ମେସିଙ୍କୁ ଟପିଲେ ଛେତ୍ରୀ, ବିଶ୍ୱର ଦ୍ୱିତୀୟ ସର୍ବାଧିକ ଗୋଲ୍ ସ୍କୋରର୍ ହେଲେ

ନୂଆଦିଲ୍ଲୀ: ଭାରତୀୟ ଫୁଟବଲ୍ ଦଳର ଅଧିନାୟକ ସୁନୀଲ ଛେତ୍ରୀ ଆଉ ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି । ସର୍ବାଧିକ ଗୋଲ୍ ସ୍କୋର କରିଥିବା ସକ୍ରିୟ ଫୁଟବଲ୍ ଖେଳାଳିଙ୍କ ମଧ୍ୟରେ ଛେତ୍ରୀ ଏବେ ଆର୍ଜେଣ୍ଟିନା ସୁପରଷ୍ଟାର ଲିଓନେଲ ମେସିଙ୍କୁ ଟପିଛନ୍ତି । ଦୋହାରେ ଚାଲିଥିବା ଫିଫା ବିଶ୍ୱକପ୍‌-୨୦୨୨ ଏବଂ ଏଏଫ୍‌ସି ଏସିଆ କପ୍ ଯୋଗ୍ୟତା ପର୍ଯ୍ୟାୟରେ ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ମେସି ଏହି କୀର୍ତ୍ତିମାନ ସ୍ଥାପନ କରିଛନ୍ତି ।

ଦୋହାର ଯଶୀମ୍ ବିନ୍ ହାମାଦ୍ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ ୨-୦ରେ ବାଂଲାଦେଶକୁ ହରାଇଥିଲା । ଭାରତ ପକ୍ଷରୁ ଅଧିନାୟକ ଛେତ୍ରୀ ଦୁଇଟି ଯାକ ଗୋଲ୍ ଦେଇଥିଲେ । ଛେତ୍ରୀ ୭୯ତମ ଓ ୯୨ତମ ମିନିଟ୍‌ରେ ଏହି ଦୁଇ ଗୋଲ୍ ଦେଇ ଦଳର ବିଜୟ ନିଶ୍ଚିତ କରିଥିଲେ । ଏଥିସହ ଛେତ୍ରୀଙ୍କ ଅନ୍ତର୍ଜାତୀୟ ଗୋଲ୍ ସଂଖ୍ୟା ୭୪ରେ ପହଞ୍ଚିଛି । ଅନ୍ତର୍ଜାତୀୟ ସ୍ତରରେ ସକ୍ରିୟ ଥିବା ଖେଳାଳିଙ୍କ ମଧ୍ୟରେ ଛେତ୍ରୀ ଏବେ ମେସିଙ୍କୁ ଟପି ଦ୍ୱିତୀୟ ସର୍ବାଧିକ ଗୋଲ୍ ସ୍କୋରର ହୋଇଛନ୍ତି । ଏହି ତାଲିକାରେ ପର୍ତ୍ତୁଗାଲ୍ ଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ ୧୦୩ଟି ଗୋଲ୍ ସହ ପ୍ରଥମ ସ୍ଥାନରେ ଅଛନ୍ତି । ୟୁଏଇର ଅଲ୍ଲୀ ମାବଖୌଟ୍ ୭୩ଟି ଗୋଲ୍ ସହ ତୃତୀୟ ସ୍ଥାନରେ ରହିଛନ୍ତି ।

ବାଂଲାଦେଶ ବିପକ୍ଷ ବିଜୟ ସହ ଭାରତ ଗ୍ରୁପ୍‌-ଇ’ରେ ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି । ଭାରତ ଏଯାବତ ୭ଟି ମ୍ୟାଚ୍‌ରୁ ୬ ପଏଣ୍ଟ ପାଇଛି । ବିଶ୍ୱକପ୍ ଓ ଏସିଆ କପ୍ ଯୋଗ୍ୟତା ପର୍ଯ୍ୟାୟରେ ଭାରତ ତାର ପରବର୍ତ୍ତୀ ମ୍ୟାଚ୍ ଜୁନ୍ ୧୫ରେ ଆଫଗାନିସ୍ତାନ ବିପକ୍ଷରେ ଖେଳିବ । ଭାରତ ପୂର୍ବରୁ ଫିଫା ବିଶ୍ୱକପ୍ ଯୋଗ୍ୟତା ଦୌଡ଼ରୁ ବାଦ୍ ପଡିଥିଲେ ମଧ୍ୟ ଏସିଆ କପ୍ ପାଇଁ କ୍ୱାଲିଫାଏ କରିବା ଆଶା ଉଜ୍ଜୀବିତ ରଖିଛି ।

Comments are closed.