୫-ଟି ହାଇସ୍କୁଲ ଟ୍ରାନ୍ସଫର୍ମେସନ… ସ୍ମାର୍ଟ କ୍ଲାସରେ ହେବ ଯୁଗପଯୋଗୀ ଶିକ୍ଷାଦାନ

ପୁରୁଣା କାଳିଆ କୋଠା ନଥିବ କି ନଥିବ କାନ୍ଥରେ କଳା ରଙ୍ଗ ଲିପା ବ୍ଲାକ୍ ବୋର୍ଡ। ଚିରା ମଲାଟ ଲାଗିଥିବା ବହି ଥାକ ଥାକରୁ ଖୋଜି ଧାଡ଼ିରେ ଠିଆ ହୋଇଥିବା ପିଲାଙ୍କ ନାମ ଲେଖି ଦେବା ଆଉ ଦରକାର ପଡ଼ିବନି। ତଳେ ବସିବେନି ଛାତ୍ରଛାତ୍ରୀ କିମ୍ବା ଶ୍ରେଣୀ କୋଠରୀରୁ ଦୂରକୁ ଯାଇ ନଳକୂପ, ପାଇପରୁ ପାଣି ପିଇବା ଆବଶ୍ୟକ ପଡ଼ିବନି। ବରଂ ସ୍ମାର୍ଟ କ୍ଲାସର ଚକାଚକ ଶ୍ରେଣୀ କକ୍ଷରେ ବସି ପିଲାଏ ଡିଜିଟାଲ୍ ମାଧ୍ୟମରେ ପଢ଼ିବେ। ପାଇବେ ଯୁଗପଯୋଗୀ ଶିକ୍ଷାଦାନ। ସୁନ୍ଦର ଫର୍ଣ୍ଣିଚରରେ ସୁସଜ୍ଜିତ ରିଡିଂ ରୁମରେ ବସି ପଢ଼ିବେ। ଆବଶ୍ୟକ ହେଲେ କମ୍ପ୍ୟୁଟରରୁ ଇ- ଲର୍ଣ୍ଣିଂ ଜରିଆରେ ଆବଶ୍ୟକ ଶିକ୍ଷା ଗ୍ରହଣ କରିବେ। ଶ୍ରେଣୀ କକ୍ଷ ହେଉ କି ଗୁନ୍ଥାଗାର, ଉଜ୍ଜ୍ବଳ ଏଲଇଡି ଆଲୋକ, ପଙ୍ଖା, ସୁନ୍ଦର କବାଟ ଝରକା ଲାଗିଥିବ। ବିଜ୍ଞାନାଗାର (ଲ୍ୟାବ୍) ଉନ୍ନତ ଯନ୍ତ୍ରପାତିରେ ସଜାଇ ହୋଇ ରହିଥିବ। ଶୃଙ୍ଖଳା ଆଉ ସ୍ବଚ୍ଛନ୍ଦରେ ଶିକ୍ଷାଦାନ ଓ ଶିକ୍ଷାଗ୍ରହଣ ହେବ। ଏଭଳି ହେଲେ କାହିଁକି ବା ଛାତ୍ରଛାତ୍ରୀ ସ୍କୁଲକୁ ନିୟମିତ ଦୌଡ଼ି ନଆସିବେ।

