୧୯୯୯ ମହାବାତ୍ୟା କଥା ଭାବିଲେ ଏବେ ବି ଲୋମ ଟାଙ୍କୁରି ଉଠେ। ପ୍ରକୃତିର କୋପ ଆଗରେ ସମ୍ପୂର୍ଣ୍ଣ ଅସହାୟ ହୋଇ ପଡ଼ିଥିଲା ଓଡ଼ିଶା। ଜୀବନ ହରାଇଥିଲେ ୧୦ ହଜାରରୁ ଅଧିକ ଓଡ଼ିଆ। ଅନେକ ଛୁଆ ଅନାଥ ହୋଇଯାଇଥିଲେ ତ ଅନେକ ବାପା ମାଆ ନିଜ ସନ୍ତାନଙ୍କୁ ସବୁଦିନ ପାଇଁ ହରାଇଥିଲେ। ବଦଳି ଯାଇଥିଲା ଅନେକ ଅଞ୍ଚଳର ଭୂଗୋଳ। ଲେଖା ହୋଇଥିଲା ଅଭୁଲା ଯନ୍ତ୍ରଣାର ଦୁଃଖଦାୟକ ଇତିହାସ।
ହେଲେ ଗତ ଦୁଇ ଦଶନ୍ଧିରେ ଓଡ଼ିଶା ଏବେ ଏତେ ମଜବୁତ ହୋଇଯାଇଛି ଯେ ପ୍ରାକୃତିକ ବିପର୍ଯ୍ୟୟ ଆଗରେ ହିମାଳୟ ଭଳି ଠିଆ ହୋଇ ରହି ପାରୁଛି। ସେ ୨୦୧୩ ଫାଇଲିନ୍ ହେଉ କି ୨୦୧୪ ହୁଡହୁଡ୍, ୨୦୧୮ ତିତଲି କିମ୍ବା ୨୦୧୯ ଫନି ଅଥବା ୨୦୨୦ ଅମ୍ଫାନ୍ କିମ୍ବା ଏବେ ଏବେ ଯାଇଥିବା ୟସ୍… ଯାହା ଦେଖାଯାଉଛି ଓଡ଼ିଶାକୁ ସତେ ଯେମିତି ପର୍ଯ୍ୟଟକ ଭଳି ଆସିବାରେ ଲାଗିଛି ବାତ୍ୟା ପରେ ବାତ୍ୟା। ଉପରୋକ୍ତ ସମସ୍ତ ପ୍ରାକୃତିକ ବିପର୍ଯ୍ୟୟରେ ଉଣାଅଧିକ ପ୍ରଭାବିତ ହୋଇଛି ଓଡ଼ିଶା। କେଉଁଠି ବାତ୍ୟା ସିଧାସଳଖ ଓଡ଼ିଶାକୁ ମାଡ଼ କରିଛି ତ କେବେ ଘଷିମାଜି ହୋଇ ପଡ଼ୋଶୀ ରାଜ୍ୟରେ ଲାଣ୍ଡଫଲ୍ କରିଛି। କିନ୍ତୁ ପ୍ରତିଟି ଥର ଦେଖାଯାଇଛି ଯେ- ପୂର୍ବାପେକ୍ଷା କ୍ଷୟକ୍ଷତି କମିଛି। ବିଶେଷ କରି ଧନଜୀବନ ସୁରକ୍ଷା କରି ଓଡ଼ିଶା ଏବେ ସାଇକ୍ଲୋନ୍ ଫାଇଟରେ ଚାମ୍ପିଅନ୍। ଯାହା ବି ନଷ୍ଟ ହୋଇଛି ସ୍ବଳ୍ପ ସମୟରେ ତାକୁ ପୁଣି ସଳଖି ଠିଆ କରାଯାଇ ପାରିଛି। ଥଇଥାନ କାମ ପ୍ରଭାବୀ ଢଙ୍ଗରେ କରାଯିବାରୁ କମ୍ ଅବଧିରେ ଓଡ଼ିଶାବାସୀ ସ୍ୱାଭାବିକ ଜୀବନଯାତ୍ରାକୁ ଫେରିପାରିଛନ୍ତି।
ତେବେ ଦିନକରେ କି ମାସକରେ କିମ୍ବା ବର୍ଷକ ମଧ୍ୟରେ ଏ ପରିବର୍ତ୍ତନ ରାତାରାତି ହୋଇଯାଇନି। ଏଥିପାଇଁ ନିରନ୍ତର ପ୍ରଚେଷ୍ଟା, ଦୂରଦୃଷ୍ଟି ସମ୍ପନ୍ନ ରଣନୀତି, ଯୋଜନାବଦ୍ଧ ଭାବେ ଭିଭିଭୂମିର ବିକାଶ କରି ରାଜ୍ୟକୁ ଏଭଳି ପ୍ରସ୍ତୁତ କରାଯାଇଛି ଯେ ୧୯୯୯ ମହାବାତ୍ୟା ପରିସ୍ଥିତିର ପୁନରାବୃତ୍ତି ଛାଡ଼ନ୍ତୁ, ସେହିଭଳି ସ୍ଥିତି ଆଉ ରାଜ୍ୟବାସୀଙ୍କୁ କେବେବି ସାମନା କରିବାକୁ ନପଡ଼ିବ ତାହା ସୁନିଶ୍ଚିତ କରାଇ ପାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବରଂ ସ୍ଥିତି ଆଜି ୧୮୦ ଡିଗ୍ରୀ ପରିବର୍ତ୍ତନ ହୋଇଛି ଯେତେବେଳେ କି ଦେଶରେ କେଉଁଠି ବି ପ୍ରାକୃତିକ ବିପର୍ଯ୍ୟୟ ହେଲେ ଓଡ଼ିଶା ମୁକାବିଲା ଓ ଥଇଥାନରେ ସହାୟତା କରିବାରେ ଆଗୁଆ ରହୁଛି। ଅନ୍ୟ ରାଜ୍ୟ ଏବେ ଓଡ଼ିଶା ଆଡ଼କୁ ସହଯୋଗ ପାଇଁ ଆଶାର ଦୃଷ୍ଟିରେ ଚାହିଁ ରହୁଛନ୍ତି। ଏସବୁ ଶ୍ରେୟର ହକଦାର ଅଚିରେ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯିଏକି ୧୯୯୯ ସୁପର୍ ସାଇକ୍ଲୋନ୍ ଦୁର୍ଦ୍ଦଶାର ନିରୀହ ଶିକାର ଓଡ଼ିଶାକୁ ଏବେ ବାତ୍ୟା ମୁକାବିଲାରେ ଶୀର୍ଷ ସ୍ଥାନରେ ପହଞ୍ଚାଇ ପାରିଛନ୍ତି।
ନିଃସ୍ବ, ଅସହାୟ ଓଡ଼ିଶାର ଦକ୍ଷତାରେ ଏଭଳି ଆମୂଳଚୂଳ ପରିବର୍ତ୍ତନ ଆଣିପାରିଛନ୍ତି ରାଜ୍ୟର ମୁଖ୍ୟମନ୍ତ୍ରୀ। ବାତ୍ୟା ସମ୍ପର୍କରେ ଜଣାପଡ଼ିବା କ୍ଷଣି ଆରମ୍ଭ ହୋଇ ଯାଉଛି ତାହାର ମୁକାବିଲା ପ୍ରାକ୍- ପ୍ରସ୍ତୁତି। ସମ୍ଭାବ୍ୟ ଗତିପଥ ଉପରେ ନଜର ରଖି ଲ୍ୟାଣ୍ଡଫଲ୍ ଓ ତାହାର ପ୍ରଭାବର ସଠିକ୍ ଆକଳନ କରାଯାଉଛି। ପ୍ରଭାବିତ ହେବାକୁ ଥିବା ଇଲାକାର ଲୋକଙ୍କୁ ଆଗୁଆ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରାଯାଉଛି। ଏଥିପାଇଁ ରାଜ୍ୟରେ ହଜାର ହଜାର ବାତ୍ୟା ଆଶ୍ରୟସ୍ଥଳ ଏବେ ନିର୍ମାଣ ହୋଇସାରିଛି। ତା ବାଦେ ବିଦ୍ୟାଳୟ କୋଠାଗୁଡ଼ିକୁ ମଧ୍ୟ ଅସ୍ଥାୟୀ ଆଶ୍ରୟସ୍ଥଳ ଭାବେ ବ୍ୟବହାରଯୋଗ୍ୟ କରାଯାଇ ପାରିଛି। ଲୋକଙ୍କୁ ସଜାଗ କରିବାକୁ ବ୍ୟାପକ ସଚେତନତା ପଦକ୍ଷେପ ହାତକୁ ନିଆଯାଉଛି। କେବଳ ମାନବ ସମ୍ବଳ ନୁହେଁ, ପଶୁ ସମ୍ପଦକୁ ମଧ୍ୟ ସୁରକ୍ଷିତ ସ୍ଥାନକୁ ଅଣାଯାଉଛି। ସେମାନଙ୍କ ସୁଚାରୁ ରୂପେ ରହଣୀ ପାଇଁ ରନ୍ଧା ଓ ଶୁଖିଲା ଖାଦ୍ୟ, ପାନୀୟ ଜଳ, ଆଲୋକ ବ୍ୟବସ୍ଥା କରାଯାଇ ପାରୁଛି।
