କେନ୍ଦ୍ରର ଘୋଷଣା: ଚଳିତ ବର୍ଷ ଶେଷ ସୁଦ୍ଧା ଦେଶର ସବୁ ଲୋକଙ୍କ ହେବ ଟିକାକରଣ

ନୂଆଦିଲ୍ଲୀ: ଟିକାକରଣ ଅଭିଯାନର ମନ୍ଥର ଗତି ନେଇ ସମାଲୋଚିତ ହୋଇଥିବା କେନ୍ଦ୍ର ସରକାର ଚଳିତ ବର୍ଷ ଶେଷ ସୁଦ୍ଧା ସବୁ ଲୋକଙ୍କ ଟିକାକରଣ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଟିକାକରଣ ନୀତି ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମାଲୋଚନାର ଜବାବରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ଏହା କହିଛନ୍ତି ।

ଟିକାକରଣ ନୀତି ନେଇ କେନ୍ଦ୍ରକୁ ସମାଲୋଚନା କରିବା ସହ ରାହୁଲ କହିଥିଲେ ଯେ, ବର୍ତ୍ତମାନ ସୁଦ୍ଧା ଦେଶର ୧୩୦ କୋଟି ଲୋକଙ୍କ ମଧ୍ୟରୁ କେବଳ ତିନି ପ୍ରତିଶତ ଲୋକଙ୍କୁ ଟିକା ଦିଆଯାଇଛି । ରାହୁଲଙ୍କର ଏହି ସମାଲୋଚନାର ଜବାବରେ ଜାଭଡେକର କହିଛନ୍ତି, ୨୦୨୧ ଡିସେମ୍ବର ସୁଦ୍ଧା ଦେଶର ସବୁ ଲୋକଙ୍କ ଟିକାକରଣ ହେଇଯିବ । ଟିକାକରଣ ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ବ୍ଲୁ ପ୍ରିଣ୍ଟ୍ ପ୍ରତି ସେ ରାହୁଲ ଗାନ୍ଧୀଙ୍କ ଧ୍ୟାନ ଆକର୍ଷଣ କରି କହିଥିଲେ, ବର୍ଷ ଶେଷ ସୁଦ୍ଧା ୧୦୮କୋଟି ଲୋକଙ୍କ ଟିକାକରଣ ହେବ । ଟିକାକରଣରେ ଭାରତ ବିଶ୍ୱର ଦ୍ୱିତୀୟ ଦ୍ରୁତତମ ଦେଶ । ରାହୁଲଙ୍କୁ ଏହା ଭୁଲିବା କଥା ନୁହେଁ । ଆମେ ଏଯାବତ୍ ୨୦ କୋଟି ଡୋଜ୍ ଦେଇସାରିଛୁ ବୋଲି ଜାଭଡେକର କହିଛନ୍ତି । ଏହାଛଡ଼ା ସେ ରାହୁଲଙ୍କୁ ଓଲଟି ଟାର୍ଗେଟ୍ କରି କହିଛନ୍ତି, ସେ ଯଦି ଟିକାକରଣର ମନ୍ଥର ଗତି ନେଇ ଚିନ୍ତିତ ତେବେ ତାଙ୍କୁ କଂଗ୍ରେସ ଶାସିତ ରାଜ୍ୟଗୁଡିକରେ ଟିକାକରଣ ସ୍ଥିତି ଉପରେ ନଜର ପକାଇବା ଉଚିତ ।

Comments are closed.