ରାଜ୍ୟ ସରକାରଙ୍କ ଦ୍ଵାରା କର୍ମଜୀବୀ ସାମ୍ବାଦିକଙ୍କୁ ଅନୁକମ୍ପା ରାଶି ଓ ଆର୍ଥିକ ସହାୟତା ପ୍ରଦାନ

ଭୁବନେଶ୍ୱର: ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ୭ ଜଣ କର୍ମଜୀବୀ ସାମ୍ବାଦିକଙ୍କୁ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ଭିନ୍ନ ଭିନ୍ନ କାରଣ ପାଇଁ ଅନୁକମ୍ପା ରାଶି ଓ ଆର୍ଥକ ସହାୟତା ବାବଦକୁ ୫୫ ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରିଛନ୍ତି । ସେଥି ମଧ୍ୟରୁ କରୋନାରେ ମୃତ୍ୟୁ ପାଇଁ ଯାଜପୁର ଜିଲ୍ଲା ‘ ମନ୍ଥନ ’ ସମ୍ବାଦପତ୍ରର ପ୍ରତିନିଧ ସ୍ୱର୍ଗତ ଅଶୋକ କୁମାର ସାହୁଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା , କେନ୍ଦୁଝର ଜିଲ୍ଲାରେ ‘ଓଡ଼ିଶା ଭାସ୍କର’ ସମ୍ବାଦପତ୍ରର ବରିଷ୍ଠ ସାମ୍ବାଦିକ ସ୍ବର୍ଗତ ଧୀରେନ୍ଦ୍ର ରାଉତଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା ଓ ବାଲେଶ୍ଵର ଜିଲ୍ଲାରେ ‘ ଇ.ପି.ଏ. ୱିକଲି’ର ପ୍ରତିନିଧ ସ୍ଵର୍ଗତ ସୋଲୋମାନ୍ ସାହୁଙ୍କ ପରିବାରକୁ ମଧ୍ୟ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯାଇଛି ।

ସୂଚନାଯୋଗ୍ୟ ଯେ ପୂର୍ବରୁ ମଧ୍ୟ ରାଜ୍ୟ ସରକାର କୋଭିଡରେ ମୃତ୍ୟୁବରଣ କରିଥିବା ୬ ଜଣ ସାମ୍ବାଦିକ କୋଭିଡ୍ ଯୋଦ୍ଧାଙ୍କ ପରିବାରଙ୍କୁ ୧୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ପ୍ରଦାନ କରିଛନ୍ତି । ଅନୁକମ୍ପା ରାଶି ପ୍ରାପ୍ତ ଦିବଙ୍ଗତ ସାମ୍ବାଦିକମାନେ ହେଉଛନ୍ତି ‘ ଇ – ନ୍ୟୁଜ୍’ର ଗଜପତି ପ୍ରତିନିଧି କେ . ସି . ରତ୍ନମ୍ , ‘ ସମାଜ’ର ଗଞ୍ଜାମ ପ୍ରତିନିଧି ପ୍ରିୟଦର୍ଶୀ ପଟ୍ଟନାୟକ , ‘ ପ୍ରମେୟ’ର ଫୁଲବାଣୀ ପ୍ରତିନିଧି ତାରିଣୀ ଚରଣ ପାଢ଼ୀ , “ ନ୍ୟୁଜ୍‌ – ୧୮’ର ଭୁବନେଶ୍ୱର ପ୍ରତିନିଧ ପ୍ରବୀର କୁମାର ପ୍ରଧାନ , ‘ ମନ୍ଥନ’ର ଖୋର୍ଦ୍ଧା ପ୍ରତିନିଧ ପ୍ରତାପ କୁମାର ଦାସ ଏବଂ ହିନ୍ଦୁସ୍ତାନ ସମାଚାର’ର ଗଜପତି ପ୍ରତିନିଧ ନବୀନ ନନ୍ଦ ଗନ୍ତାୟତ ।

ଭୁବନେଶ୍ୱରଠାରେ ନିତିଦିନ ’ ସମ୍ବାଦପତ୍ରର ପ୍ରତିନିଧ ସ୍ଵର୍ଗତ ରାଧାନାଥ ମହାପାତ୍ର ଓ ‘ ପ୍ରତିଦିନ ଖବରକାଗଜର ପ୍ରତିନିଧ ସ୍ୱର୍ଗତ ପ୍ରଭାତ କୁମାର ଦାସଙ୍କୁ ମଧ୍ୟ ମୃତ୍ୟୁ ପରେ ସେମାନଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ଅର୍ଥରାଶି ପ୍ରଦାନ କରାଯାଇଛି ।