ପୁଣି ବାତ୍ୟା ପରବର୍ତ୍ତୀ ସ୍ଥିତିରେ ରିଲିଫ୍ ସାମଗ୍ରୀ ଯୋଗାଣରୁ ଆରମ୍ଭ କରି ବିଦ୍ୟୁତ୍ ଓ ଯୋଗାଯୋଗ ଯଥାଶୀଘ୍ର ପୁନଃସ୍ଥାପନ କରିବା ହେଉ ବା ରାସ୍ତା, ପୋଲ, ବିଦ୍ୟୁତ୍ ଭିଭିଭୂମି ଆଦି ପୁନଃନିର୍ମାଣ କରିବା ନିଜ ଦମ୍ଭରେ କମ୍ ସମୟରେ ସମ୍ପନ୍ନ କରଯାଇ ପାରୁଛି। ଜାତୀୟସ୍ତରରେ ଏନଡିଆରଏଫ୍ ପରି ଆମ ରାଜ୍ୟରେ ଓଡ୍ରାଫ୍ ଟିମ୍, ଅଗ୍ନିଶମ ବାହିନୀ ଏବେ ଏ ଦିଗରେ ସ୍ଵୟଂସମ୍ପୂର୍ଣ୍ଣ। ଅନ୍ୟ କାହା ଉପରେ ନିର୍ଭର କରିବାକୁ ପଡ଼ୁନି। ସୂଚନା ମିଳିବା ମାତ୍ରକେ ସବୁ ଏତେ ବ୍ୟବସ୍ଥିତ, ସୁନିୟୋଜିତ ଢଙ୍ଗରେ ଆପେ ଆପେ କାମ ଆଗେଇ ଚାଲିଛି। କାରଣ ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱରେ ରାଜ୍ୟ ସରକାର ଗତ କିଛି ବର୍ଷ ମଧ୍ୟରେ ଏକ୍ଷେତ୍ରରେ ଭିତ୍ତିଭୂମି ବିକାଶକୁ ବେଶ୍ ଆଗେଇ ନେଇଛନ୍ତି ଯେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ଏବେ ଓଡ଼ିଶା ରୋଲ୍ ମଡେଲ୍।
‘ଜିରୋ କାଜୁଆଲିଟି’ ଅର୍ଥାତ୍ ପ୍ରତିଟି ଜୀବନ ମୂଲ୍ୟବାନ, କାହାର ମୃତ୍ୟୁ ଘଟିବାକୁ ଦିଆଯିବନି… ଏହାକୁ ଲକ୍ଷ୍ୟରେ ରଖି ମିଶନ୍ ମୋଡ୍ରେ କାମ କରିବାକୁ ସର୍ବଦା ପ୍ରେରଣା, ପରାମର୍ଶ ଦେଇ ଆସିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ। ସେଥିପାଇଁ ତ ରାଜ୍ୟର ସର୍ବୋଚ୍ଚ ପ୍ରଶାସନିକ କଳରୁ ଆରମ୍ଭ କରି ପଞ୍ଚାୟତସ୍ତରର ଜନପ୍ରତିନିଧି, ତୃଣମୂଳସ୍ତରରେ କାମ କରୁଥିବା ଆଶା କର୍ମୀ, ଅଙ୍ଗନବାଡ଼ି ଦିଦି, ଏଏନ୍ଏମ୍ ଅଥବା ଏସ୍ଏଚଜି ମହିଳା ସଦସ୍ୟା ପ୍ରତ୍ୟେକ ଏ ଦିଗରେ ଏବେ ଅଭିଜ୍ଞ, ପାରଙ୍ଗମ। ଏକ କୁଶଳ ମାନବ ସମ୍ବଳ ବାହିନୀ ଏବେ ଏଥିପାଇଁ ସୁପ୍ରସ୍ତୁତ। ଉଲ୍ଲେଖନୀୟ ଭାବେ ‘ୟସ୍’ ଥିଲା ଅନ୍ୟ ବାତ୍ୟା ଠାରୁ କିଛିଟା ଭିନ୍ନ। ଗୋଟିଏ ପଟେ ପ୍ରାକୃତିକ ବିପର୍ଯ୍ୟୟ ତ ଆରପଟେ ଥିଲା