ଇଂଲଣ୍ଡରେ ପହଞ୍ଚିଲା ଟିମ୍ ଇଣ୍ଡିଆ

ଲଣ୍ଡନ: ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ଓ ଘରୋଇ ଦଳ ସହ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳ ଗୁରୁବାର ସକାଳେ ଇଂଲଣ୍ଡରେ ପହଞ୍ଚିଛନ୍ତି । ପୁରୁଷ ଦଳ ସହ ଭାରତୀୟ ମହିଳା କ୍ରିକେଟ୍ ଦଳ ମଧ୍ୟ ଇଂଲଣ୍ଡ ଯାତ୍ରା କରିଛି । ମହିଳା ଦଳ ଇଂଲଣ୍ଡ ସହ ଗୋଟିଏ ଟେଷ୍ଟ ସହ ତିନୋଟି ଦିନିକିଆ ଓ ସମାନ ସଂଖ୍ୟକ ଟି୨୦ ଖେଳିବ ।

ଟିମ୍ ଇଣ୍ଡିଆ ବ୍ୟାଟ୍ସମ୍ୟାନ କେଏଲ ରାହୁଲ ଲଣ୍ଡନରେ ପହଞ୍ଚିବା ସମୟର ଏକ ଫଟୋ ଟ୍ୱିଟ୍ କରିଛନ୍ତି । ଏହି ଫଟୋରେ ସେ ବ୍ୟାଗେଜ୍ ଧରିଥିବା ବେଳେ ତାଙ୍କ ପଛପଟେ ଏକ ଚାର୍ଟର୍ଡ ଫ୍ଲାଇଟ୍ ଦେଖିବାକୁ ମିଳୁଛି ।

ଉଭୟ ପୁରୁଷ ଓ ମହିଳା ଦଳ ଲଣ୍ଡନରୁ ସିଧା ସାଉଥମ୍ପଟନ ଯିବେ । ସେଠାରେ ସେମାନଙ୍କୁ ବାଧ୍ୟତାମୂଳକ କ୍ୱାରେଣ୍ଟାଇନରେ ରହିବାକୁ ପଡିବ । ସେମାନଙ୍କ ପ୍ରତିଦିନ କୋଭିଡ୍ ଟେଷ୍ଟ ବି ହେବ ।

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ଜୁନ୍ ୧୮ରୁ ସାଉଥମ୍ପଟନରେ ଏଜିସ୍ ବାଉଲରେ ଖେଳାଯିବ । ଏହା ପରେ ଭାରତ ଘରୋଇ ଇଂଲଣ୍ଡ ସହ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ । ଏହି ସିରିଜ ଅଗଷ୍ଟ ୪ରୁ ଆରମ୍ଭ ହେବ । ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ଓ ଇଂଲଣ୍ଡ ସିରିଜ ସହ କୋଭିଡ୍‌-୧୯କୁ ଦୃଷ୍ଟିରେ ରଖି ବିସିସିଆଇ ୨୦ ଜଣିଆ ଦଳକୁ ବ୍ରିଟେନ ପଠାଇଛି ।

Comments are closed.