ଟିକା ନୀତି ନେଇ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ସମାଲୋଚନା, ପଚାରିଲେ ୧୮-୪୪ ବୟସର ଲୋକଙ୍କୁ କାହିଁକି ମାଗଣା ଟିକା ଦିଆଯିବନି, ଟିକା କିଣା ସମ୍ପର୍କିତ ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଟିକା ନୀତି ଉପରେ ପ୍ରଶ୍ନ ଉଠାଇବା ସହ ସୁପ୍ରିମକୋର୍ଟ କେନ୍ଦ୍ରକୁ ସମାଲୋଚନା କରିଛନ୍ତି । ୧୮-୪୪ ବୟସର ହିତାଧିକାରୀଙ୍କୁ କାହିଁକି ମାଗଣା ଟିକା ଦିଆଯାଇ ପାରିବ ନାହିଁ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି । ପ୍ରଥମ ଦୁଇ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଓ ବୟସ୍କ ଲୋକଙ୍କୁ ମାଗଣା ଟିକା ଦିଆଯାଇଥିବା ବେଳେ ୧୮-୪୪ ବୟସର ହିତାଧିକାରୀଙ୍କ ଟିକାକରଣ ପାଇଁ ଘରୋଇ ହସ୍ପିଟାଲମାନଙ୍କୁୁ ଟଙ୍କା ଆଦାୟ କରିବାକୁ ଅନୁମତି ଦିଆଯାଇଛି । କେନ୍ଦ୍ରର ଏଭଳି ଟିକା ନୀତି ମନମୁଖୀ ଓ ଅଯୌକ୍ତିକ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ।

ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଏକ ତିନି ଜଣିଆ ଖଣ୍ଡପୀଠ କହିଛନ୍ତି ଯେ, ସାମ୍ପ୍ରତିକ ସ୍ୱାସ୍ଥ୍ୟ ସଙ୍କଟରେ ଟିକାକରଣ ଜରୁରୀ । ସରକାରଙ୍କ ପାଇଁ ଏହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ । କୋର୍ଟ ୨୦୨୧-୨୨ କେନ୍ଦ୍ରୀୟ ବଜେଟ୍‌ରେ ଟିକା କିଣିବା ପାଇଁ ୩୫,୦୦୦ କୋଟି ଟଙ୍କା ମଞ୍ଜୁର ହୋଇଥିଲା । ଏହି ଅର୍ଥ କିଭଳି ଭାବେ ଖର୍ଚ୍ଚ କରାଯାଇଛି ଏବଂ ୧୮-୪୪ ବୟସର ହିତାଧିକାରୀଙ୍କ ମାଗଣା ଟିକାକରଣରେ ଏହି ଅର୍ଥ କାହିଁକି ଲାଗିପାରିବ ନାହିଁ ବୋଲି କୋର୍ଟ କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି ।

ଏଯାବତ୍ ଜନସଂଖ୍ୟାର କେତେ ପ୍ରତିଶତ ଲୋକ (ସିଙ୍ଗଲ୍ ଓ ଡବଲ ଡୋଜ୍‌)ଙ୍କ ଟିକାକରଣ ହୋଇଛି ଓ ଗ୍ରାମାଞ୍ଚଳରେ ଏହି ପ୍ରତିଶତ କେତେ ଅଛି ସେନେଇ ତଥ୍ୟ ଦେବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି । ଏହାଛଡ଼ା ଟିକା କିଣା ସମ୍ପର୍କିତ ସବୁ ତଥ୍ୟ ଓ କାଗଜପତ୍ର ଦାଖଲ କରିବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ୧୮-୪୪ ବୟସର ଲୋକଙ୍କ ଟିକାକରଣ ମେ ପହିଲାରୁ ଆରମ୍ଭ କରିବାକୁ କେନ୍ଦ୍ର ସରକାର ଅନୁମତି ଦେଇଥିଲେ । ତେବେ ଟିକା ଦରରେ ତାରତମ୍ୟ ନେଇ ପ୍ରଶ୍ନ ଉଠିଥିଲା । ଟିକା ଉତ୍ପାଦନକାରୀ କମ୍ପାନୀ ରାଜ୍ୟମାନଙ୍କୁ ଗୋଟିଏ ଦରରେ ଓ କେନ୍ଦ୍ରକୁ ଅପେକ୍ଷାକୃତ ଶସ୍ତାରେ ଟିକା ଯୋଗାଉଛନ୍ତି । ଟିକାର ଅଭାବ ମଧ୍ୟ ଟିକାକରଣ ଅଭିଯାନରେ ବାଧକ ସାଜିଛି । କେନ୍ଦ୍ର ସରକାର ଏହି ସମସ୍ୟା ଦୂର କରିବା ପରିବେର୍ତ୍ତ ରାଜ୍ୟଙ୍କୁ ବିଦେଶରୁ ନିଜ ଖର୍ଚ୍ଚରେ ଟିକା ଆଣିବାକୁ କହିଥିଲେ । କେନ୍ଦ୍ରର ଏଭଳି ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଥିଲା । କିଛି ରାଜ୍ୟ ବିଦେଶରୁ ଟିକା କିଣିବା ପାଇଁ ଗ୍ଲୋବାଲ ଟେଣ୍ଡର ବି ଜାରି କରିଥିଲେ । ହେଲେ ଫାଇଜର ଓ ମଡେର୍ଣ୍ଣା ଭଳି ବିଦେଶୀ କମ୍ପାନୀମାନେ ରାଜ୍ୟମାନଙ୍କୁ ଟିକା ବିକିବାକୁ ମନା କରିଥିଲେ । ଏ ବାବଦରେ ସେମାନେ କେବଳ କେନ୍ଦ୍ର ସହ ଆଲୋଚନା କରିବେ ବୋଲି ଏହି ଟିକା କମ୍ପାନୀ ଗୁଡିକ ସ୍ପଷ୍ଟ କରିଥିଲେ ।

Comments are closed.