କରୋନା ମହାମାରୀ ସଂକ୍ରମଣର ଭୟ। ହେଲେ ଏହାକୁ ଡବଲ ଚ୍ୟାଲେଞ୍ଜ ଭାବି ସେହି ଅନୁସାରେ ପ୍ରସ୍ତୁତିକୁ ଆଗେଇ ନେଇଥିଲେ ଟିମ୍ ନବୀନ। ବାତ୍ୟା ଆଶ୍ରୟସ୍ଥଳରେ କୋଭିଡ୍ ଗାଇଡ୍ଲାଇନ୍ ମୁତାବକ ରହଣୀ, ଘରୋଇ ସଙ୍ଗରୋଧରେ ରହୁଥିବା କରୋନା ପଜିଟିଭଙ୍କ ପାଇଁ ସ୍ଵତନ୍ତ୍ର ଆଶ୍ରୟସ୍ଥଳର ବ୍ୟବସ୍ଥା, ସେହି ଅନୁସାରେ ଲୋକଙ୍କୁ ସ୍ବତନ୍ତ୍ର ବ୍ୟବସ୍ଥାରେ ସ୍ଥାନାନ୍ତରଣ, ଗର୍ଭବତୀ ଓ ପ୍ରସୂତିଙ୍କ ପାଇଁ ବିଶେଷ ଧ୍ୟାନ ଭଳି ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ। ଫଳରେ ଏତେ ବଡ଼ ବାତ୍ୟା ସତ୍ତ୍ବେ ୭ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ପ୍ରାୟ ୩୦୦୦ ଆଶ୍ରୟସ୍ଥଳରେ ନିରାପଦରେ ଆଶ୍ରୟ ଦିଆଯାଇ ପାରିଥିଲା। ବାତ୍ୟା ଦ୍ବାରା ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ୨୧୦୦ ଗର୍ଭବତୀଙ୍କ ନିରାପଦ ପ୍ରସବ ସକାଶେ ସେମାନଙ୍କୁ ଆଗୁଆ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ପ୍ରାୟ ୭୫୦ ଛୁଆ ବାତ୍ୟାର ବିପଦ ସତ୍ତ୍ବେ ସୁରକ୍ଷିତ ଜନ୍ମଗ୍ରହଣ କରିଥିଲେ। ୨୫ ତାରିଖ ସନ୍ଧ୍ୟାରୁ ୨୪ ଘଣ୍ଟା ମଧ୍ୟରେ ୧୦୮ ଆମ୍ବୁଲାନ୍ସ ଦ୍ବାରା ୩୩୪୯ ରୋଗୀଙ୍କୁ ସୁରକ୍ଷିତ ଭାବେ ଡାକ୍ତରଖାନାରେ ପହଞ୍ଚା ଯାଇଥିଲା। ପ୍ରବଳ ବର୍ଷା ଓ ପବନ ମଧ୍ୟରେ ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାର ୮୭୯ ରୋଗୀ ଡାକ୍ତରଖାନାରେ ପହଞ୍ଚିବା ପଛରେ ସୁନିୟନ୍ତ୍ରିତ ଡ୍ରାଇଭର, ପରିଚାଳକଙ୍କ ନେଟୱର୍କ ଦକ୍ଷତାର ସହ ଦାୟିତ୍ୱ ନିର୍ବାହ କରିଥିଲା।୧୯୯୯ରେ ୧୦ ହଜାରରୁ ଅଧିକ ମୃତ୍ୟୁ ଆଉ ୨୨ ବର୍ଷ ପରେ ମାତ୍ର ୨ ଜଣଙ୍କ ଜୀବନହାନୀ ହିଁ ଆମ ରାଜ୍ୟର ବିପର୍ଯ୍ୟୟ ମୁକାବିଲା ଦକ୍ଷତାରେ ଆକାଶ ପାତାଳ ପାର୍ଥକ୍ୟକୁ ସ୍ପଷ୍ଟ ଇଙ୍ଗିତ କରୁଛି। ଏହା ହିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଦ୍ବିତୀୟ ସଫଳତା।
