ସୁଧହାର ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ୍‌ | News Room Odisha

ସୁଧହାର ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ୍‌

ନୂଆଦିଲ୍ଲୀ: ରେପୋ ରେଟ୍‌, ରିଭର୍ସ ରେପୋ ରେଟ୍ ଏବଂ ଏମ୍‌ଏସ୍‌ଏଫ୍ ରେଟ୍‌କୁ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଅପରିବର୍ତ୍ତିତ ରଖିଛି । ରେପୋ ରେଟ୍ ପୂର୍ବଭଳି ୪ ପ୍ରତିଶତ ରହିଥିବା ବେଳେ ଏମ୍‌ଏସ୍‌ଏଫ୍ ରେଟ୍ ଓ ବ୍ୟାଙ୍କ୍ ରେଟ୍‌ରେ ବି କୌଣସି ପରିବର୍ତ୍ତନ ହୋଇନାହିଁ । ଏମ୍‌ଏସ୍‌ଏଫ୍ ଓ ବ୍ୟାଙ୍କ୍ ରେଟ୍ ୪.୨୫ ପ୍ରତିଶତ ରହିଛି । ସେହିପରି ରିଭର୍ସ ରେପୋ ରେଟ୍ ବି ୩.୩୫ ପ୍ରତିଶତ ରହିବ ବୋଲି ଆର୍‌ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି ।

କୋଭିଡ୍‌-୧୯ର ଦ୍ୱିତୀୟ ଲହରୀ ଏବଂ ଏହାର ମୁକାବିଲା ପାଇଁ ଦେଶର ପ୍ରାୟ ସବୁ ରାଜ୍ୟରେ ଲାଗୁ ହୋଇଥିବା ଲକ୍‌ଡାଉନ୍ ଦୃଷ୍ଟିରୁ ରିଜର୍ଭ ବ୍ୟାଙ୍କ୍ ଚଳିତ ଆର୍ଥିକ ବର୍ଷ ୨୦୨୧-୨୨ ପାଇଁ ଅଭିବୃଦ୍ଧି ହାର ସାମାନ୍ୟ ହ୍ରାସ ପାଇବ ବୋଲି ଆକଳନ କରିଛି । ଏହା ୧୦.୫%ରୁ କମାଇ ୯.୫ କରିଛି ଆର୍‌ବିଆଇ । ଆରବିଆଇ ଗଭର୍ଣ୍ଣର ଶକ୍ତକାନ୍ତ ଦାସ କହିଛନ୍ତି ଯେ, ମୌସୁମୀ ସ୍ୱାଭାବିକ ରହିଲେ ଆର୍ଥିକ ଅଭିବୃଦ୍ଧିରେ ଏହା ସହାୟକ ହେବ । ୨୦୨୧-୨୨ ଆର୍ଥିକ ବର୍ଷରେ ଖୁଚୁରା ମୁଦ୍ରାସ୍ଫୀତି ୫.୧% ରହିବ ବୋଲି ରିଜର୍ଭ ବ୍ୟାଙ୍କ୍ ଆକଳନ କରିଛି ।