ମକ୍ ଡ୍ରିଲ୍ କରି ୨୨ ରୋଗୀଙ୍କୁ ମାରିଦେଲେ, ଭିଡ଼ିଓ ଭାଇରାଲ୍, ସିଲ୍ ହେବ ଆଗ୍ରାର ପାରସ୍ ହସ୍ପିଟାଲ

ଆଗ୍ରା: ଉତ୍ତରପ୍ରଦେଶର ଆଗ୍ରା ଜିଲ୍ଲାରେ ଅବସ୍ଥିତ ପାରସ ହସ୍ପିଟାଲକୁ ସିଲ୍ କରାଯିବ। ଏସପି ସିଟି ସମେତ ପୋଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ହସ୍ପିଟାଲରେ ଚିକିତ୍ସାଧୀନ ରୋଗୀଙ୍କୁ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯିବ। ପାରସ ହସ୍ପିଟାଲରୁ ଏକ ଭିଡିଓ ଭାଇରାଲ ହେବା ପରେ ସାଧାରଣରେ ଉତ୍ତେଜନା ପ୍ରକାଶ ପାଇଛି। ରୋଗୀମାନଙ୍କ ଜୀବନ ବିପଦରେ ପକାଇ ପାରସ ହସ୍ପିଟାଲରେ ଅକ୍ସିଜେନ ଯୋଗାଣ ପାଇଁ ଏକ ମକ୍ ଡ୍ରିଲ୍ କରାଯାଇଥିଲା । ଏଥିପାଇଁ ଅକ୍ସିଜେନ ଯୋଗାଣକୁ ପାଞ୍ଚ ମିନିଟ୍ ବନ୍ଦ କରିଦିଆଯିବାରୁ ୨୨ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିଲା ବୋଲି ହସ୍ପିଟାଲର ମାଲିକ ଉକ୍ତ ଭିଡିଓରେ ହସି ହସି କହୁଥିବା ଦେଖିବାକୁ ମିଳୁଛି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମକ୍ ଡ୍ରିଲ୍ ସମୟରେ ପାଞ୍ଚ ମିନିଟ୍ ମଧ୍ୟରେ ୨୨ ଜଣ ରୋଗୀଙ୍କ ମୃତ୍ୟୁ ଘଟିଥିଲା।ଭାଇରାଲ ହୋଇଥିବା ଭିଡିଓରେ ପାରସ ହସ୍ପିଟାଲର ମାଲିକ କହୁଛନ୍ତି ଯେ ଏପ୍ରିଲ ୨୬ରେ ଅକ୍ସିଜେନ ଅଭାବ ଯୋଗୁଁ ମାତ୍ର ୫ ମିନିଟ ପର୍ଯ୍ୟନ୍ତ ଅକ୍ସିଜେନ ଯୋଗାଣ ବନ୍ଦ କରାଯାଇଥିଲା। ଅକ୍ସିଜେନ ବିନା ଗୁରୁତର ରୋଗୀମାନେ ବଞ୍ଚିପାରିବେ କି ନାହିଁ ଦେଖିବା ପାଇଁ ଏଭଳି କରାଯାଉଥିଲା।

ଅକ୍ସିଜେନ ଅଭାବ ଦେଖା ଦେବାରୁ ମୋଦିନଗରରୁ ଅକ୍ସିଜେନ ଯୋଗାଣ ପାଇଁ ଅର୍ଡର କରାଯାଇଥିଲା। ରୋଗୀଙ୍କ ସମ୍ପର୍କୀୟଙ୍କୁ ଡିସଚାର୍ଜ ପାଇଁ କୁହାଯାଇଥିଲା, କିନ୍ତୁ ସେମାନେ ମନା କରିଥିଲେ। ଏହା ପରେ ହସ୍ପିଟାଲରେ ଅକ୍ସିଜେନ ବିନା କେଉଁ ରୋଗୀ ବଞ୍ଚିପାରୁଛନ୍ତି ତାହା ଦେଖିବାକୁ ପରୀକ୍ଷା ମୂଳକ ଭାବେ ଏପ୍ରିଲ୍ ୨୬ ସକାଳ ୭ଟାରେ ମକ୍ ଡ୍ରିଲ୍ ପାଇଁ ଅକ୍ସିଜେନ ଯୋଗାଣ ୫ ମିନିଟ୍ ପାଇଁ ବନ୍ଦ କରାଯାଇଥିଲା | ଅକ୍ସିଜେନ ଯୋଗାଣ ବନ୍ଦ ହେବା ମାତ୍ରେ ୨୨ ରୋଗୀ ଛଟପଟ ହୋଇ ନୀଳ ପଡିଯାଇଥିଲେ ବୋଲି ମାଲିକ ଜଣକ ଉକ୍ତ ଭିଡିଓରେ କହୁଥିବା ଦେଖିବାକୁ ମିଳୁଛି।

ଉତ୍ତର ପ୍ରଦେଶ ସରକାର ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

Comments are closed.