ଅଲପନ୍ ବନ୍ଦୋପାଧ୍ୟାୟ ବିବାଦର ପ୍ରଭାବ: ଏଣିକି ଅବସର ପରବର୍ତ୍ତୀ ନିଯୁକ୍ତି ପୂର୍ବରୁ ଭିଜିଲାନ୍ସ କ୍ଲିୟରାନ୍ସ ଜରୁରି

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟ ଶାସନ ସଚିବ ଅଲପନ୍ ବନ୍ଦୋପାଧ୍ୟାୟଙ୍କୁ ନେଇ ବିବାଦ ଦୃଷ୍ଟିରୁ ଏବେ କେନ୍ଦ୍ରୀୟ ଭିଜିଲାନ୍ସ କମିଶନ ସବୁ ବିଭାଗକୁ ଏକ ଆଦେଶ ଜାରି କରିଛି । ଏହି ଆଦେଶରେ କୁହାଯାଇଛି ଯେ, ଅଧିକାରୀଙ୍କ ଅବସର ପରବର୍ତ୍ତୀ ନିଯୁକ୍ତି ପୂର୍ବରୁ ସମ୍ପୃକ୍ତ ବିଭାଗକୁ କେନ୍ଦ୍ରୀୟ ଭିଜିଲାନ୍ସ କମିଶନ ଠାରୁ କ୍ଲିୟରାନ୍ସ ନେବାକୁ ପଡ଼ିବ ।

କେନ୍ଦ୍ରର ଆଦେଶ ସତ୍ତ୍ୱେ ଅଲପନ୍ ବନ୍ଦୋପାଧ୍ୟାୟ ଦିଲ୍ଲୀ ଯାଇନଥିଲେ । ଦିଲ୍ଲୀରେ ନିଜ କାର୍ଯ୍ୟରେ ରିପୋର୍ଟ କରିବା ପରିବର୍ତ୍ତେ ସେ ଅବସର ଗ୍ରହଣ କରିଥିଲେ ଏବଂ ତାଙ୍କୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜର ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତ କରିଥିଲେ । ଏହି ବିବାଦ ପରେ ଏବେ ଅବସର ପରବର୍ତ୍ତୀ ନିଯୁକ୍ତି ପାଇଁ ଭିଜିଲାନ୍ସ କ୍ଲିୟାରାନ୍ସ ନେବାକୁ ବାଧ୍ୟତାମୂଳକ କରାଯାଇଛି । ଏ ବାବଦରେ କେନ୍ଦ୍ର ସରକାରଙ୍କ ଅଧୀନ ସବୁ ସଚିବାଳୟ, ରାଷ୍ଟ୍ରାୟତ୍ତ କମ୍ପାନୀ, ବ୍ୟାଙ୍କ୍ ଓ ଅନ୍ୟ ପ୍ରମୁଖ କାର୍ଯ୍ୟାଳୟକୁ ଭିଜିଲାନ୍ସ କମିଶନ ପକ୍ଷରୁ ଜାରି ହୋଇଥିବା ଆଦେଶରେ କୁହାଯାଇଛି ଯେ, କାର୍ଯ୍ୟକାଳ ପୂରା କରିବା ପୂର୍ବରୁ ଯଦି ଅନ୍ୟ କୌଣସି ପଦରେ କୌଣସି ଅଧିକାରୀଙ୍କ ନିଯୁକ୍ତି ସମ୍ପର୍କିତ ପ୍ରସ୍ତାବକୁ ଗ୍ରହଣ କରାଯାଏ, ତେବେ ଏହାକୁ ବିଶୃଙ୍ଖଳା ଭାବେ ଧରାଯିବ ।

ଅବସରପ୍ରାପ୍ତ ଅଧିକାରୀଙ୍କୁ କିଛି ସରକାରୀ ସଂଗଠନ ନିଜର ପରାମର୍ଶଦାତା କିମ୍ବା ବିଶେଷଜ୍ଞ ଭାବେ ନିଯୁକ୍ତି ଦେଉଛନ୍ତି । ତେବେ ସେମାନଙ୍କ ମଧ୍ୟରୁ କିଛି ଅଧିକାରୀଙ୍କ ଦୁର୍ନୀତି ରେକର୍ଡକୁ ସେମାନେ ଅଣଦେଖା କରିଥାଆନ୍ତି । ଏହାଦ୍ୱାରା ସମାଜକୁ ଭୁଲ ବାର୍ତ୍ତା ଯାଇଥାଏ । ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ଅଧୀନରେ ଗ୍ରୁପ୍‌-ଏ ପଦରେ କାର୍ଯ୍ୟରତ ଅଧିକାରୀଙ୍କୁ ଅବସର ପରବର୍ତ୍ତୀ ନିଯୁକ୍ତି ଦେବା ପୂର୍ବରୁ ସମ୍ପୃକ୍ତ ବିଭାଗକୁ ଭିଜିଲାନ୍ସ କମିଶନଙ୍କ ଠାରୁ କ୍ଲିୟରାନ୍ସ ନେବାକୁ ପଡିବ ।

Comments are closed.