ପ୍ରେରଣାଦାୟୀ ସମ୍ମୁଖ କୋଭିଡ୍ ଯୋଦ୍ଧା

ଲେଖକ : ପ୍ରତିଭା ନେପାକ

ସାରା ବିଶ୍ୱ ଏବେ କରୋନା ମହାମାରୀ ସଙ୍କଟ ସହ ଲଢୁଛି। ଏଇ ଲଢ଼େଇର ସମ୍ମୁଖ ଭାଗର ଯୋଦ୍ଧା ସାଜିଛନ୍ତି ଡାକ୍ତର ଓ ଅନ୍ୟାନ୍ୟ ସ୍ବାସ୍ଥ୍ୟକର୍ମୀ। ସେମାନେ ସଂକ୍ରମଣର ଶତପ୍ରତିଶତ ଆଶଙ୍କା ସତ୍ତ୍ବେ ନିଜ କର୍ତ୍ତବ୍ୟପଥରୁ ବିଚ୍ୟୁତ ହୋଇନାହାନ୍ତି। ମହାମାରୀକୁ ଚ୍ୟାଲେଞ୍ଜ ଦେବା ସହ କରି ଚାଲିଛନ୍ତି ରୋଗୀ ସେବା। ଗଞ୍ଜାମ ଜିଲ୍ଲାର ଏଭଳି କିଛି ଡାକ୍ତର, ସାସ୍ଥ୍ୟ କର୍ମୀ, କରୋନା ଡ୍ୟୁଟିରେ ନିୟୋଜିତ ସରକାରୀ କର୍ମଚାରୀ ଅନ୍ୟମାନଙ୍କ ଠାରୁ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ସାଜିଛନ୍ତି।

ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜ ହସ୍‌ପିଟାଲ ମେଡିସିନ୍ ବିଭାଗ ସହକାରୀ ପ୍ରଫେସର ଡା . ନିହାର ରଞ୍ଜନ ସାହୁ। କର୍ତ୍ତବ୍ୟନିଷ୍ଠାର ଭିନ୍ନ ଏକ ନଜିର ସୃଷ୍ଟି କରିଛନ୍ତି। ଏପ୍ରିଲ ୨୯ ତାରିଖରେ ତାଙ୍କ ପିତା ନିଶାକର ସାହୁଙ୍କ ବିୟୋଗ ଘଟିଥିଲା। ସେହିଦିନ ପୁତ୍ର ଭାବେ ନିଜ କର୍ତ୍ତବ୍ୟ ତୁଲାଇ ଅନ୍ତିମ ସଂସ୍କାର କାର୍ଯ୍ୟ କରିଥିଲେ ଡା. ନିହାର ରଞ୍ଜନ। ହେଲେ ସମାଜ ପ୍ରତି ନିଜର ବୃହତ୍ତ ଦାୟିତ୍ଵକୁ ସେ ଅଣଦେଖା କରିପାରି ନଥିଲେ। ପିତାଙ୍କ ପରଲୋକଜନିତ ଶୋକରେ ବୁଡ଼ି ରହିବା ଅପେକ୍ଷା ସେ କରୋନାର ଘଡ଼ିସନ୍ଧି ମୁହୁର୍ତ୍ତରେ ଜଣେ ଚିକିତ୍ସକ ଭାବେ ଦାୟିତ୍ଵକୁ ଅଧିକ ଗୁରୁତ୍ବ ଦେଇ ଦିନକ ପରେ କୋଭିତ୍ ଡ୍ୟୁଟିରେ ଯୋଗ ଦେଇଥିଲେ। ଏମ୍‌କେସିଜି ଡେଡିକେଟେଡ୍ କୋଭିଡ୍ ହସ୍‌ପିଟାଲରେ ପୁନଃ କାର୍ଯ୍ୟାରମ୍ଭ କରିଥିଲେ ସେ। ସେଥିପାଇଁ ତ କରୋନା ସମୟରେ ଏଭଳି ଚିକିତ୍ସକଙ୍କୁ ଲୋକେ ଦେବଦୂତ ତୁଲ୍ୟ ଗ୍ରହଣ କରୁଛନ୍ତି। ତାଙ୍କର ଏଭଳି ନିଷ୍ଠାପରତାକୁ ଉଚ୍ଚ ପ୍ରଶଂସା କରିଥିଲେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା ଜୁଲାଙ୍ଗେ।