ଆହୁରି ମଧ୍ୟ ବାତ୍ୟା ସମୟରେ ମୁକାବିଲା ଓ ପରେ ଥଇଥାନ ପାଇଁ ବରିଷ୍ଠ ଆଇଏଏସ୍, ଆଇପିଏସ୍, ଡାକ୍ତରଙ୍କୁ ସମ୍ପୃକ୍ତ ଜିଲ୍ଲାମାନଙ୍କୁ ପଠାଇଥିଲେ ମୁଖ୍ୟମନ୍ତ୍ରୀ। ଫଳରେ ମୁକାବିଲାରେ ନିୟୋଜିତ ଜିଲ୍ଲା ଓ ତଳସ୍ତରର ଅଧିକାରୀଙ୍କ ମନୋବଳ ବୃଦ୍ଧି ପାଇଥିଲା। ସେମାନଙ୍କ ଅଭିଜ୍ଞତା ଏ ଦିଗରେ ସହାୟକ ହୋଇଥିଲା। ଏତେ ବ୍ୟାପକ କାର୍ଯ୍ୟଭାର ସତ୍ତ୍ବେ ନିଜର ଏକ ଗୁରୁ ଦାୟିତ୍ୱକୁ ହେଳା କରି ନଥିଲେ ନବୀନ ପଟ୍ଟନାୟକ। ଅନ୍ୟ ରାଜ୍ୟକୁ ନିରନ୍ତର ଅମ୍ଲଜାନ ଟ୍ୟାଙ୍କର୍ ଯୋଗାଣ ଜାରି ରହିଥିଲା। ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି.କେ.ପାଣ୍ଡିଆନ ପ୍ରତ୍ୟକ୍ଷ ଭାବେ ତଦାରଖ କରୁଥିଲେ ଯେ ବିନା ବାଧାରେ, ଉଚିତ ସୁରକ୍ଷାରେ ଏସବୁ ଟ୍ୟାଙ୍କର ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିବ। ଶିଳ୍ପ ବିଭାଗ ମଧ୍ୟ ଅକ୍ସିଜେନ୍ ଉତ୍ପାଦନ ଅବ୍ୟାହତ ରଖିଥିଲା। ଏ ଥିଲା ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟର ଅନନ୍ୟ ଉଦାହରଣ।
ଦୂରଦ୍ରଷ୍ଟା ନବୀନ ପଟ୍ଟନାୟକ ଜାଣିସାରିଥିଲେ ଯେ ବାତ୍ୟାପ୍ରବଣ ଓଡ଼ିଶାବାସୀଙ୍କୁ ନିଜ ଦମ୍ଭରେ ହିଁ ବାରମ୍ବାର ଏହାର ମୁକାବିଲା ପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ। ସେଥିପାଇଁ ଦୀର୍ଘମିଆଦୀ ଯୋଜନା, ପ୍ରେରଣାଦାୟୀ ନେତୃତ୍ବ, ଆବଶ୍ୟକ ଅନୁଦାନ ମଞ୍ଜୁରୀ, ମାନବ ସମ୍ବଳକୁ ପ୍ରଶିକ୍ଷଣ ଆଦି ଜରିଆରେ ସେ ଏବେ ଏଭଳି ଏକ ପରିବେଶ, ପରିସ୍ଥିତି ସୃଷ୍ଟି କରି ସାରିଛନ୍ତି କି ଯେକୌଣସି ପ୍ରାକୃତିକ ବିପତ୍ତିର ସମ୍ମୁଖୀନ ହେବାକୁ ଓଡ଼ିଶା ବେଶ୍ ପ୍ରସ୍ତୁତ। କେବଳ ସରକାରୀ କଳ ନୁହେଁ, ଗୋଷ୍ଠୀଗତ ସମ୍ପୃକ୍ତି ଜରିଆରେ କିଭଳି ପ୍ରାକୃତିକ ବିପତ୍ତିକୁ ପ୍ରତିହତ କରିହେବ ସେ କ୍ଷେତ୍ରରେ ମଧ୍ୟ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିପାରିଛନ୍ତି ନବୀନ ପଟ୍ଟନାୟକ। ସିଧାସଳଖ ରାଜ୍ୟବାସୀଙ୍କୁ ଉଦବୋଧନ ଦେଇ ସେମାନଙ୍କ ମନୋବଳକୁ ମଜବୁତ କରି ଆସୁଛନ୍ତି ସେ। ସେଥିପାଇଁ ତ ଓଡ଼ିଶା କେବଳ ଜାତୀୟ ନୁହେଁ, ଅନ୍ତର୍ଜାତୀୟସ୍ତରରେ ମଧ୍ୟ ଉଚ୍ଚ ପ୍ରଶଂସିତ। ଏହାର ଅନେକ ସୀକୃତି, ସମ୍ମାନ ପାଇପାରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ।
ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଓସଡମା) ଗଠନ ହେଉ କି ଓଡ୍ରାଫ୍ ଭଳି ସୁଦକ୍ଷ ବିପର୍ଯ୍ୟୟ ମୁକାବିଲା ବାହିନୀ ଗଠନ, ପ୍ରାକ୍ ସୂଚନା ହସ୍ତଗତ ହେବାରୁ ଆରମ୍ଭ କରି ଯାହା ବି ଉପୁଡ଼ି ଭାଙ୍ଗି ଯାଇଥିବ ତାହାକୁ ସଜାଡ଼ି ଜୀବନଯାତ୍ରା ସ୍ଵାଭାବିକ କରିବା ପର୍ଯ୍ୟନ୍ତ କାର୍ଯ୍ୟକୁ ଏଭଳି ସୁବ୍ୟବସ୍ଥିତ କରାଯାଇଛି ଯେ, ଲୋକଙ୍କ ମନରେ ଆଉ ବାତ୍ୟା ନେଇ ବିଶେଷ ଆଶଙ୍କା ବା ଭୟ ରହୁନି। ବରଂ ଦୃଢ଼ ଭିତ୍ତିଭୂମି ସହ ସମସ୍ତେ ବାତ୍ୟା ମୁକାବିଲା ପାଇଁ ସଜାଗ ରହୁଛନ୍ତି। ଫାଇଲିନ୍ ମହାବାତ୍ୟା ମୁକାବିଲାରେ ଓଡ଼ିଶା ସରକାରଙ୍କ ସଫଳତାକୁ ଜାତିସଂଘ ‘ବିଶ୍ୱସ୍ତରୀୟ ସଫଳତାର କାହାଣୀ’ ବୋଲି ଦର୍ଶାଇଥିଲା।
ଫନି (୧୫୦ ବର୍ଷରେ ତୃତୀୟ ଥର ଓଡ଼ିଶା ସମ୍ମୁଖୀନ ହୋଇଥିବା ବିରଳ ଗ୍ରୀଷ୍ମ ଋତୁକାଳୀନ ମହାବାତ୍ୟା) ବେଳକୁ ରେକର୍ଡ ୧.୨ କୋଟି ଲୋକଙ୍କୁ ମାତ୍ର ୨୪ ଘଣ୍ଟାରେ ୯ ହଜାରରୁ ଅଧିକ ସୁରକ୍ଷିତ ଆଶ୍ରୟସ୍ଥଳକୁ ନେବା ଭଳି ଆହ୍ଵାନଭରା କାର୍ଯ୍ୟକୁ ସୂଚାରୁ ରୂପେ ସମ୍ପନ୍ନ କରାଯାଇ ଥିଲା। ଫଳତଃ ଧନଜୀବନ ହାନୀକୁ ଅତ୍ୟନ୍ତ ସୀମିତ କରିବାରେ ସଫଳତା ନବୀନ ପଟ୍ଟନାୟକଙ୍କ ନେତୃତ୍ବାଧୀନ ରାଜ୍ୟ ସରକାରଙ୍କ ବର୍ଷ ବର୍ଷର ପ୍ରସ୍ତୁତି ଉପରେ ଆଉ ଏକ ସଫଳତାର ମୋହର ମାରିଥିଲା। ସାରା ବିଶ୍ୱ ଦେଖିଥିଲା ରୂପାନ୍ତରିତ ଆଉ ମଜବୁତ ଓଡ଼ିଶାର ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତିର