ଟ୍ୱିଟରକୁ ନୂଆ ଆଇଟି ନିୟମ ମାନିବାକୁ ପଡ଼ିବ: ହାଇକୋର୍ଟ | News Room Odisha

ଟ୍ୱିଟରକୁ ନୂଆ ଆଇଟି ନିୟମ ମାନିବାକୁ ପଡ଼ିବ: ହାଇକୋର୍ଟ

ନୂଆଦିଲ୍ଲୀ: ନୂଆ ଆଇଟି ନିୟମ ନେଇ ଭାରତ ସରକାରଙ୍କ ସହ ବିବାଦ ପରେ ଟ୍ୱିଟରକୁ ଏବେ ଦିଲ୍ଲୀ ହାଇକେର୍ଟରୁ ବଡ଼ ଝଟ୍‌କା ଲାଗିଛି । ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ, ନୂଆ ଆଇଟି ନିୟମ ଉପରେ ରୋକ୍ ଲଗାଯାଇ ନଥିବାରୁ ଟ୍ୱିଟରକୁ ଏହି ନିୟମ ମାନିବାକୁ ପଡିବ ।

ଜଷ୍ଟିସ୍ ରେଖା ପାଲ୍ଲିଙ୍କ ଖଣ୍ଡପୀଠ ଏହି ପ୍ରସଙ୍ଗରେ ଓକିଲ ଅମିତ ଆଚାର୍ଯ୍ୟଙ୍କ ଆବେଦନ ଉପରେ କେନ୍ଦ୍ର ଓ ଟ୍ୱିଟରକୁ ନିଜ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଟ୍ୱିଟର ଆଇଟି ନିୟମ ପାଳନ କରିବାକୁ ରାଜି ହେଉନାହିଁ ବୋଲି ଆବେଦନକାରୀ ନିଜ ପିଟିସନରେ ଉଲ୍ଲେଖ କରିଥିଲେ । ଅନ୍ୟପକ୍ଷେ ଟ୍ୱିଟର କୋର୍ଟଙ୍କ ଆଗରେ କହିଥିଲା ଯେ, ନୂଆ ଆଇଟି ନିୟମ ଆମେ ଅନୁପାଳନ କରୁଛୁ । ଏହି ନିୟମ ଅନୁସାରେ ଆମେ ଏକ ଅଭିଯୋଗ ନିବାରଣ ଅଧିକାରୀ ମଧ୍ୟ ନିଯୁକ୍ତ କରିଛୁ । ତେବେ ଟ୍ୱିଟରର ଏଭଳି ଦାବି ମିଛ ବୋଲି କେନ୍ଦ୍ର ସରକାର କହିଛନ୍ତି ।

କୋର୍ଟ କହିଛନ୍ତି, ନୂଆ ଆଇଟି ନିୟମ ଉପରେ କୌଣସି ସ୍ଥଗିତାଦେଶ ଜାରି କରାଯାଇ ନଥିବାରୁ ଟ୍ୱିଟରକୁ ଏହି ନିୟମ ମାନିବାକୁ ହିଁ ପଡ଼ିବ ।
ଆବେଦନକାରୀ କହିଥିଲେ ଯେ, ସେ କିଛି ଟ୍ୱିଟ୍ ଉପରେ ଟ୍ୱିଟରକୁ ଅଭିଯୋଗ କରିଥିଲେ । ହେଲେ ତାଙ୍କ ଅଭିଯୋଗ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ଏଥିରୁ ସ୍ପଷ୍ଟ ହେଉଛି ଯେ, ଟ୍ୱିଟର ନୂଆ ଆଇଟି ନିୟମକୁ ଆହୁରି ଲାଗୁ କରିନାହିଁ ।

ଡିଜିଟାଲ ମିଡିଆକୁ ନିୟନ୍ତ୍ରଣ କରିବା ଲାଗି ଫେବୃୟାରୀ ୨୫ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆ ଆଇଟି ନିୟମ ଜାରି କରାଯାଇଥିଲା । ଏହି ନିୟମ ଲାଗୁ କରିବା ପାଇଁ ସବୁ ସୋସିଆଲ ମିଡିଆକୁ ତିନି ମାସ ସମୟ ଦିଆଯାଇଥିଲା, ଯାହା ମେ ୨୬ରେ ଶେଷ ହୋଇଥିଲା । ଇତି ମଧ୍ୟରେ ଟ୍ୱିଟରକୁ ଛାଡ଼ି ଫେସବୁକ୍‌, ହ୍ୱାଟ୍‌ସଆପ୍‌, ଇନ୍‌ଷ୍ଟାଗ୍ରମ ଓ ଟେଲିଗ୍ରାମ ଭଳି ପ୍ରାୟ ସବୁ ପ୍ରମୁଖ ସୋସିଆଲ ମିଡିଆ କମ୍ପାନୀ ନୂଆ ଆଇଟି ନିୟମ ସର୍ମ୍ପକରେ କମ୍ପ୍ଲାଏନ୍ସ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ଦାଖଲ କରିଥିଲେ ।