ଏହାବାଦ ଭୁବନେଶ୍ୱରଠାରେ ମୁକ୍ତବୃତ୍ତ ସାମ୍ବାଦିକ ଭାବେ କାର୍ଯ୍ୟରତ ବରିଷ୍ଠ ସାମ୍ବାଦିକ ଅମ୍ବିକା ପ୍ରସାଦ କାନୁନ୍‌ଗୋଙ୍କ ଚିକିତ୍ସା ଖର୍ଚ୍ଚ ବାବଦକୁ ୨ ଲକ୍ଷ ଟଙ୍କା ଓ ଝାରସୁଗୁଡ଼ା ଜିଲ୍ଲାର ସମାଜ ପ୍ରତିନିଧ ଗଜେନ୍ଦ୍ର ମହାନ୍ତିଙ୍କୁ ତାଙ୍କ ପତ୍ନୀଙ୍କ ଚିକିତ୍ସା ପାଇଁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ରାଜ୍ୟ ସରକାର ପ୍ରଦାନ କରିଛନ୍ତି ।

ସୂଚନାଯୋଗ୍ୟ ଯେ , ରାଜ୍ୟ ସରକାର ବିଭିନ୍ନ ସମୟରେ କର୍ମଜୀବୀ ସାମ୍ବାଦିକଙ୍କ କେତେକ ଜଟିଳ ବ୍ୟାଧୁର ଚିକିତ୍ସା ତଥା ଅକାଳ ମୃତ୍ୟୁ ପାଇଁ ଆର୍ଥିକ ସହାୟତା ଓ ଅନୁକମ୍ପା ରାଶି ପ୍ରଦାନ କରିଆସୁଛନ୍ତି । ସାଧାରଣ କାରଣରୁ ମୃତ୍ୟୁ ପାଇଁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଥିବାବେଳେ କରୋନାରେ ମୃତ୍ୟୁ ପାଇଁ କୋଭିଡ୍ ଯୋଦ୍ଧା ଭାବେ ସେମାନଙ୍କୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏତଦ୍‌ଭିନ୍ନ କର୍ମଜୀବୀ ସାମ୍ବାଦିକଙ୍କ ପାଇଁ ରାଜ୍ୟ ସରକାର ‘ ଗୋପବନ୍ଧୁ ସାମ୍ବାଦିକ ସ୍ଵାସ୍ଥ୍ୟ ବୀମା ଯୋଜନା ଅନ୍ତର୍ଗତ ସ୍ବାସ୍ଥ୍ୟବୀମା ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଏହି ଯୋଜନାରେ ଏଯାବତ୍ ରାଜ୍ୟର ୬୯୪୪ ଜଣ ସାମ୍ବାଦିକଙ୍କୁ ଅନ୍ତର୍ଭୁକ୍ତ କରାଯାଇ ସହାୟତା ପ୍ରଦାନ କରାଯାଉଛି । ବୀମା ଯୋଜନାରେ ୨ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଉଛି ।

ସଂପ୍ରତି କୋଭିଡ୍ ଦ୍ବିତୀୟ ଲହରରେ ଜିଲ୍ଲାସ୍ତରରେ ବହୁ କର୍ମଜୀବୀ ସାମ୍ବାଦିକ କୋଭିରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିବା ବିଷୟ ସରକାରଙ୍କ ଦୃଷ୍ଟିକୁ ଆସିଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମୁତାବକ ଯୋଗ୍ୟ ସାମ୍ବାଦିକମାନଙ୍କୁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ ନିମନ୍ତେ ଆବଶ୍ୟକୀୟ ତଥ୍ୟ ସଂଗ୍ରହ କରି ଜିଲ୍ଲାପାଳଙ୍କ ସୁପାରିଶ ସହ ତୁରନ୍ତ ପ୍ରେରଣ କରିବା ପାଇଁ ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ସମସ୍ତ ଜିଲ୍ଲାର ସୂଚନା ଓ ଲୋକସଂପର୍କ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

 

Comments are closed.