ଆଶ୍ବସ୍ତ ହେଲେ ବସନ୍ତପୁର ଅଞ୍ଚଳର ଚାଷୀ ଆରମ୍ଭ ହେଲା ପଞ୍ଜିକରଣ

ସମ୍ବଲପୁର : ସମ୍ବଲପୁର ଜିଲ୍ଲାର ଧନକଉଡ଼ା ବ୍ଲକର ବସନ୍ତପୁର ପଞ୍ଚାୟତବାସୀଙ୍କ ଧାନ ବିକ୍ରି କରିବା ନେଇ ଥିବା ସବୁ ସମସ୍ୟାର ସମାଧାନ ହୋଇଛି । ଏହି ସମଗ୍ର ପଞ୍ଚାୟତର ଜମି ଜଳସଂପଦ ବିଭାଗ ଅଧୀନରେ ଥିବାରୁ ଏମାନଙ୍କ ପଞ୍ଜିକରଣରେ ସମସ୍ୟା ଉପୁଜିଥାଏ । ଏବର୍ଷ ମଧ୍ୟ ଏଠିକାର ଚାଷୀ ପଞ୍ଜିକରଣ କରିନପାରି ଧାନ ବିକିବାରୁ ବଞ୍ଚିତ ହେଉଥିଲେ । ହେଲେ ଏନେଇ ପ୍ରଶାସନ ଅବଗତ ହେବା ପରେ ପୁଣି ଯୋଗାଣ ବିଭାଗ ତ୍ବରିତ ପଦକ୍ଷେପ ନେଇଛି । ଆଉ ଏହି ପଞ୍ଚାୟତବାସୀଙ୍କ ପଞ୍ଜିକରଣ ଆରମ୍ଭ ହୋଇଛି । ଫଳରେ ଚଳିତ ରବି ଋତୁରେ ଏହି ଅଞ୍ଚଳର ଚାଷୀ ସେମାନଙ୍କ ଧାନ ବିକିବାକୁ ସମର୍ଥ ହୋଇଥିବାରୁ ପ୍ରଶାସନକୁ କୃତଜ୍ଞତା ଜଣାଇଛନ୍ତି ।

ହୀରାକୁଦ ବନ୍ଧ ନିର୍ମାଣ ସମୟରୁ ବସନ୍ତପୁର ପଞ୍ଚାୟତ ଅଧିଗୃହୀତ ହୋଇଥିଲା । ହେଲେ ପଞ୍ଚାୟତର ଅଧିକାଂଶ ଜମି ବର୍ତ୍ତମାନ ସୁଦ୍ଧା ସରକାର ବ୍ୟବହାରକୁ ଆଣିନଥିବାରୁ ଚାଷୀମାନେ ପୂର୍ବ ଭଳି ଚାଷ ବାସ କରି ଜୀବିକା ନିର୍ବାହ କରି ଆସୁଛନ୍ତି । ତେବେ , ନିଜସ୍ବ ପଟ୍ଟା ନଥିବାରୁ ଏମାନେ ମଣ୍ଡିରେ ନିଜ ଧାନ ବିକିବାରେ ସମସ୍ୟା ସୃଷ୍ଟି ହୋଇଥାଏ । ହେଲେ ପ୍ରତିବର୍ଷ ପ୍ରଶାସନ ସତନ୍ତ୍ର ପଦକ୍ଷେପ ନେଇ ଏମାନଙ୍କ ପଞ୍ଜିକରଣ କରାଇଥାଏ । ଆଉ ଏବର୍ଷ ମଧ୍ୟ ଯୋଗାଣ ବିଭାଗ ପକ୍ଷରୁ ଏଠିକାର ଚାଷୀଙ୍କ ପଞ୍ଜିକରଣ କରିବାକୁ ଗତକାଲି ନିର୍ଦ୍ଦେଶ ଦିଆଯିବା ପରେ ଆଜିଠାରୁ ପଞ୍ଜିକରଣ ଆରମ୍ଭ ହୋଇଛି । ଫଳରେ ଚାଷୀମାନେ ଆଶ୍ବସ୍ତ ହୋଇଛନ୍ତି । ଏହାଦ୍ଵାରା ଏହି ପଞ୍ଚାୟତର ପ୍ରାୟ ୧୦ ହଜାର ଚାଷୀ ଉପକୃତ ହେବେ ବୋଲି ଜଣାପଡିଛି ।

Comments are closed.