ଆଇଟି ନିୟମ ନେଇ ଟ୍ୱିଟରକୁ କେନ୍ଦ୍ର ସରକାରଙ୍କ ଶେଷ ନୋଟିସ୍‌

ଆଇଟି ନିୟମ ନେଇ ଟ୍ୱିଟରକୁ କେନ୍ଦ୍ର ସରକାରଙ୍କ ଶେଷ ନୋଟିସ୍‌
ନୂଆଦିଲ୍ଲୀ: ନୂଆ ଆଇଟି ନିୟମ ପାଳନ କରିବାକୁ ନେଇ କେନ୍ଦ୍ର ସରକାର ଆଜି ଟ୍ୱିଟରକୁ ଶେଷ ନୋଟିସ୍ ପଠାଇଛନ୍ତି । ଯଦି ଟ୍ୱିଟର ଆଇଟି ନିୟମ ପାଳନ ନ କରୁଛି, ତେବେ ଭାରତୀୟ ଆଇନ ଅନୁସାରେ ଏହି କମ୍ପାନୀକୁ ଦିଆଯାଇଥିବା ରିହାତି ପ୍ରତ୍ୟାହାର କରାଯିବ ବୋଲି କେନ୍ଦ୍ର ସରକାର ଚେତବାନୀ ଦେଇଛନ୍ତି ।

କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟରକୁ ପଠାଯାଇଥିବା ନୋଟିସ୍‌ରେ କୁହାଯାଇଛି ଯେ, ଦୁଇ ଦୁଇଥର ନୋଟିସ୍ ପଠାଯିବା ସତ୍ତ୍ୱେ ଟ୍ୱିଟର ନୂଆ ଆଇଟି ନିୟମ ଲାଗୁ କରାଯିବା ନେଇ ଟ୍ୱିଟର ପକ୍ଷରୁ କିଛି ଉତ୍ତର ମିଳିନାହିଁ । ତଥାପି ଟ୍ୱିଟରକୁ ଆମେ ଏହି ଶେଷ ସୁଯୋଗ ଦେଉଛୁ । ଯଦି ଟ୍ୱିଟର ଆଇଟି ନିୟମର ଅନୁପାଳନ ନ କରେ, ତେବେ ଭାରତୀୟ ଆଇନ ଅନୁସାରେ ଟ୍ୱିଟର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଟ୍ୱିଟରକୁ ଆଇଟି ଆଇନ ଅଧୀନରେ ଦିଆଯାଇଥିବା ରିହାତି ମଧ୍ୟ ପ୍ରତ୍ୟାହାର କରାଯିବ । ତେବେ ଟ୍ୱିଟରକୁ ଏହି ନୋଟିସ୍‌ରେ ଆଇଟି ନିୟମ ପାଳନ କରିବାକୁ କିଛି ସମୟସୀମା ସମ୍ପର୍କରେ ଉଲ୍ଲେଖ କରାଯାଇ ନାହିଁ ।

ବିଜେପି ମୁଖପାତ୍ର ସମ୍ବିତ ପାତ୍ରଙ୍କ ‘କଂଗ୍ରେସ ଟୁଲକିଟ୍‌’ ସମ୍ବନ୍ଧୀୟ ପୋଷ୍ଟକୁ ଟ୍ୱିଟର ‘ମାନିପ୍ୟୁଲେଟେଡ୍ ମିଡିଆ’ ଭାବେ ଅଭିହିତ କରିବା ପରେ କେନ୍ଦ୍ର ଓ ଏହି ମାଇକ୍ରୋ ବ୍ଲଗିଂ ସାଇଟ୍ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଛି । ଏବେ ଆଇଟି ନିୟମ ନେଇ ଉଭୟଙ୍କ ମଧ୍ୟରେ ବିବାଦ ବଢ଼ିଛି ।

Comments are closed.