ଏମ୍‌କେସିଜି ସହକାରୀ ପ୍ରଫେସର ଡା. ଚନ୍ଦନ କୁମାର ଗନ୍ତାୟତ, ତାଙ୍କ ଭଉଣୀ ଡା. ଇପ୍ସିତା ଗନ୍ତାୟତ ଏବଂ ତାଙ୍କ ପତ୍ନୀ ସରସ୍ବତୀ ସାମନ୍ତରା। ଗୋଟିଏ ପରିବାରର ୩ ଜଣ ଏବେ ମହାମାରୀ ମୁକାବିଲାରେ ନିୟୋଜିତ। ଡା. ଚନ୍ଦନ ୨୦୧୩ରୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ସିନିଅର ରେସିଡେଣ୍ଟ୍ ଡକ୍ଟର ଓ ଗତବର୍ଷରୁ ସହକାରୀ ପ୍ରଫେସର ଭାବେ କାର୍ଯ୍ୟ କରୁଛନ୍ତି। ନିଜ କ୍ୟାରିୟରରେ ଯେତେବେଳେ ଉଚ୍ଚ ସ୍ଥାନକୁ ଗଲେ ସେତେବେଳେ କରୋନା ସଙ୍କଟ ତାଙ୍କ ଆଗରେ ଆହ୍ବାନ ସୃଷ୍ଟି କରିଥିଲା। ହେଲେ ତାହାକୁ ଖାତିର ନକରି ଚିରାଚରିତ ଭାବେ ସେ ରୋଗୀ ସେବା ଜାରି ରଖିଛନ୍ତି। ପ୍ରଥମ ଲହରୀ ବେଳେ ଶୀତଳାପଲ୍ଲୀ ଓ ଏବେ ଏମକେସିଜି କୋଭିଡ୍ ହସ୍‌ପିଟାଲରେ କୋଭିଡ୍ ଡ୍ୟୁଟି କରି ଆସୁଛନ୍ତି। ରୋଗୀ ଓ ସେମାନଙ୍କ ପରିବାର ମଧ୍ୟରେ ଏକ ସେତୁ ସଦୃଶ କାମ କରି ମାନସିକ ଅବସାଦ ଦୂର କରିବାକୁ ପ୍ରୟାସ କରି ଆସୁଛନ୍ତି ଡା. ଚନ୍ଦନ। ଟେଲି ମେଡିସନ୍ ମାଧ୍ୟମରେ ବି ରୋଗୀଙ୍କୁ ଚିକିତ୍ସା ପରାମର୍ଶ ଦେଇ ଆସୁଛନ୍ତି। ଡା. ଇପ୍‌ସିତା ୨୦୨୦ରେ ଶୀତଳାପଲ୍ଲୀ କୋଭିଡ୍ ହସ୍‌ପିଟାଲରେ କାର୍ଯ୍ୟରତ ଥିଲେ। ଆଉ ଏବେ ଯେତେବେଳେ ବ୍ଲାକ୍ ଫଙ୍ଗସ୍ ରୋଗ ଆଉ ଏକ ଆହ୍ବାନ ଭଳି ଠିଆ ହେଲାଣି, ସେତେବେଳେ ଏଇ ଚକ୍ଷୁ ଚିକିତ୍ସକ ଜଣକ କୋଭିଡ୍ ସାଙ୍ଗକୁ କଳା କବକ ରୋଗର ମୁକାବିଲାରେ ନିୟୋଜିତ ହୋଇ ରୋଗୀଙ୍କୁ ସେବା ଯୋଗାଉଛନ୍ତି। ଡା. ଚନ୍ଦନଙ୍କ ପତ୍ନୀ ସରସ୍ଵତୀ ଯେକି ଏମ୍‌କେସିଜି ନିଦାନ ବିଭାଗରେ ସିନିୟର ରେସିଡେଣ୍ଟ ଭାବେ କାର୍ଯ୍ୟରତ, ସେ ମଧ୍ୟ ଏବେ କୋଭିଡ୍ ହସ୍‌ପିଟାଲରେ କାର୍ଯ୍ୟ କରିବାକୁ ପ୍ରସ୍ତୁତ ହେଲେଣି।

