ବିସିସିଆଇ ଏସ୍‌ଜିଏମ୍‌ରେ ନିଷ୍ପତ୍ତି: ଆଇପିଏଲର ଅବଶିଷ୍ଟ ମ୍ୟାଚ୍ ସେପ୍ଟେମ୍ବରରୁ ୟୁଏଇରେ ଖେଳାଯିବ

ନୂଆଦିଲ୍ଲୀ: ଆଇପିଏଲ-୧୪ର ଅବଶିଷ୍ଟ ମ୍ୟାଚ୍ ୟୁଏଇରେ ଖେଳାଯିବ । ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ପର୍ଯ୍ୟାୟ ସେପ୍ଟେମ୍ବରରୁ ଅକ୍ଟୋବର ଯାଏଁ ହେବ । ଆଜି ଅନୁଷ୍ଠିତ ବିସିସିଆଇର ସ୍ୱତନ୍ତ୍ର ସାଧାରଣ ବୈଠକ (ଏସ୍‌ଜିଏମ୍‌)ରେ ଏହି ନିଷ୍ପତ୍ତି ନିଆଯାଇଛି ।

ସ୍ଥଗିତ ଥିବା ଆଇପିଏଲର ୧୪ତମ ସିଜନର ଆହୁରି ୩୧ଟି ମ୍ୟାଚ୍ ଖେଳାଯିବାର ଅଛି । ଆଇପିଏଲ ଅବଶିଷ୍ଟାଂଶ ପାଇଁ ତାରିଖ ଘୋଷଣା ହୋଇନଥିଲେ ମଧ୍ୟ ସେପ୍ଟେମ୍ବର ୧୮ ରୁ ଅକ୍ଟୋବର ୧୦ ଯାଏଁ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ପର୍ଯ୍ୟାୟ ଅନୁଷ୍ଠିତ ହେବା ସମ୍ଭାବନା ଅଛି ।
ଏକାଧିକ ଖେଳାଳି ଓ କୋଚିଂ ଷ୍ଟାଫ୍ କରୋନା ପଜିଟିଭ୍ ହେବା ପରେ ଆଇପିଏଲ୍‌ର ୧୪ତମ ସଂସ୍କରଣକୁ ମେ ୪ରେ ଅଧାରୁ ସ୍ଥଗିତ ରଖାଯାଇଥିଲା । ସ୍ଥଗିତ ହେବା ପୂର୍ବରୁ ଆଇପିଏଲର ୨୯ଟି ମ୍ୟାଚ୍ ଖେଳାଯାଇଥିଲା ।

ଆଇପିଏଲ୍‌-୨୦୨୧ର ଅବଶିଷ୍ଟାଂଶ ଅନୁଷ୍ଠିତ କରିବାକୁ ଏସ୍‌ଜିଏମ୍‌ରେ ସବୁ ସଦସ୍ୟଙ୍କ ମଧ୍ୟରେ ସହମତି ପ୍ରକାଶ ପାଇଛି ବୋଲି ବିସିସିଆଇ କହିଛି ।

ୟୁଏଇରେ ଆଇପିଏଲର ଅବଶିଷ୍ଟାଂଶ ହେବ ବୋଲି ପୂର୍ବରୁ ନିଶ୍ଚିତ ହୋଇସାରିଥିଲା । ଆଇପିଏଲର ଗତ ସଂସ୍କରଣ ମଧ୍ୟ ୟୁଏଇରେ ସଫଳତାର ସହ ଅନୁଷ୍ଠିତ ହୋଇଥିଲା ।
ବିସିସିଆଇ ଏସ୍‌ଜିଏମ୍‌ରେ ଅକ୍ଟୋବରରେ ହେବାକୁ ଥିବା ଟି୨୦ ବିଶ୍ୱକପ୍ ଉପରେ ବି ଆଲୋଚନା ହୋଇଥିଲା । ଭାରତରେ କୋଭିଡ୍ ସ୍ଥିତି ଯୋଗୁଁ ଟି୨୦ ବିଶ୍ୱକପକୁ ଭାରତରୁ ସ୍ଥାନାନ୍ତର କରିବା ପାଇଁ ଆଇସିସି ବିଚାର କରୁଛି । ତେବେ ଏନେଇ ଆଉ କିଛି ସମୟ ଦେବାକୁ ଆଇସିସିକୁ ଅନୁରୋଧ କରାଯିବ ବୋଲି ଏସ୍‌ଜିଏମ୍‌ରେ ନିଷ୍ପତ୍ତି ହୋଇଛି । ଅକ୍ଟୋବର ବେଳକୁ କୋଭିଡ୍ ସ୍ଥିତି ସୁଧୁରି ଯାଇଥିବ ଏବଂ ଏହି ମେଗା ଇଭେଣ୍ଟ ଆୟୋଜନ କରିବାରେ କୌଣସି ଅସୁବିଧା ହେବ ନାହିଁ ବୋଲି ବିସିସିଆଇ ଆଶାବାଦୀ ଅଛି ।

Comments are closed.