କରୋନା ମୁକାବିଲା: ପଶ୍ଚିମ ଓଡ଼ିଶାରେ ସୁସ୍ଥ ସଂଖ୍ୟା ୯୪ ପ୍ରତିଶତକୁ ବୃଦ୍ଧି, ୬ ପ୍ରତିଶତ ତଳକୁ ଖସିଲା ସକ୍ରିୟ ରୋଗୀ ସଂଖ୍ୟା

ସମ୍ବଲପୁର : ସଫଳ ରଣନୀତି ଯୋଗୁଁ ସମଗ୍ର ପଶ୍ଚିମ ଓଡିଶାରେ କରୋନା ଏକପ୍ରକାର ନିୟନ୍ତ୍ରଣକୁ ଆସିଲାଣି । ପଶ୍ଚିମ ଓଡିଶାର ୧୦ଟି ଜିଲ୍ଲାରେ ସଂକ୍ରମଣ ହାର ଯେଉଁଠି ୩ ସପ୍ତାହ ତଳେ ୩୦ ପାଖାପାଖି ଥିଲା , ଏବେ ସେଇଠି ସବୁ ଜିଲ୍ଲାରେ ୮ ପ୍ରତିଶତ ତଳକୁ ଖସି ଗଲାଣି । ସେହିପରି ଆରୋଗ୍ୟ ହାର ୯୪ ପ୍ରତିଶତରୁ ଉର୍ଦ୍ଧ୍ବ ହୋଇଥିବାରୁ ଏହା ବଡ଼ ଆଶ୍ଵସ୍ତିର କାରଣ ହୋଇଛି । ସବୁଠାରୁ ଉଲ୍ଲେଖନୀୟ କଥା ହେଉଛି ଯେ , ଏହି ସବୁ ଜିଲ୍ଲାରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ବି ୬ ପ୍ରତିଶତ ତଳକୁ ଖସିଲାଣି । ତଥାପି ବର୍ତ୍ତମାନ କୌଣସି ଅବହେଳା ନ କରି ପୂର୍ବପରି ସତର୍କତା ଅବଲମ୍ବନ କରିବା ଜରୁରୀ ବୋଲି ପ୍ରଶାସନ ପକ୍ଷରୁ ଆହ୍ବାନ ଦିଆଯାଇଛି ।

ଗତକାଲି ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ , ପଶ୍ଚିମ ଓଡିଶାର ସମସ୍ତ ଜିଲ୍ଲାରେ ସଂକ୍ରମଣରୁ ଆରମ୍ଭ କରି ସୁସ୍ଥହାର ଏବଂ ସକ୍ରିୟ ରୋଗୀଙ୍କ ସଂଖ୍ୟା ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି । ସମ୍ବଲପୁର ଜିଲ୍ଲାରେ ଶନିବାର ୧୦୭ ଜଣ ଚିହ୍ନଟ ହୋଇଥିବା ବେଳେ ଗତକାଲି ୧୦୩ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ୩୦୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏଠାରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ୯୪.୦୪ ପ୍ରତିଶତ ରହିଛି । ଆଉ ସକ୍ରିୟ ରୋଗୀ ସଂଖ୍ୟା ୫.୧୭କୁ ଖସିଛି । ସେପଟେ , ଗତକାଲି ବରଗଡରେ ୧୬୪ ଚିହ୍ନଟ ହୋଇଥିବା ବେଳେ ୩୨୧ ଜଣ ସୁସ୍ଥ ହୋଇଛନ୍ତି । ବଲାଙ୍ଗୀରରେ ୮୩ ଚିହ୍ନଟ ହୋଇଥିବା ବେଳେ ୯୦ ସୁସ୍ଥ ହୋଇଛନ୍ତି । ବୌଦ୍ଧରେ ୧୧୨ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୪ ଜଣ ସୁସ୍ଥ ହୋଇଛନ୍ତି । ଦେବଗଡରେ ନୂତନ ସଂକ୍ରମିତଙ୍କ ସଂଖ୍ୟା ୨୯କୁ ଖସିଥିବା ବେଳେ ୬୨ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଝାରସୁଗୁଡାରେ ୮୬ ଚିହ୍ନଟ ହୋଇଥିବା ବେଳେ ୮୬ ଜଣ ଆରୋଗ୍ୟ ହୋଇଛନ୍ତି । କଳାହାଣ୍ଡିରେ ୮୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୪୭ ଜଣ ସୁସ୍ଥ ହୋଇଛନ୍ତି । ନୂଆପଡାରେ ସଂକ୍ରମିତଙ୍କ ସଂଖ୍ୟା ୩୬କୁ ଖସିଥିବା ବେଳେ ୫୦ ଜଣ ଆରୋଗ୍ୟ ହୋଇଛନ୍ତି । ସେହିପରି ସୋନପୁରରେ ୫୨ ଜଣ ଚିହ୍ନଟ ହୋଇଥିବା ବେଳେ ୧୫୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ମୋଟ୍ ଉପରେ ୧୦ଟି ଜିଲ୍ଲାର ଆରୋଗ୍ୟ ହାର ବି ୯୪ ପ୍ରତିଶତ ଉପରେ ରହିଛି ।

ଆଉ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ଯେ , ରାଜ୍ୟର ଅନ୍ୟତମ ହଟସ୍ପଟ ଜିଲ୍ଲା ଭାବେ ବିବେଚିତ ହେଉଥିବା ସୁନ୍ଦରଗଡରେ ସଂକ୍ରମଣ ୩ ସପ୍ତାହ ତଳେ ୨ ହଜାର ଟପିଥିବା ବେଳେ ବର୍ତ୍ତମାନ ଏହା ମାତ୍ର ୨୭୨କୁ ଖସି ଆସିଲାଣି । ଆଉ ଏଠାରେ ୧୮୧ ଜଣ ଆରୋଗ୍ୟ ଲାଭ କରିଛନ୍ତି । ମୋଟ୍ ଉପରେ କହିବାକୁ ଗଲେ ଛତିଶଗଡର ସଂକ୍ରମଣ ଯୋଗୁଁ ପଶ୍ଚିମ ଓଡିଶାର ସ୍ଥିତି ବିପନ୍ନ ହୋଇଥିଲା । ହେଲେ ସୁଚିନ୍ତିତ ପଦକ୍ଷେପ ଯୋଗୁଁ ଛତିଶଗଡ ଠାରୁ ବହୁତ୍ କମ୍ ସମୟ ମଧ୍ୟରେ ଏଠାରେ କରୋନାକୁ ନିୟନ୍ତ୍ରଣକୁ ଅଣାଯାଇପାରିଛି ।

Comments are closed.