ସେପ୍ଟେମ୍ବର ୧୯ରୁ ଆଇପିଏଲ୍‌ର ଦ୍ୱିତୀୟ ପର୍ଯ୍ୟାୟ, ଅକ୍ଟୋବର ୧୫ରେ ଫାଇନାଲ

ନୂଆଦିଲ୍ଲୀ: ୟୁଏଇରେ ହେବାକୁ ଥିବା ଆଇପିଏଲ୍‌ର ଅବଶିଷ୍ଟାଂଶ ପାଇଁ ବିସିସିଆଇ ତାରିଖ ଚୂଡ଼ାନ୍ତ କରିଛି । ଏହି ଟି୨୦ ଲିଗ୍‌ର ଦ୍ୱିତୀୟ ପର୍ଯ୍ୟାୟ ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବ । ଫାଇନାଲ୍ ଅକ୍ଟୋବର ୧୫ ତଥା ଦଶହରା ଦିନ ଖେଳାଯିବ । ବିସିସିଆଇର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି ।

ବିସିସିଆଇ ଅଧିକାରୀ ଜଣକ କହିଛନ୍ତି ଯେ, ଆଇପିଏଲ୍‌ର ଦ୍ୱିତୀୟ ପର୍ଯ୍ୟାୟ ନେଇ ଏମିରେଟ୍ସ କ୍ରିକେଟ୍ ବୋର୍ଡ (ଇସିବି) ସହ ଆମର ଆଲୋଚନା ଫଳପ୍ରଦ ହୋଇଛି । ୟୁଏଇର ଦୁବାଇ, ଶାରଜା ଏବଂ ଆବୁଧାବିରେ ଟୁର୍ଣ୍ଣାମେଣ୍ଟର ଅବଶିଷ୍ଟ ମ୍ୟାଚ୍ ସଫଳତାର ସହ ଆୟୋଜନ ହେବ ବୋଲି ଆମେ ଆଶାବାଦୀ । ଆଇପିଏଲ୍ ଦ୍ୱିତୀୟ ପର୍ଯ୍ୟାୟ ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାକୁ ଥିବାବେଳେ ଫାଇନାଲ ଅକ୍ଟୋବର ୧୫ରେ ଖେଳାଯିବ । ଆଇପିଏଲ୍ ଅବଶିଷ୍ଟାଂଶ ପାଇଁ ବିିସିସିଆଇ ଏକ ୨୫ ଦିନିଆ ୱିଣ୍ଡୋ ସନ୍ଧାନରେ ଥିଲା । ତାହା ଆମକୁ ମିଳିଯାଇଛି ବୋଲି ସେ କହିଛନ୍ତି ।

ଆଇପିଏଲ୍‌ର ଦ୍ୱିତୀୟ ପର୍ଯ୍ୟାୟରେ ବିଦେଶୀ ଖେଳାଳି ଉପଲବ୍ଧ ହେବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । ବିଦେଶୀ ଖେଳାଳି ଯେଭଳି ଟୁର୍ଣ୍ଣାମେଣ୍ଟର ଅବଶିଷ୍ଟ ମ୍ୟାଚ୍‌ରେ ଖେଳିବେ ସେନେଇ ବିସିସିଆଇ ସମ୍ପୃକ୍ତ ବୋର୍ଡ ମାନଙ୍କୁ ମନାଇବାରେ ସଫଳ ହେବ ବୋଲି ଫ୍ରାଞ୍ଚାଇଜ୍ ଗୁଡିକ ମଧ୍ୟ ଆଶାବାଦୀ ଅଛନ୍ତି ।
ଏକାଧିକ ଖେଳାଳି ଓ କୋଚିଂ ଷ୍ଟାଫ୍ କରୋନା ଆକ୍ରାନ୍ତ ହେବା ପରେ ମେ ୪ରେ ଆଇପିଏଲ୍‌-୨୦୨୧କୁ ଅଧାରୁ ସ୍ଥଗିତ ରଖାଯାଇଥିଲା । ସ୍ଥଗିିତ ହେବା ପୂର୍ବରୁ ଆଇପିଏଲ୍‌-୨୦୨୧ରେ ୨୮ଟି ମ୍ୟାଚ୍ ଅନୁଷ୍ଠିତ ହୋଇସାରିଥିଲା । ୟୁଏଇରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟରେ ଅବଶିଷ୍ଟ ୩୧ଟି ମ୍ୟାଚ୍ ଖେଳାଯିବ ।

Comments are closed.