭ୍, ଆରମ୍ଭ କଲେ ଅଭ୍ୟାସ

ସିଡନୀ – ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ଦଳର ସବୁ ଖେଳାଳି ଓ କୋଚିଂ ଷ୍ଟାଫଙ୍କ କୋଭିଡ୍-୧୯ ରିପୋର୍ଟ ନେଗେଟିଭ୍ ଆସିଛି । ଶନିବାର ଠାରୁ ଭାରତୀୟ ଦଳ ଅଭ୍ୟାସ ମଧ୍ୟ ଆରମ୍ଭ କରିଛି । ଆଇପିଏଲରେ ଖେଳିଥିବା ହାର୍ଦ୍ଦିକ ପାଣ୍ଡ୍ୟା, ପୃଥ୍ୱୀ ଶ’ ଓ ମହମ୍ମଦ ସିରାଜଙ୍କ ସମେତ ଅନେକ ଖେଳାଳି ଅଭ୍ୟାସ କରିଥିଲେ । ଖେଳାଳିଙ୍କ ଆଉଟଡୋର୍ ଅଭ୍ୟାସର ଏକ ଫଟୋ ବିସିସିଆଇ ନିଜ ଟ୍ୱିଟର ହ୍ୟାଣ୍ଡଲରେ ପୋଷ୍ଟ କରିଛି ।

ଏଥିରେ ସ୍ପିନର କୁଲଦୀପ ଯାଦବ, ପେସର ଉମେଶ ଯାଦବ, ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର ଓ ଚେତେଶ୍ୱର ପୂଜାରା ଅଭ୍ୟାସ କରୁଥିବା ଦେଖିବାକୁ ମିଳୁଛି । ଫଟୋରେ ନବାଗତ ଦ୍ରୁତ ବୋଲର ଟି.ନଟରାଜନ ମଧ୍ୟ ନଜର ଆସୁଛନ୍ତି ।

ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଦଳ ଗୁରୁବାର ଅଷ୍ଟ୍ରେଲିଆରେ ପହଞ୍ଚିଥିଲେ । ଭାରତ ସିଡନୀର ଏକ ହୋଟେଲରେ ୧୪ ଦିନ କ୍ୱାରେଣ୍ଟାଇନରେ ରହିବ । କ୍ୱାରେଣ୍ଟାଇନ୍ ସମୟରେ ଅଭ୍ୟାସ କରିବାକୁ ଟିମ୍ ଇଣ୍ଡିଆକୁ ନ୍ୟୁ ସାଉଥ୍ ୱେଲ୍ସ ସରକାର ଅନୁମତି ଦେଇଛନ୍ତି । ଆଜି ଭାରତୀୟ ଖେଳାଳିଙ୍କ ପ୍ରଥମ କୋଭିଡ୍ ଟେଷ୍ଟ ହୋଇଥିଲା । ସବୁ ଖେଳାଳି ଓ କୋଚିଂ ଷ୍ଟାଫଙ୍କ ରିପୋର୍ଟ ନେଗେଟିଭ୍ ଆସିଛି ।
ଭାରତ-ଅଷ୍ଟ୍ରେଲିଆ ମୁକାବିଲା ନଭେମ୍ବର ୨୭ରୁ ଦିନିକିଆ ସିରିଜ ସହ ଆରମ୍ଭ ହେବ । ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପରେ ତିନୋଟି ଟି୨୦ ମ୍ୟାଚ୍ ଖେଳାଯିବ । ଏହାପରେ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯିବ । ସୀମିତ ଓଭର ସିରିଜରେ ଭାରତୀୟ ଖେଳାଳି ୧୯୯୨ ବିଶ୍ୱକପ ଜର୍ସି ପିନ୍ଧି ଖେଳିବେ । ନାଇକ୍ ସହ ଚୁକ୍ତି ଶେଷ ହେବା ପରେ ଏଥର ଏମ୍ପିଏଲ ଭାରତୀୟ ଦଳର କିଟ୍ ପ୍ରାୟୋଜକ ରହିଛି ।

ନିଜ ପ୍ରଥମ ସନ୍ତାନର ଜନ୍ମ ପାଇଁ କୋହଲି ପ୍ରଥମ ଟେଷ୍ଟ ପରେ ଭାରତ ଫେରି ଆସିବେ । ଭାରତୀୟ ଦଳ ସହ ରୋହିତ ଶର୍ମା ଅଷ୍ଟ୍ରେଲିଆ ଗସ୍ତ କରିନାହାନ୍ତି । ସେ ଦୁବାଇରୁ ଭାରତ ଫେରି ଆସିଛନ୍ତି । ଏହି ସିନିୟର ବ୍ୟାଟ୍ସମ୍ୟାନ୍ ପରେ ଅଷ୍ଟ୍ରେଲିଆ ଯିବେ ।