ଭାରତୀୟଙ୍କ ପ୍ରତି ବର୍ଣ୍ଣ ବୈଷମ୍ୟ ଟ୍ୱିଟ୍ ପାଇଁ ଇସିବି ରାଡାରରେ ମୋର୍ଗାନ ଓ ବଟଲର୍‌

ଲଣ୍ଡନ: ଇଂଲଣ୍ଡର କ୍ରିକେଟରଙ୍କୁ ନେଇ ବର୍ଣ୍ଣ ବୈଷମ୍ୟ ବିବାଦ ଏବେ ତେଜିବାରେ ଲାଗିଛି । ଏହି ବିବାଦ ଯୋଗୁଁ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ଡେବ୍ୟୁ ପରେ ଯୁବ ପେସର ଓଲି ରବିନସନଙ୍କୁ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ନିଲମ୍ବିତ କରିଥିବା ବେଳେ ଏବେ ଇଂଲଣ୍ଡର ସୀମିତ ଓଭର ଅଧିନାୟକ ଇୟନ ମୋର୍ଗାନ ଏବଂ ଷ୍ଟାର ବ୍ୟାଟ୍ସମ୍ୟାନ୍ ଜୋସ୍ ବଟଲରଙ୍କ ବିରୋଧରେ ବି ସମାନ ଅଭିଯୋଗ ହୋଇଛି । ଭାରତୀୟଙ୍କୁ ଉପହାସ କରି ମୋର୍ଗାନ ଓ ବଟଲର ଅନେକ ଥର ଜାତିଆଣ ଓ ରଙ୍ଗଭେଦ ଟ୍ୱିଟ୍ କରିଥିଲେ । ଏହି ଦୁଇ ଷ୍ଟାର ଖେଳାଳିଙ୍କ ଏଭଳି ଟ୍ୱିଟ୍ ର ସ୍କ୍ରିନସଟ୍ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ପ୍ରସଙ୍ଗରେ ଇସିବି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି । ଜାତିଆଣ ଟ୍ୱିଟ୍ ନେଇ ମୋର୍ଗାନ ଓ ବଟଲରଙ୍କ ବିରୋଧରେ ତଦନ୍ତ ଜାରି ରହିଛି । ପ୍ରତ୍ୟେକ ମାମଲାକୁ ବ୍ୟକ୍ତିଗତ ଭିତ୍ତିରେ ବିଚାର କରାଯାଇ ଦୋଷୀ ଖେଳାଳିଙ୍କ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଇସିବି କହିଛି ।

ଭାରତୀୟଙ୍କୁ ଉପହାସ ପୂର୍ବକ ମୋର୍ଗାନ ଓ ବଟଲର ଯେଉଁ ପୋଷ୍ଟ କରିଥିଲେ ସେଥିରେ ଏ ଦୁହେଁ ‘ସାର୍‌’ ପଦର ବ୍ୟବହାର କରିଥିଲେ । ୨୦୧୨-୧୩ରେ ଏଭଳି ଅନେକ ଆପତ୍ତିଜନକ ପୋଷ୍ଟ ପାଇଁ ଇସିବି ଯୁବ ପେସର ଓଲି ରବିନସନଙ୍କୁ ତାଙ୍କର ଟେଷ୍ଟ ଡେବ୍ୟୁ ପରେ ନିଲମ୍ବିତ କରିଥିଲା ।

ବ୍ରିଟେନ ଖବରକାଗଜ ‘ଦି ଟେଲିଗ୍ରାଫ୍‌’ର ଏକ ରିପୋର୍ଟ ମୁତାବକ ମୋର୍ଗାନ ଓ ବଟଲର ଭାରତୀୟଙ୍କ ପ୍ରତି ଜାତିଆଣ ଆକ୍ଷେପ କରି ଟ୍ୱିଟରରେ ବହୁଥର ଆପତ୍ତିଜନକ ପୋଷ୍ଟ କରିଥିଲେ । ସେ ଗୁଡିକର ସ୍କ୍ରିନସଟ୍ ଏବେ ସୋସିଆଲ ମିଡିଆରେ ସେୟାର କରାଯିବା ପରେ ଇଂଲଣ୍ଡର ଏହି ଦୁଇ ଷ୍ଟାର ଖେଳାଳି ବିବାଦ ଘେରକୁ ଆସିଛନ୍ତି । ସୋସିଆଲ ମିଡିଆରେ ସେୟାର ବଟଲରଙ୍କ ଏକ ଟ୍ୱିଟର ସ୍କ୍ରିନସଟ୍ ଅନୁଯାୟୀ, ଏହି ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍ ଏକ ପୋଷ୍ଟରେ ଲେଖିଥିଲେ, ‘ ମୁଁ ସାର୍ ନମ୍ବର ୱାନକୁ ସର୍ବଦା ଏହି ଉତ୍ତର ଦେଉଛି, ମୋ ଭଳି, ଆପଣଙ୍କ ଭଳି, ମୋ ଭଳି .. ।” ସେହିପରି ମୋର୍ଗାନ ଆଉ ଏକ ଅଲଗା ପୋଷ୍ଟରେ ବଟଲରଙ୍କୁ ଟାଗ୍ କରି ଲେଖିଛନ୍ତି – ସାର୍‌, ଆପଣ ମୋର ପ୍ରିୟ ବ୍ୟାଟ୍ସମ୍ୟାନ୍ ।’’

ଉଭୟ ବଟଲର ଓ ମୋର୍ଗାନ ଆଇପିଏଲରେ ଖେଳୁଛନ୍ତି । ବଟଲର ରାଜସ୍ଥାନ ରୟାଲ୍ସ ପାଇଁ ଖେଳୁଥିବା ବେଳେ ମୋର୍ଗାନ କୋଲକାତା ନାଇଟ୍ ରାଇଡର୍ସ(କେକେଆର)ର ଅଧିନାୟକ ଅଛନ୍ତି ।

ଟେଲିଗ୍ରାଫ୍ ର ଉକ୍ତ ରିପୋର୍ଟରେ କୁହାଯାଇଛି ଯେ, କେଉଁ ପରିପ୍ରେକ୍ଷୀରେ ମୋର୍ଗାନ ଓ ବଟଲର ସେଭଳି ଟ୍ୱିଟ୍ କରିଥିଲେ ସେନେଇ ପ୍ରଶ୍ନ ଉଠିଥିଲେ ମଧ୍ୟ ଏଭଳି ଟ୍ୱିଟ୍ ଏପରି ଏକ ସମୟରେ ହୋଇଥିଲା ଯେତେବେଳେ କି ଉଭୟ ଜଣେ ଜଣେ ପ୍ରତିଷ୍ଠିତ ଖେଳାଳି ହୋଇସାରିଥିଲେ । ତେଣୁ ସେମାନଙ୍କ ଏଭଳି ଟ୍ୱିଟ ଅନ୍ୟମାନଙ୍କୁ ଆଘାତ ଦେଇଛି ।

Comments are closed.