ଉପାନ୍ତ ଅଂଚଳରେ ଗମନାଗମନ ଚିନ୍ତା: ପାହାଡିଆ ରାସ୍ତାରେ ଚାଲି ଚାଲି ଦୁର୍ଗମ ଚାଷଭରଡି ଗାଁକୁ ଗଲେ ଜିଲ୍ଲାପାଳ

ସମ୍ବଲପୁର: ବିକାଶ ପାଇଁ ସମ୍ବଲପୁର ଜିଲ୍ଲାପାଳ ତାଙ୍କ ପ୍ରତିବଦ୍ଧତାର ପ୍ରମାଣ ଦେଖାଇଛନ୍ତି । ରେଢାଖୋଲ ନିର୍ବାଚନ ମଣ୍ଡଳୀରେ ରହିଥିବା ଦୁର୍ଗମ ଇଲାକାକୁ ଗମନାଗମନ ବ୍ୟବସ୍ଥା କରିବାକୁ ପ୍ରଶାସନ ଅଣ୍ଟା ଭିଡିଛି । ଏହି ପରିପ୍ରେଖୀରେ ଗୁରୁବାର ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକ୍ସେନା ନାକଟିଦେଉଳ ବ୍ଲକର ଦୁର୍ଗମ ପାହାଡି ଇଲାକାରେ ଥିବା ଚାଷଭରଡି ଗାଁକୁ ଦୀର୍ଘ ବାଟ ଚାଲି ଚାଲି ଯାଇ ପହଞ୍ଚିଛନ୍ତି । ଆଉ ବର୍ତମାନ ସୁଦ୍ଧା ଯୋଗାଯୋଗରୁ ବିଚ୍ଛିନ୍ନ ଥିବା ଏହି ଗାଁକୁ ରାସ୍ତା ନିର୍ମାଣ ସକାଶେ ପ୍ରସ୍ତାବ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି ।

ଏକଦା ମାଓ ଉପଦ୍ରୁତ ଭାବେ ପରିଚିତ ନାକଟିଦେଉଳ ବ୍ଲକର ବଲମ ପଞ୍ଚାୟତ ବର୍ତମାନ ବିକାଶର ମୁଖ୍ୟସ୍ରୋତରେ ସାମିଲ ହେବାରେ ଲାଗିଛି । ଅନେକ ଉନ୍ନୟନମୂଳକ ପ୍ରକଳ୍ପ ଏହି ପଂଚାୟତରେ ହାତକୁ ନିଆଯାଇଛି । ହେଲେ ବର୍ତ୍ତମାନ ସୁଦ୍ଧା ଏହି ପଞ୍ଚାୟତର ଶେଷ ସୀମାରେ ଥିବା ଚାଷଭରଡି ଗାଁକୁ ସବୁ ଦିନିଆଁ ରାସ୍ତା ଟିଏ ନିର୍ମାଣ ହୋଇପାରିନାହିଁ । ପଂଚାୟତ ମୁଖ୍ୟାଳୟରୁ ପ୍ରାୟ ୧୩ କିମି ଏବଂ ବ୍ଲକ ମହକୁମାରୁ ପ୍ରାୟ ୨୨ କିମି ଦୂର ଘଞ୍ଚ ଜଂଗଲ ତଥା ପାହାଡଘେରା ମଧ୍ୟରେ ଥିବା ଏହି ଗାଁକୁ ରାସ୍ତା ଟିଏ ନଥିବାରୁ ଦୀର୍ଘ ବାଟ ଚାଲି ଚାଲି ଯିବାକୁ ପଡିଥାଏ । ଫଳରେ ଲୋକେ ପିଡିଏସ୍ ସାମଗ୍ରୀରୁ ଆରମ୍ଭ କରି ପ୍ରତିଟି କାମ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇ ଆସୁଛନ୍ତି । ଆଉ ସ୍ବାସ୍ଥ୍ୟସେବା ପାଇଁ ବି ଲୋକେ ଗୁରୁତର ସମସ୍ୟା ଭୋଗୁଛନ୍ତି । ଗାଁ କୁ ୧୦୮ ଆମ୍ବୁଲାନ୍ସ ବି ଯାଇପାରୁନାହିଁ ।

ଏଭଳି ସ୍ଥିତିରେ ଜିଲ୍ଲାପାଳ ଶୁଭମ ସକ୍ସେନା ଆଜି ଉକ୍ତ ଗାଁକୁ ଚାଲି ଚାଲି ପହଞ୍ଚିଛନ୍ତି । କିଛିବାଟ ଗାଡି ଯିବା ପରେ ଆଉ ଯାଇନଥିଲା । ଫଳରେ ଶ୍ରୀ ସକ୍ସେନା ବିଡିଓ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହିତ ଦୁର୍ଗମ ପାହାଡିଆ ରାସ୍ତାରେ ଚାଲି ଚାଲି ପହଞ୍ଚିଛନ୍ତି । ଆଉ ସେଠାକୁ ଯିବା ପରେ ଗାଁ ଲୋକଙ୍କ ସହିତ ସୁବିଧା ଅସୁବିଧା ନେଇ ଆଲୋଚନା କରିଛନ୍ତି । ଏହାଛଡା ଗାଁକୁ କିପରି ସବୁ ଦିନିଆଁ ରାସ୍ତା ହୋଇପାରିବ ସେ ଦିଗରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଆଉ ତୁରନ୍ତ ଏନେଇ ପ୍ରସ୍ତାବ ଦେବାକୁ ଅନୁରୋଧ କରିଛନ୍ତି । ତେବେ ଗ୍ରାମବାସୀ ପ୍ରଥମ କରି ଜିଲ୍ଲାର ମୁଖିଆଙ୍କୁ ପାଖରେ ପାଇ ଆତ୍ମବିଭୋର ହୋଇଉଠିଛନ୍ତି ।

Comments are closed.