କୋଭିଡ୍‌-୧୯ରେ ଅନାଥ ହୋଇଥିବା ଶିଶୁଙ୍କ ପାଇଁ ୫ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ଷ୍ଟାଲିନ୍

‌ଚେନ୍ନାଇ: କୋଭିଡ୍‌-୧୯ରେ ଉଭୟ ନିଜ ବାପା-ମା’ଙ୍କୁ ହରାଇଥିବା ଶିଶୁଙ୍କୁ ପାଞ୍ଚ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବାକୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ୍ ଘୋଷଣା କରିଛନ୍ତି । ଏହି କ୍ରମରେ କୋଭିଡ୍ କେୟାର ଲିଙ୍କ୍ ଅନ୍ତର୍ଗତ ବାଲ୍ ସ୍ୱରାଜ ପୋର୍ଟାଲରେ କୋଭିଡ୍‌-୧୯ ଯୋଗୁଁ ଅନାଥ ହୋଇଥିବା ଶିଶୁଙ୍କ ତଥ୍ୟ ଅପଲୋଡ୍ କରିବାକୁ ମଧ୍ୟ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶକୁ ନିର୍ଦ୍ଦେଶ ଦେଇଛନ୍ତି ।

ଷ୍ଟାଲିନ୍ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା କ୍ଷଣି ରାଜ୍ୟର କରୋନା ପ୍ରଭାବିତ ସବୁ ପରିବାରକୁ ୪ ହଜାର ଟଙ୍କା ସହାୟତା ରାଶି ଦେବାକୁ ମଧ୍ୟ ଘୋଷଣା କରିଥିଲେ । ଏହାପରେ ମେ ୧୨ରେ କୋଭିଡ୍ ରୋଗୀଙ୍କ ଚିକିତ୍ସା ବେଳେ ପ୍ରାଣ ହରାଇଥିବା କର୍ତ୍ତବ୍ୟରତ ଡାକ୍ତରଙ୍କ ପରିବାର ପାଇଁ ମଧ୍ୟ ଷ୍ଟାଲିନ୍ ୨୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହାଛଡ଼ା କୋଭିଡ୍‌-୧୯ରେ ପ୍ରାଣ ହରାଇଥିବା ରାଜ୍ୟର ସାମ୍ବାଦିକଙ୍କ ପରିବାର ପାଇଁ ଅନୁକମ୍ପା ରାଶି ୫ ଲକ୍ଷରୁ ୧୦ ଲକ୍ଷକୁ ବୃଦ୍ଧି କରିଥିଲେ ।

Comments are closed.