ପିଲାଏ ପଢ଼ିବେ, ଦେଶ ଓ ସମାଜକୁ ଗଢ଼ିବେ। ଏ ରାଜ୍ୟର ଓ ଏ ଜାତିର ଟେକ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ରଖିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ସଚିବ ଭି.କେ.ପାଣ୍ଡିଆନ୍‌ଙ୍କ ଦୂରଦୃଷ୍ଟି ସମ୍ପନ୍ନ ଏହି ଯୋଜନାର ସୁଫଳ ଏବେ ଗଞ୍ଜାମ ଜିଲ୍ଲା ସମେତ ସାରା ରାଜ୍ୟରେ ଦେଖିବାକୁ ମିଳିଲାଣି। ବଦଳିବାରେ ଲାଗିଲାଣି ସ୍କୁଲ କ୍ୟାମ୍ପସ୍। ସବୁଜ ଆଉ ସୁନ୍ଦର ସାଙ୍ଗକୁ ଉନ୍ନତ ହେଲାଣି। ଭଙ୍ଗା ଦଦରା କାଠ ଓ ପ୍ଲାଷ୍ଟିକ୍ ଚେୟାର ବେଞ୍ଚ ବଦଳରେ ଏଣିକି ପିଲାଏ ସ୍ମାର୍ଟ / ଡିଜିଟାଲ୍ କ୍ଲାସ୍ ରୁମରେ ପଢ଼ିବେ ଯୁଗପଯୋଗୀ ଶିକ୍ଷା। ‘ମଧୁ’ ଓ ‘ଦୀକ୍ଷା’ ଭଳି ଆପ୍ ପିଲାଙ୍କୁ ଡିଜିଟାଲ୍ ପାଠପଢ଼ାରେ ସହାୟକ ହେବ। ଗ୍ରନ୍ଥାଗାରରେ ରହିବ ବହି, ପତ୍ରିକା, ଖବରକାଗଜ ସାଙ୍ଗକୁ ବ୍ରଡବ୍ୟାଣ୍ଡ୍ ଇଣ୍ଟରନେଟ୍ ସଂଯୋଗ ଥିବା କମ୍ପ୍ୟୁଟର୍ ଯେଉଁଠି ପିଲାଏ ଇ-ଲାଇବ୍ରେରୀ ଜରିଆରେ ଦେଶ ବିଦେଶରୁ ଜ୍ଞାନ ଆହରଣ କରିପାରିବେ। ଆଧୁନିକ ବିଜ୍ଞାନାଗାର, ସୁନ୍ଦର ଓ ସ୍ଵଚ୍ଛ ଶୌଚାଳୟ, ଉନ୍ନତ କ୍ରୀଡ଼ାଙ୍ଗନରେ ବିଭିନ୍ନ ଖେଳକୁଦର ସୁବିଧା ପାଇବେ ଛାତ୍ରଛାତ୍ରୀ। ଏଥିସହ ପରବର୍ତ୍ତୀ ସମୟରେ ବିଦ୍ୟାଳୟ ପାଚେରୀ, ରୋଷେଇ ଓ ଖାଇବା ଘର ଆଦିର ମଧ୍ୟ ବିକଶିତ କରାଯିବ।

ଆଜିର ହାଇସ୍କୁଲ ଛାତ୍ରଛାତ୍ରୀ ଆଗାମୀ ଦିନରେ ସୁଶିକ୍ଷିତ ଯୁବ ପୀଢ଼ି ଏବଂ ଭବିଷ୍ୟତରେ ଏ ଜାତି, ରାଜ୍ୟ ଓ ଦେଶର ସୁନାଗରିକ ଭାବେ ନିଜକୁ ସୁପ୍ରସ୍ତୁତ କରିପାରିବେ, ସେଥିପାଇଁ ଏଭଳି ଏକ ଉନ୍ନତ ଭବିଷ୍ୟତ ପାଇଁ ମୁଖ୍ୟମନ୍ତ୍ରୀ ଓ ୫-ଟି ସଚିବ ରାଜ୍ୟରେ ହାଇସ୍କୁଲ ଶିକ୍ଷା ବ୍ୟବସ୍ଥାରେ ଆଖିଦୃଶିଆ ପରିବର୍ତ୍ତନ ଆଣିବାରେ ଲାଗିଛନ୍ତି। ତଥାକଥିତ ଘରୋଇ ଇଁରାଜୀ/ ଓଡ଼ିଆ ମାଧ୍ୟମ ବ୍ୟୟବହୁଳ ବିଦ୍ୟାଳୟର ସମସ୍ତ ସୁବିଧା ସୁଯୋଗ ସରକାରୀ ଶିକ୍ଷାନୁଷ୍ଠାନରେ ପିଲାଏ ବିନା ବ୍ୟୟରେ ସହଜରେ ହାସଲ କରିପାରିବେ ସେହି ଉଦ୍ଦେଶ୍ୟ ରହିଛି। ୫-ଟି ହାଇସ୍କୁଲ ଟ୍ରାନ୍ସଫର୍ମେସନ୍ ଅନ୍ତର୍ଗତ ବିଦ୍ୟାଳୟ ପରିସର ଏବେ ଆନନ୍ଦମୟ ଶିକ୍ଷାର କେନ୍ଦ୍ର ପାଲଟିବାକୁ ଯାଉଛି। ଗଞ୍ଜାମ ଜିଲ୍ଲାରେ ୧୧୧ଟି ଉଚ୍ଚବିଦ୍ୟାଳୟ ଓ ପ୍ରତି ବ୍ଲକ୍‌ରେ ଥିବା ଗୋଟିଏ ଲେଖାଏଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ତଥା ମୋଟରେ ୧୩୩ଟି ସ୍କୁଲକୁ ମଡେଲ ସ୍କୁଲରେ ପରିଣତ କରାଯିବା ପ୍ରକ୍ରିୟା ଜୋରସୋରରେ ଆଗେଇ ଚାଲିଛି। ସାରା ରାଜ୍ୟରେ ଏଭଳି ୧୦୦୦ଟି ମଡେଲ ସ୍କୁଲ ଆସନ୍ତା ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରୁ ବିଧିବଦ୍ଧ ଭାବେ କାର୍ଯ୍ୟାରମ୍ଭ କରିବ ବୋଲି ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର।

ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନର ବାର୍ତ୍ତାବାହକ ସାଜିବ ଏହି ମଡେଲ ସ୍କୁଲ। ଆଉ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ତାଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିଆନ୍ ନିଜେ ବିଭିନ୍ନ ଜିଲ୍ଲାକୁ ନିୟମିତ ବ୍ୟବଧାନରେ ଗସ୍ତ କରି ୫-ଟି ହାଇସ୍କୁଲ ଟ୍ରାନ୍ସଫର୍ମେସନ୍ ପ୍ରକ୍ରିୟାର ପ୍ରତ୍ୟକ୍ଷ ତଦାରଖ ସହ ପ୍ରସ୍ତୁତିକୁ ତ୍ବରାନ୍ବିତ କରି ଚାଲିଛନ୍ତି। ଧାର୍ଯ୍ୟ ସମୟ ପାଖେଇ ଆସୁଥିବାରୁ ଜିଲ୍ଲା ପ୍ରଶାସନ ମଧ୍ୟ ପ୍ରତି ସପ୍ତାହରେ ଏହାର ସମୀକ୍ଷା କରୁଛନ୍ତି। ଏବେତ କରୋନା ସଂକ୍ରମଣ ରାଜ୍ୟରେ ଲଗାତାର ତଳମୁହାଁ ହୋଇ ଚାଲିଛି। କଲେଜ ଓ ବିଶ୍ବବିଦ୍ୟାଳୟସ୍ତରରେ ଅନ୍‌ଲାଇନ୍ କ୍ଲାସ୍ ଆରମ୍ଭ ହୋଇସାରିଥିବା ବେଳେ ଶୀଘ୍ର ଗତବର୍ଷ ଭଳି ଚଳିତ ଥର ଦଶମ ଓ ନବମ ଶ୍ରେଣୀର ଶିକ୍ଷାଦାନ ବା ଅନ୍‌ଲାଇନ୍ କ୍ଲାସ୍ ଆରମ୍ଭ ହେବାର ଆଶା କରାଯାଉଛି। ଆଉ ପିଲାଏ ଯେତେବେଳେ ନିଜ ବିଦ୍ୟାଳୟକୁ ଯାଇ ସାର୍ଟ କ୍ଲାସ୍ ଅନୁଭୂତି ସାଉଁଟିବେ ସେମାନେ ନିଜକୁ ଏହି ଦଶନ୍ଧିର ସରକାରୀ ଶିକ୍ଷାନୁଷ୍ଠାନରେ ଶ୍ରେଷ୍ଠ ସୁବିଧା ପାଉଥିବା ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ପରିଗଣିତ କରିବେ ନିଶ୍ଚିତ।

ଶେରଗଡ଼ ବ୍ଲକ୍ କରଡ଼କଣା ସରକାରୀ ଉଚ୍ଚବିଦ୍ୟାଳୟରେ ଏବେ ରାଜ୍ୟର ପ୍ରଥମ ହାଇସ୍କୁଲ ଇ-ଲାଇବ୍ରେରୀ କମ୍ ରିଡିଂ ରୁମ୍ ପ୍ରସ୍ତୁତ। କିଭଳି ଗୋଷ୍ଠୀଗତ ସମ୍ପୃକ୍ତି ଜରିଆରେ ଶିକ୍ଷାନୁଷ୍ଠାନର ପରିବେଶରେ ଆମୁଳଚୂଳ ପରିବର୍ତ୍ତନ ଆଣିହେବ ତାହାର ନଜିର ସେଠି ଦେଖିବାକୁ ମିଳିଛି। ଏଠି ଅଭିଭାବକ, ସ୍କୁଲ ପରିଚାଳନା କମିଟି ପ୍ରସ୍ତାବକ୍ରମେ ଗ୍ରନ୍ଥାଗାରକୁ ମେସିନ୍ ବଦଳରେ ଲୋକଙ୍କ ଶ୍ରମଦାନରେ ଆଖି ଝଲସିବା ଭଳି ପ୍ରସ୍ତୁତ କରାଯାଇଛି। ‘ମୋ ସ୍କୁଲ’ ଯୋଜନାରେ ଗୋଷ୍ଠୀ ସମ୍ପୃକ୍ତି (କମ୍ୟୁନିଟି ପାର୍ଟିସିପେସନ୍)କୁ ଗୁରୁତ୍ୱ ଦିଆଯାଉଛି। ଅଭିଭାବକ, ପୁରାତନ ବିଦ୍ୟାର୍ଥୀମାନେ ବିଭିନ୍ନ କିସମର ପାଠ୍ୟ ଓ ଅନ୍ୟ ପୁସ୍ତକ ଦାନ କରିଛନ୍ତି । ବିଦ୍ୟାଳୟ ପରିଚାଳନା କମିଟି ନିୟମିତ ଏହାର ତଦାରଖ କରିବେ।