ବ୍ରହ୍ମପୁର ମହାନଗର ୱାର୍ଡ- ୧ର ଗେହ୍ଲାମଣି ସାହୁ, ସହର ଉପକଣ୍ଠ ଲୋଚାପଡ଼ା ବାପୁଜିନଗରର ରାଜେଶ୍ୱରୀ ବେହେରା, କୋଦଳା ଅଙ୍ଗାରଗାଁର ସୁଚିତ୍ରା ଜେନା, ଛଣମେରୀ ଗ୍ରାମର କବିତା ରାଉତ, ଆଡ଼ପଡ଼ାର ରଶ୍ମିତା ପ୍ରଧାନ, ରମ୍ଭା ଏନ୍ଏସିର ମିତା ବେହେରା, ହୁମ୍ମାର ସୁନିତା ସାହୁ ଓ କବିତା ବେହେରା… ଅଞ୍ଚଳ ଭିନ୍ନ ଭିନ୍ନ। ହେଲେ ଏବେ ଏମାନଙ୍କ ଗୋଟିଏ ପରିଚୟ ଏମାନଙ୍କୁ ଚର୍ଚ୍ଚିତ କରିଛି। ଏଇ ସମସ୍ତ ଆଶା କର୍ମୀ ନିଜେ ଗର୍ଭବତୀ ହୋଇ ସୁଦ୍ଧା କରୋନା ସଚେତନତା, ସ୍ୱାସ୍ଥ୍ୟ ଯାଞ୍ଚ, ଏପରିକି ବାତ୍ୟା ୟାସ୍ ମୁକାବିଲା କର୍ତ୍ତବ୍ୟକୁ ସୂଚାରୁ ରୂପେ ତୁଲାଇ ଚାଲିଛନ୍ତି। ନିଜ ଅଞ୍ଚଳରେ ଘର ଘର ବୁଲି ପ୍ରବାସୀ ଓ ସଂକ୍ରମିତଙ୍କ ସଙ୍ଗରୋଧ ବିଷୟରେ ସ୍ଵାସ୍ଥ୍ୟ ବିଭାଗକୁ ସୂଚନା ଦେବା ସାଙ୍ଗକୁ ନିୟମିତ କାର୍ଯ୍ୟ ଯଥା ପ୍ରସୂତିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ଶିଶୁଙ୍କ ଟିକାକରଣ, ଗର୍ଭବତୀଙ୍କୁ ସାଥିରେ ଡାକ୍ତରଖାନାକୁ ନେଇ ସୁରକ୍ଷିତ ଛୁଆ ଜନ୍ମ କରାଇବା ପରି ଯାବତୀୟ କାର୍ଯ୍ୟ କରି ଆସୁଛନ୍ତି ଏମାନେ। କରୋନା ସଂକ୍ରମଣ ଆଶଙ୍କାକୁ ଏଡ଼ାଇ ଏମାନେ ନିଜ କର୍ତ୍ତବ୍ୟକୁ ନିଷ୍ଠାର ସହ ତୁଲାଇ ଆସି ଏବେ ସମାଜ ପାଇଁ ଆଶାର ପ୍ରତୀକ ସାଜିଛନ୍ତି।

ପରୋକ୍ଷରେ ମଧ୍ୟ କୋଭିଡ୍ ମୁକାବିଲାରେ ସହାୟକ ଭୂମିକା ତୁଲାଇ ଆସୁଛନ୍ତି ଏଭଳି ସମ୍ମୁଖ ଯୋଦ୍ଧା। ଏମ୍‌କେସିଜି କର୍ମଚାରୀମାନେ ମୁଖ୍ୟମନ୍ତ୍ରୀଙ୍କ କୋଭିଡ୍- ୧୯ ରିଲିଫ୍ ପାଣ୍ଠିକୁ ଦାନ କରିଛନ୍ତି ୧୧ ଲକ୍ଷ ୧୨ ହଜାର ୫୮୯ ଟଙ୍କା। ଉଦ୍ଦେଶ୍ୟ ସମଗ୍ର ସମାଜ ସହ ଏକାକାର ହୋଇ ମହାମାରୀର ମୁକାବିଲାରେ ରାଜ୍ୟ ସରକାରଙ୍କୁ ସହଯୋଗ କରିବା। ଆହୁରି ମଧ୍ୟ ସେ ଜନାନା ହସ୍‌ପିଟାଲରେ ଚିକିତ୍ସାଧୀନ କୋଭିଡ୍ ପଜିଟିଭଙ୍କ ଜନ୍ମଦିନ ପାଳି ତାଙ୍କୁ ଆରୋଗ୍ୟ କରାଇ ଡାକ୍ତରଖାନାରୁ ଡିସ୍‌ଚାର୍ଜ କରିବା ହେଉ ବା ସିଟି ହସ୍‌ପିଟାଲରେ ପଜିଟିଭ୍ ମାଆ ଠାରୁ ସୁସ୍ଥ ଛୁଆକୁ ଜନ୍ମ କରାଇ ଖୁସିରେ କେକ୍ କାଟି ସେମାନଙ୍କ ମନୋବଳକୁ ମଜବୁତ୍ କରିବା ଓ ଏକ ସକରାତ୍ମକ ବାର୍ତ୍ତା ପ୍ରଦାନ କରିବା ଭଳି ଛୋଟିଆ ଛୋଟିଆ କାର୍ଯ୍ୟ କରି ଏଭଳି ସମ୍ମୁଖ ଯୋଦ୍ଧାମାନେ ପ୍ରେରଣାର ବାର୍ତ୍ତାବହ ପାଲଟିଛନ୍ତି।

ଲେଖକ ତଥା ଇତିହାସ ଗବେଷକ

Comments are closed.