ଚୟନକର୍ତ୍ତା ଦୌଡ଼ରେ ଶିବସୁନ୍ଦର ଦାସ | News Room Odisha

ଚୟନକର୍ତ୍ତା ଦୌଡ଼ରେ ଶିବସୁନ୍ଦର ଦାସ

ନୂଆଦିଲ୍ଲୀ – ବିସିସିଆଇ ଚୟନ କମିଟିର ତିନି ଚୟନକର୍ତ୍ତା ପଦ ପାଇଁ ଅନେକ ଦାବିଦାର ରହିଛନ୍ତି । ତେବେ ସେମାନଙ୍କ ମଧ୍ୟରୁ ଚାରିଜଣଙ୍କ ନାମ ଅଧିକ ଚର୍ଚ୍ଚା ହେଉଛି । ଏହି ଚାରି ଜଣ ପ୍ରାର୍ଥୀ ହେଲେ – ପୂର୍ବତନ ଟେଷ୍ଟ ଓପନର ତଥା ଓଡ଼ିଆ ଖେଳାଳି ଶିବସୁନ୍ଦର ଦାସ, ପୂର୍ବତନ ପେସର ଅଜିତ ଅଗରକର, ଚେତନ ଶର୍ମା ଓ ପୂର୍ବତନ ସ୍ପିନର ମନିନ୍ଦର ସିଂ ।

ଚୟନକର୍ତ୍ତା ପଦ ପାଇଁ ଆବେଦନ ଶେଷ ତାରିଖ ରବିବାର ଶେଷ ହୋଇଥିବା ବେଳେ ଏହି ଚାରି ଜଣ ଏହି ଦୌଡ଼ରେ ସର୍ବାଗ୍ରେ ରହିଛନ୍ତି ।
ତେବେ ବିସିସିଆଇ ଆଗରେ ଏକ ସମସ୍ୟା ରହିଛି । ବିସିସିଆଇ ପରମ୍ପରା ବଜାୟ ରଖି ବିଭିନ୍ନ ଜୋନର ପ୍ରତିନିଧିତ୍ୱ ଭିତ୍ତିରେ ଚୟନକର୍ତ୍ତା ମନୋନୀତ କରିବ ନା ଯୋଗ୍ୟତାକୁ ଅଗ୍ରାଧିକାର ଦେବ ଦେଖିବାକୁ ରହିଲା । ମୁଖ୍ୟ ଚନୟକର୍ତ୍ତା ସୁନୀଲ ଯୋଶୀ ଓ ହରବିନ୍ଦର ସିଂଙ୍କୁ ଜୋନ୍ ଆଧାରରେ ନିଯୁକ୍ତ କରାଯାଇଥିଲା ।

ତେବେ ବିସିସିଆଇର ନୂଆ ସମ୍ବିଧାନରେ ଜୋନ୍ ଆଧାରରେ ଚୟନକର୍ତ୍ତାଙ୍କୁ ନିଯୁକ୍ତ କରିିବା ନେଇ କିଛି ଉଲ୍ଲେଖ କରାଯାଇ ନାହିଁ । ବରଂ ଶ୍ରେଷ୍ଠ ତଥା ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି । ବିସିସିଆଇ ସୂତ୍ରରୁ ଜଣାପଡିଛି ଯେ, ଅନ୍ତର୍ଜାତୀୟ ଅଭିଜ୍ଞତା ଦୃଷ୍ଟିରୁ ଅଗରକର ଏଥର ମୁଖ୍ୟ ଚୟନକର୍ତ୍ତା ପଦ ପାଇଁ ଦାବିଦାର । ଆଉ ଏକ ସୂତ୍ର ଅନୁସାରେ ପୂର୍ବତନ ଓଡ଼ିଶା ରଣଜୀ କୋଚ୍ ଦେବାଶିଷ ମହାନ୍ତିଙ୍କୁ ମଧ୍ୟ ସିନିୟର ଚୟନ କମିଟିକୁ ପଦୋନ୍ନତି ମିଳିପାରେ । ଦେବାଶିଷ ସମ୍ପ୍ରତି ଜୁନିୟର ଚୟନ କମିଟିର ଅଧ୍ୟକ୍ଷ ଅଛନ୍ତି ।