ଜୁନ୍ ଦ୍ୱିତୀୟ ସପ୍ତାହରୁ ଉପଲବ୍ଧ ହେବ ସ୍ପୁଟନିକ୍‌-ଭି, ଆପୋଲୋ ହସ୍ପିଟାଲ୍ ମାଧ୍ୟମରେ ଦିଆଯିବ ଟିକା

ନୂଆଦିଲ୍ଲୀ: କୋଭିଡ୍‌-୧୯ ବିରୋଧରେ ଭାରତରେ ଚାଲିଥିବା ଟିକାକରଣ ଅଭିଯାନରେ ଆସନ୍ତା ମାସରୁ ଆଉ ଏକ ଟିକାକୁ ସାମିଲ କରାଯିବ । ଜୁନ୍ ଦ୍ୱିତୀୟ ସପ୍ତାହରୁ ରୁଷୀୟ ଟିକା ସ୍ପୁଟନିକ-ଭି ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ ହେବ । ଏହି ଟିକା ଆପୋଲୋ ହସ୍ପିଟାଲ ମାଧ୍ୟମରେ ଦିଆଯିବ । ଆପୋଲୋ ଗ୍ରୁପ୍ ଅଫ୍ ହସ୍ପିଟାଲ୍ସର ସମଗ୍ର ଦେଶରେ ଥିବା ଶାଖାରେ ଜୁନ୍ ଦ୍ୱିତୀୟ ସପ୍ତାହରୁ ସ୍ପୁଟନିକ-ଭି ଟିକା ଲୋକଙ୍କୁ ଦିଆଯିବ । ଏହି ଟିକାର ପ୍ରତି ଡୋଜ୍ ମୂଲ୍ୟ ହେଉଛି ୧୧୯୫ ଟଙ୍କା ।

ଆପୋଲୋ ଗ୍ରୁପ୍ ଅଫ୍ ହସ୍ପିଟାଲ୍ସର ଉପାଧ୍ୟକ୍ଷା ଶୋଭନା କାମିନେନି କହିଛନ୍ତି ଯେ, ପୂରା ଦେଶରେ ୮୦ ସ୍ଥାନରେ ଆପୋଲୋ ଗ୍ରୁପ୍ ପକ୍ଷରୁ ଏଯାବତ ୧୦ ଲକ୍ଷ ଭାକ୍ସିନ୍ ଡୋଜ୍ ଦିଆଯାଇସରିଛି । ଜୁନରେ ଆମେ ପ୍ରତି ସପ୍ତାହରେ ୧୦ ଲକ୍ଷ ଟିକା ଲଗାଇବାକୁ ଲକ୍ଷ୍ୟ ରଖିଛୁ । ଜୁଲାଇରେ ଏହାର ଦୁଇଗୁଣ ଟିକା ଦିଆଯିବ ବୋଲି ସେ କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଦେଶରେ ଏବେ ଟିକାକରଣରେ ସେରମ୍ ଇନଷ୍ଟିଚ୍ୟୁଟ୍‌ର ‘କୋଭିଶିଲ୍ଡ’ ଏବଂ ଭାରତ ବାୟୋଟେକ୍‌ର ‘କୋଭାକ୍ସିନ’ ଟିକା ବ୍ୟବହାର ହେଉଛି । ଭାରତରେ ଜରୁରୀ ବ୍ୟବହାର ପାଇଁ ଅନୁମତି ପାଇବାରେ ରୁଷର ସ୍ପୁଟନିକ-ଭି ହେଉଛି ତୃତୀୟ ଟିକା ।

Comments are closed.