କୋଭିଡ ବେଳେ ଏସଟିଏସସି ଉନ୍ନୟନ ବିଭାଗର ଅଭିନବ ପଦକ୍ଷେପ : ଟେଲିଫୋନରେ ଛାତ୍ରଛାତ୍ରୀଙ୍କୁ ଦିଆଯାଉଛି ପରାମର୍ଶ

ଭୁବନେଶ୍ୱର- କୋଭିଡ ସଂକ୍ରମଣ ଯୋଗୁଁ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନନ ବିଭାଗ ଦ୍ୱାରା ପରିଚାଳିତ ସ୍କୁଲ୍ ଓ ହଷ୍ଟେଲ ବନ୍ଦ ରହିଛି । ଏଭଳି ସ୍ଥିତିରେ ସ୍କୁଲରେ ଶିକ୍ଷାଦାନ ଆରମ୍ଭ ହୋଇପାରୁନାହିଁ । ତେଣୁ ବିଭାଗ ପକ୍ଷରୁ ଅଭିନବ ପଦକ୍ଷେପ ସ୍ୱରୂପ ଛାତ୍ରଛାତ୍ରୀଙ୍କ ପାଇଁ ଟେଲିଫୋନ ଯୋଗେ ପରାମର୍ଶ କାର୍ଯ୍ୟକ୍ରମ ଆରମ୍ଭ ହୋଇ ସଫଳତାର ସହ ଚାଲୁ ରହିଛି ।

ବିଭାଗୀୟ ହଷ୍ଟେଲରେ ରହି ପାଠ ପଢୁଥିବା ୩ ଲକ୍ଷ ୫୦ ହଜାର ଏସଟି ଏସସି ଛାତ୍ରଛାତ୍ରୀ ଏବେ ଘରେ ଅଛନ୍ତି । ଏଥିମଧ୍ୟରି କେବଳ ଛାତ୍ରୀଙ୍କ ସଂଖ୍ୟା ରହିଛି ୨ ଲକ୍ଷ ୨୦ ହଜାର । ଏ ପରିପ୍ରେକ୍ଷୀରେ ସେମାନଙ୍କୁ ନିୟମିତ ଭାବେ ପରାମର୍ଶ ଦେବା ଆବଶ୍ୟକ ରହିଛି ବୋଲି ବିଭାଗ ଅନୁଭବ କରିଛି । ତେଣୁ ବିଭାଗ ପକ୍ଷରୁ ଯେଉଁ ଛାତ୍ରଛାତ୍ରୀଙ୍କ ଆବଶ୍ୟକତା ରହିଛି, ସେମାନଙ୍କୁ ମନସ୍ତାତ୍ତିକ ଓ ମାନସିକ ସହାୟତା ଯୋଗାଇ ଦେବା ସହ ସେମାନଙ୍କର ବ୍ୟବହାରିକ ପରିବର୍ତ୍ତନକୁ ଲକ୍ଷ୍ୟ କରାଯାଉଛି ।

ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଏବଂ ୟୁଏନଏଫପିଏର ବୈଷୟିକ ସହ ଯୋଗରେ ବିଭାଗୀୟ ମ୍ୟାଟ୍ରନ ଓ ନୋଡାଲ ଟିଚରମାନଙ୍କୁ ତାଲିମ ଦିଆଯାଉଛି । ସେମାନେ ଛାତ୍ରୀଙ୍କର ସେକ୍ସୁଆଲ୍ , ରିପ୍ରଡକସନ୍ ସ୍ୱାସ୍ଥ୍ୟ ପ୍ରସଙ୍ଗରେ ପରାମର୍ଶ ଦେଇପାରିବେ । ଟେଲିଫୋନ ଯୋଗେ କୋଭିଡ ଭଳି ପରିସ୍ଥିତିରେ ସେମାନଙ୍କୁ ପ୍ରେରଣା ଯୋଗାଇ ଦେଉଛନ୍ତି । ଯାହାଫଳରେ ସ୍ଥିତି ସ୍ୱାଭାବିକ ହେଲେ ସେମାନେ ସ୍କୁଲ୍ ଓ ହଷ୍ଟେଲକୁ ଆସିପାରିବେ । ଏ ନେଇ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ପକ୍ଷରୁ ଏକ ବିସ୍ତୃତ ମାର୍ଗଦର୍ଶିକା ଜାରି କରାଯାଇଛି ।

Comments are closed.