ଦେଶଦ୍ରୋହର ସୀମା ନିରୂପଣ କରିବାର ସମୟ ଆସିଛି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦେଶଦ୍ରୋହ ଆଇନର ଅପବ୍ୟବହାର ନେଇ ସୁପ୍ରିମକୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି । ଦେଶଦ୍ରୋହର ସୀମା ନିରୂପଣ କରିବାର ସମୟ ଆସିଯାଇଛି ବୋଲି ଉଚ୍ଚତମ ନ୍ୟାୟାଳୟ କହିଛନ୍ତି । ଆନ୍ଧ୍ର ପ୍ରଦେଶର ଦୁଇଟି ତେଲୁଗୁ ନ୍ୟୁଜ୍ ଚ୍ୟାନେଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇବା ସହ କୋର୍ଟ ଏଭଳି ମନ୍ତବ୍ୟ ଦେଇଛନ୍ତି ।

ନ୍ୟୁଜ୍ ଚ୍ୟାନେଲ ‘ଟିଭି-୫’ ଏବଂ ‘ଏବିଏନ୍ ଆନ୍ଧ୍ରଜ୍ୟୋତି’ ବିରୋଧରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ସୁପ୍ରିମକୋର୍ଟ ଆନ୍ଧ୍ର ପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି ଯେ, ଆନ୍ଧ୍ର ପ୍ରଦେଶ ସରକାର ନ୍ୟୁଜ୍ ଚ୍ୟାନେଲଙ୍କ ଉପରେ ଦେଶଦ୍ରୋହ ମାମଲା ରୁଜୁ କରି ସେମାନଙ୍କ ସ୍ୱର ଦବାଇବାକୁ ଉଦ୍ୟମ କରୁଛନ୍ତି । ସମାଲୋଚକ, ସାମ୍ବାଦିକ, ସୋସିଆଲ ମିଡିଆ ୟୁଜର, ସାମାଜିକ କର୍ମୀ ଓ ନାଗରିକଙ୍କ କଣ୍ଠରୋଧ କରିବା ଓ ବାକ୍ ସ୍ୱାଧୀନତା ଉପରେ ଅଙ୍କୁଶ ଲଗାଇବା ପାଇଁ ଦେଶଦ୍ରୋହ ଆଇନ ଅଧୀନରେ ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଉଛି । ଦେଶଦ୍ରୋହ ଆଇନର ଏଭଳି ଅପବ୍ୟବହାର ଠିକ୍ ନୁହଁ ବୋଲି ଜଷ୍ଟିସ୍ ଚନ୍ଦ୍ରଚୂଡ଼ କହିଛନ୍ତି ।

ଉକ୍ତ ଦୁଇ ଚ୍ୟାନେଲର ଆବେଦନ ଉପରେ ଶୁଣାଣି କରି ଜଷ୍ଟିସ୍ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ତିନି ଜଣିଆ ଖଣ୍ଡପୀଠ ଆନ୍ଧ୍ର ସରକାରଙ୍କୁ ଚାରି ସପ୍ତାହ ଭିତରେ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

‘ଟିଭି-୫’ ଏବଂ ‘ଏବିଏନ୍ ଆନ୍ଧ୍ରଜ୍ୟୋତି’ ଚ୍ୟାନେଲ ବିରୋଧରେ ଆନ୍ଧ୍ର ସରକାର ଦେଶଦ୍ରୋହ ମାମଲା ସହ ଅନେକ ଆପରାଧିକ ମାମଲା ବି ରୁଜୁ କରିଥିଲେ । ଉକ୍ତ ଦୁଇ ଚ୍ୟାନେଲ ଆନ୍ଧ୍ରର ଶାସକ ୱାଇଏସ୍‌ଆର କଂଗ୍ରେସ ସରକାରର ଅସନ୍ତୁଷ୍ଟ ସାଂସଦ କେ.ରଘୁ ରାମଙ୍କ ଏକ ଆପତ୍ତିଜନକ ଭାଷଣର ପ୍ରସାରଣ କରିଥିଲେ । ଏଥିପାଇଁ ସେହି ଦୁଇ ଚ୍ୟାନେଲ ବିରୋଧରେ ଆନ୍ଧ୍ରର ଜଗନ ମୋହନ ସରକାର ଦେଶଦ୍ରୋହ ମାମଲା ରୁଜୁ କରିଥିଲେ । ଏହା ବିରୋଧରେ ‘ଟିଭି-୫’ ଏବଂ ‘ଏବିଏନ୍ ଆନ୍ଧ୍ରଜ୍ୟୋତି’ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ ।

Comments are closed.