ଉଦାହରଣ। ମୁଖ୍ୟମନ୍ତ୍ରୀଙ୍କ ଜିରୋ କାଜୁଆଲିଟି (ଶୂନ ମୃତ୍ୟୁ) ଆଜି ବାସ୍ତବ ରୂପ ନେଇପାରିଛି। ସେଥିପାଇଁ ତ ଗଞ୍ଜାମ ଜିଲ୍ଲାର ଭେଙ୍କଟରାୟପୁର ଓ ଜଗତସିଂହପୁର ଜିଲ୍ଲାର ନୋଳିଆ ସାହି ‘ସୁନାମି ମୁକାବିଲା ପ୍ରସ୍ତୁତ ଗ୍ରାମ’ ଭାବେ ୟୁନେସ୍କୋ ଓସିନୋଗ୍ରାଫିକ୍ କମିଶନ୍ ଦ୍ବାରା ପୁରସ୍କୃତ ହୋଇଛି। ଗୋଷ୍ଠୀ (କମ୍ୟୁନିଟି) ସ୍ତର ପର୍ଯ୍ୟନ୍ତ ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ନେଇ ଏହା ଭାରତ ପାଇଁ ଗୌରବ ଆଣି ଦେଇଥିଲା।
ଯେଭଳି ଯୁଦ୍ଧର ସମ୍ମୁଖ ଭାଗରେ ରହି ସେନାପତି ନିଜ ସେନାକୁ ଶତ୍ରୁର ସମ୍ମୁଖୀନ ହେବାକୁ ଆଗେଇ ନିଏ, ସେହିପରି ସାରା ରାଜ୍ୟର ସର୍ବମାନ୍ୟ ନେତା ମୁଖ୍ୟମନ୍ତ୍ରୀ ନିଜେ ପ୍ରତ୍ୟକ୍ଷ ଭାବେ ପ୍ରତିଟି ସମୟରେ ବାତ୍ୟା ମୁକାବିଲାର ତଦାରଖ କରି ଆସୁଛନ୍ତି। ପ୍ରତ୍ୟକ୍ଷ ଅନୁଧ୍ୟାନରେ ପ୍ରତିଟି ଲୋକର ଜୀବନ ରକ୍ଷା ପାଇଁ ପ୍ରଶାସନିକ କଳକୁ ତତ୍ପରତାର ସହ ନିୟୋଜିତ କରାଇ ଆସିଛନ୍ତି। ସେ ଦଳୀୟ କର୍ମକର୍ତ୍ତା ହୁଅନ୍ତୁ ଅଥବା ୟୁଥ କ୍ଲବ୍, ପୁଲିସ ପ୍ରଶାସନ ଅଥବା ପଞ୍ଚାୟତ ଜନପ୍ରତିନିଧି ସମସ୍ତଙ୍କୁ ସାଥିରେ ନେଇ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ବାତ୍ୟାର ସଫଳ ମୁକାବିଲା କରି ଜିରୋ କାଜୁଆଲିଟିକୁ ବାସ୍ତବତାର ପରିଣତ କରାଇ ପାରିଛନ୍ତି ନବୀନ ପଟ୍ଟନାୟକ। ସମୟୋଚିତ ପଦକ୍ଷେପ ଜରିଆରେ ପ୍ରାକୃତିକ ବିପତ୍ତିର ମୁକାବିଲାରେ ଓଡ଼ିଶା ଗ୍ଲୋବାଲ୍ ବେଞ୍ଚମାର୍କ ସୃଷ୍ଟି କରିପାରିବା ସତରେ ଅନ୍ୟ ରାଜ୍ୟମାନଙ୍କ ସକାଶେ ଏକ ଅନୁକରଣୀୟ ନଜିର। ଆଉ ଓଡିଶାବାସୀ ଏବଂ ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟରେ ହିମାଳୟ ଭଳି ମଜବୁତ ପ୍ରାଚୀର ହୋଇ ଠିଆ ରହି ନିଜ ୪ କୋଟି ସଦସ୍ୟବିଶିଷ୍ଟ ପରିବାରକୁ ସୁରକ୍ଷା ଦେଇ ଆସୁଛନ୍ତି ସେ।
Comments are closed.