ଭୁବନେଶ୍ୱର ମହାନଗର ନିଗମରେ କରୋନା ମୁକାବିଲାର ବିବୄତି ଦେଲେ କମିଶନର ସଂଜୟ ସିଂ

ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ କୋଭିଡ୍ ପଜିଟିଭିଟି ହାର କମିବାରେ ଲାଗିଛି। ଏହି ଧାରା ବଜାୟ ରଖିବା ପାଇଁ ବିଏମ୍‌ସି ପକ୍ଷରୁ କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଉଛି। ଭୁବନେଶ୍ବରର ବିଭିନ୍ନ ଗହଳି ସ୍ଥାନରେ ମୋବାଇଲ୍ ଭ୍ୟାନ ଯୋଗେ ଆର୍‌ଟିପିସିଆର୍ ତଥା ଆଣ୍ଟିଜେନ୍ ଟେଷ୍ଟିଂ ବ୍ୟବସ୍ଥା କରାଯାଉଛି। ଏଥିରେ ସହଯୋଗ କରିବା ପାଇଁ ବିଏମ୍‌ସି କମିଶନର ସଞ୍ଜୟ କୁମାର ସିଂ ନାଗରିକମାନଙ୍କୁ ଅନୁରୋଧ କରିଛନ୍ତି।

ହସ୍ପିଟାଲ୍ ଶଯ୍ୟା ଏବଂ ଆଇସିୟୁ: ଭୁବନେଶ୍ବରରେ ଏବେ ୨ହଜାରରୁ ଉର୍ଦ୍ଧ୍ବ ହସ୍ପିଟାଲ୍ ବେଡ୍ ଖାଲି ପଡିଛି। ସେହିପରି ୭୫ରୁ ଅଧିକ ଆଇସିୟୁ ଖାଲି ଅଛି। ଅକ୍ସିଜେନ ସିଲିଣ୍ଡର ମଧ୍ୟ ଆବଶ୍ୟକ ଅନୁସାରେ ଉପଲବ୍ଧ ଅଛି।

ଆମ୍ବୁଲାନ୍ସ ପରିଚାଳନା: ଆମ୍ବୁଲାନ୍ସ୍ ଯୋଗାଣ ବ୍ୟବସ୍ଥାକୁ ବିକେନ୍ଦ୍ରୀକରଣ କରାଯାଇ ବିଏମ୍‌ସିର ୩ଟି ଜୋନ୍‌ରେ ଆବଶ୍ୟକ ସଂଖ୍ୟକ ଆମ୍ବୁଲାନ୍ସ ନିୟୋଜନ କରାଯାଇଛି।ସମୟାନୁସାରେ ରୋଗୀଙ୍କ ନିକଟରେ ପହଞ୍ଚିବା ପାଇଁ ଆମ୍ବୁଲାନ୍ସ ଗୁଡିକର ଜିପିଏସ୍ ସହ ସଂଯୋଗ କରାଯାଇ ଏହାର ଟ୍ରାକିଂ କରାଯାଉଛି।

ଟୀକାକରଣ ତଥ୍ୟ: ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ଜୁନ୍ ୪ ତାରିଖ ସୁଦ୍ଧା ୮ ଲକ୍ଷ ୫୭ ହଜାର ୩୩୦ ଡୋଜ୍ ଟୀକା ପ୍ରଦାନ କରାଯାଇଛି। ସେଥିମଧ୍ୟରୁ ୪୫ ବର୍ଷରୁ ଊର୍ଦ୍ଧ୍ବ  ୩ ଲକ୍ଷ ୩୮ ହଜାର ୪୬୩ ଜଣ ନାଗରିକଙ୍କୁ ୧ମ ଡୋଜ୍ ଏବଂ ଏହି ବର୍ଗର ୨ଲକ୍ଷ ୧୧ ହଜାର ୮୯୦ ଜଣ ନାଗରିକଙ୍କୁ ୨ୟ ଡୋଜ୍ ଟୀକା ଦିଆଯାଇଛି। ୧୮ରୁ ୪୪ ବର୍ଷ ବୟସର ୧ ଲକ୍ଷ ୭୦ ହଜାର ୧୪୦ ଜଣ  ନାଗରିକଙ୍କୁ ୧ମ ଡୋଜ୍ ଟୀକା ଦିଆଯାଇଛି। ଖୁବ୍ ଶୀଘ୍ର ଏହି ବର୍ଗର ନାଗରିକମାନଙ୍କୁ ଟୀକା ପ୍ରଦାନ କରିବା ପାଇଁ ବ୍ୟବସ୍ଥା କରାଯାଉଛି। ବିଭିନ୍ନ ବର୍ଗର ନାଗରିକ, ଯେଉଁମାନେ ୧ମ ଡୋଜ୍ ଟୀକା ନେଇସାରିଛନ୍ତି ସେମାନଙ୍କୁ ନିର୍ଦ୍ଧାରିତ ସମୟ ଅନୁସାରେ ୨ୟ ଡୋଜ୍ ଟୀକା ନିଶ୍ଚିତ ଭାବରେ ପ୍ରଦାନ କରାଯିବ ବୋଲି ବିଏମ୍‌ସି କମିଶନର କହିଛନ୍ତି।

ଅକ୍ସିଜେନ ପରିଚାଳନା ବ୍ୟବସ୍ଥା: ଉଭୟ ସରକାରୀ ତଥା ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଅକ୍ସିଜେନ ଆବଶ୍ୟକ ତୁଳନାରେ ଯଥେଷ୍ଟ ଅଧିକ ରହିଛି। ବିଏମ୍‌ସି ପକ୍ଷରୁ ଅକ୍ସିଜେନ କନ୍‌ସେନଟ୍ରେଟର୍ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ବିଏମ୍‌ସି ଅଞ୍ଚଳ ପାଇଁ ୧୦୦ଟି କନ୍‌ସେନଟ୍ରେଟର୍ ମିଳିଛି। ନାଗରିକମାନଙ୍କୁ ଏହାର ସଠିକ୍ ଉପଯୋଗ ପ୍ରାପ୍ତ କରାଇବା ପାଇଁ ବିଏମ୍‌ସି ପକ୍ଷରୁ ଏକ ସ୍ବତନ୍ତ୍ର ଆପ୍ ବିକଶିତ କରାଯାଇଛି। ଏହି ଆପ୍ ମାଧ୍ୟମରେ ଲୋକମାନେ ଘରେ ବସି କନ୍‌ସେନଟ୍ରେଟର୍ ବୁକ୍ କରିପାରିବେ।

ବିଏମ୍‌ସି କମିଶନରଙ୍କ ଅନୁରୋଧ: ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କୋଭିଡ୍ ନିର୍ଦ୍ଦେଶାବଳୀ ଅନୁପାଳନ କରନ୍ତୁ। ସଟ୍‌ଡାଉନ୍ ଏବଂ ଲକଡାଉନ୍ ଯୋଗୁ ପଜିଟିଭିଟି ହାର କ୍ରମାଗତ ଭାବରେ କମ୍ ହେବାରେ ଲାଗିଛି। କୋଭିଡ୍ ନିର୍ଦ୍ଦେଶାବଳୀ ଭଙ୍ଗ କରୁଥିବା ବ୍ୟକ୍ତି ବିଶେଷ ତଥା ଅନୁଷ୍ଠାନ ବିରୁଦ୍ଧରେ କଡା କାର୍ଯାନୁଷ୍ଠାନ ଗ୍ରହଣ କରାଯିବ। ସତର୍କତା ଅବଲମ୍ବନ, ସୁରକ୍ଷିତ ରୁହନ୍ତୁ।

Comments are closed.