ମୋ ସ୍କୁଲ ଯୋଜନାରେ ପୁରାତନ ଛାତ୍ରଛାତ୍ରୀ ଏଥିପାଇଁ ଯେତିକି ଅନୁଦାନ ଦେଉଛନ୍ତି ରାଜ୍ୟ ସରକାର ମଧ୍ୟ ସେତିକି ଅର୍ଥ ଦେଇ ସ୍କୁଲର ବିକାଶକୁ ଆଗେଇ ନେଉଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପ୍ରେରଣାରେ ଆଜିକାର ସମୟରେ ସରକାରୀ ଭାବେ ହେଉ ବା ଘରୋଇ କ୍ଷେତ୍ରରେ ହେଉ, ପଦସ୍ଥ ଅଧିକାରୀ ଓ ପ୍ରତିଷ୍ଠିତ ହୋଇ ସାରିଥିବା ବ୍ୟକ୍ତିବିଶେଷମାନେ ନିଜର ପୁରାତନ ଶିକ୍ଷାନୁଷ୍ଠାନକୁ ପୋଷ୍ୟ ବିଦ୍ୟାଳୟ ଭାବେ ଗ୍ରହଣ କରି ଏହାର ବିକାଶର ଦାୟିତ୍ବ ନେଉଛନ୍ତି। ଏହାର ଏକ ଭଲ ନଜିର ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ୍ ଭେଜିପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ଏଠି ଜଣେ ପୁରାତନ ଛାତ୍ର ଦିଲ୍ଲୀପ କୁମାର ଜେନା ମୋ ସ୍କୁଲ ଅଭିଯାନରେ ‘ତଳେ ବସିବାକୁ ନା’ ପ୍ରୟାସରେ ସ୍ବତଃପ୍ରବୃତ୍ତ ଯୋଡ଼ି ହୋଇ କୁନି ଛାତ୍ରଛାତ୍ରୀଙ୍କ ବସିବା ସକାଶେ ଚେୟାର ଟେବୁଲ ବ୍ୟବସ୍ଥା କରିବାକୁ ୩୦ ହଜାର ଟଙ୍କା ଦାନ କରିଛନ୍ତି। ଉକ୍ତ ବିଦ୍ୟାଳୟର ସବୁଜ ସୁନ୍ଦର ପରିବେଶ ବେଶ ଆକର୍ଷଣୀୟ। ପ୍ରତି ମଡେଲ ହାଇସ୍କୁଲ ପାଇଁ ପ୍ରାୟ ୫୦ରୁ ୬୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ପୁରାତନ ଛାତ୍ର, ଅଭିଭାବକଙ୍କ ମୋ ସ୍କୁଲକୁ ଅନୁଦାନ ସାଙ୍ଗକୁ ଗ୍ରାମ ପଞ୍ଚାୟତ ଉନ୍ନୟନ ପାଣ୍ଠି, ଜିଲ୍ଲାର ବିଭିନ୍ନ ଶିଳ୍ପ ସଂସ୍ଥାର ସିଏସଆର୍ ଫଣ୍ଡ୍ ଅନୁଦାନକୁ ବିନିଯୋଗ କରାଯାଉଛି। ବାସ୍ତବରେ ଏକ ସୁନ୍ଦର ଭବିଷ୍ୟତ ପାଇଁ ଏବେଠୁ ସୁବ୍ୟବସ୍ଥିତ ଓ ଯୁଗପଯୋଗୀ ଶିକ୍ଷାନୁଷ୍ଠାନର ସହସ୍ରାଧିକ କୋଣାର୍କକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିକଶିତ କରାଇବାରେ ଲାଗିଛନ୍ତି। ଆଗାମୀ ଦିନର ଛାତ୍ର ଓ ଯୁବଗୋଷ୍ଠୀ ସକାଶେ ତାଙ୍କର ମହତ୍ ପ୍ରୟାସ ଅଦ୍ବିତୀୟ ନିଶ୍ଚିତ।

Comments are closed.