ଟି୨୦ ବିଶ୍ୱକପ ଉପରେ ନିଷ୍ପତ୍ତି ନେବାକୁ ବିସିସିଆଇକୁ ଜୁନ୍ ୨୮ ଯାଏଁ ସମୟ ଦେଲା ଆଇସିସି

ନୂଆଦିଲ୍ଲୀ : ଭାରତରେ ଟି୨୦ ବିଶ୍ୱକପ୍ ହେବ ନା ୟୁଏଇ ସ୍ଥାନାନ୍ତର କରାଯିବ ସେନେଇ ନିଷ୍ପତ୍ତି ନେବାକୁ ବିସିସିଆଇକୁ ଜୁନ୍ ୨୮ ଯାଏଁ ସମୟ ଦେଇଛି ଆଇସିସି । ଭାରତରେ କୋଭିଡ୍‌-୧୯ ସ୍ଥିତି ଯୋଗୁଁ ଏହି ମେଗା ଇଭେଣ୍ଟ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ମଙ୍ଗଳବାର ଅନଲାଇନ୍ ମାଧ୍ୟମରେ ଆଇସିସି ବୋର୍ଡ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବିସିସିଆଇ ପକ୍ଷରୁ ସଭାପତି ସୌରଭ ଗାଙ୍ଗୁଲି ଓ ସମ୍ପାଦକ ଜୟ ଶାହ ପ୍ରତିନିଧିତ୍ୱ କରିଥିଲେ । ଭାରତରେ ଅକ୍ଟୋବର-ନଭେମ୍ବରରେ ଟି୨୦ ବିଶ୍ୱକପ୍ ଅନୁଷ୍ଠିତ ହେବା କାର୍ଯ୍ୟକ୍ରମ ରହିଛି । ହେଲେ ଦେଶରେ କୋଭିଡ୍‌-୧୯ର ଭୟାବହ ଦ୍ୱିତୀୟ ଲହରୀ ପରେ ଏହି ଟୁର୍ଣ୍ଣାମେଣ୍ଟ ଭାରତରେ ହେବା ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି । ଭାରତରେ ନ ହୋଇପାରିଲେ ଏହାକୁ ୟୁନାଇଟେଡ୍ ଆରବ ଏମିରେଟ୍ସ (ୟୁଏଇ)କୁ ସ୍ଥାନାନ୍ତର କରାଯିବା ସମ୍ଭାବନା ରହିଛି । କିନ୍ତୁ ଏହି ପ୍ରସଙ୍ଗ ଉପରେ ନିଷ୍ପତ୍ତି ନେବାକୁ ବିସିସିଆଇ ଅଧିକ ସମୟ ମାଗିଥିଲା । ଆଇସିସି ବୋର୍ଡ ବୈଠକରେ ମଧ୍ୟ ବିସିସିଆଇର ଅନୁରୋଧ ଗ୍ରହଣ କରାଯାଇଛି । ଭାରତରେ କୋଭିଡ୍ ସ୍ଥିତିର ଅନୁଧ୍ୟାନ ସହ ଟି୨୦ ବିଶ୍ୱକପ୍ ଉପରେ ନିଷ୍ପତ୍ତି ନେବାକୁ ଭାରତୀୟ ବୋର୍ଡକୁ ଜୁନ୍ ୨୮ ଯାଏଁ ସମୟ ଦେଇଛି ଆଇସିସି । ଆସନ୍ତା ମାସରେ ହେବାକୁ ଥିବା ଆଇସିସିର ପରବର୍ତ୍ତୀ ବୋର୍ଡ ବୈଠକରେ ବିସିସିଆଇ ନିଜ ନିଷ୍ପତ୍ତି ସମ୍ପର୍କରେ ଜଣାଇବାକୁ ପଡିବ ବୋଲି ବୈଠକରେ ଉପସ୍ଥିତ ଜଣେ ଅଧିକାରୀ କହିଛନ୍ତି ।

ଯଦି ବିସିସିଆଇ ଟି୨୦ ବିଶ୍ୱକପ ଆୟୋଜନ କରିବାରେ ଅକ୍ଷମତା ପ୍ରକାଶ କରେ, ତେବେ ଏହାକୁ ୟୁଏଇ ସ୍ଥାନାନ୍ତର କରାଯିବ ।

କୋଭିଡ୍‌-୧୯ ଯୋଗୁଁ ସ୍ଥଗିତ ଥିବା ଆଇପିଏଲର ବଳକା ମ୍ୟାଚ୍ ମଧ୍ୟ ୟୁଏଇରେ ସେପ୍ଟେମ୍ବରରୁ ଆରମ୍ଭ ହେବ । ଅକ୍ଟୋବର ୧୦ ସୁଦ୍ଧା ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟ ଶେଷ ହେବା ସମ୍ଭାବନା ରହିଛି । ଟି୨୦ ବିଶ୍ୱକପ୍ ୟୁଏଇକୁ ସ୍ଥାନାନ୍ତର ହେଲେ ମଧ୍ୟ ଏହାର ଆୟୋଜନ ଅଧିକାର ବିସିସିଆଇ ପାଖରେ ରହିବ ।

Comments are closed.