ଆଜିଠୁ ଚାରିଦିନ ପ୍ରବଳ ବର୍ଷିବ, ସତର୍କ ରହିବା ପାଇଁ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର- ପୂର୍ବ-କେନ୍ଦ୍ରୀୟ ଉତ୍ତରପୂର୍ବ ବଙ୍ଗୋପସାଗରରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ୧୧ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏହା ଆହୁରି ଘନୀଭୂତ ହେବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟର ଅନେକ ଜିଲ୍ଲାରେ ଆଜିଠାରୁ ୧୪ ତାରିଖ ମଧ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏଥିସହ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡିଶାରେ ପ୍ରବେଶ ପାଇଁ ପାଗ ଅନୁକୂଳ ରହିଛି । ତେଣୁ ବର୍ଷା ପରିମାଣ ବଢିବ ।

ଲଘୁଚାପ ଓ ମୌସୁମୀ ପ୍ରଭାବରେ ଆଜି ଓ ଆସନ୍ତାକାଲି ଅନୁଗୁଳ, ଢେଙ୍କାନାଳ, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ସମ୍ବଲପୁର, ଭଦ୍ରକ, ବାଲେଶ୍ୱର, ଯାଜପୁର, ଖୋର୍ଦ୍ଧା, ପୁରୀ ଜିଲ୍ଲାର ଅଧିକାଂଶ ସଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ୧୨ ଓ ୧୩ ତାରିଖରେ ଦକ୍ଷିଣ ଓ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାର କେତେକ ସ୍ଥାନରେ ଅତିପ୍ରବଳ ବର୍ଷା ହେବ ।

ସମ୍ଭାବ୍ୟ ବର୍ଷା ଓ ଏଥିଯୋଗୁ ବନ୍ୟା ଆଶଙ୍କା ରହିଥିବାରୁ ମୁକବିଲା ପାଇଁ ପ୍ରସ୍ତୁତ ରହିବାକୁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ସବୁ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନରଙ୍କୁ ଚିଠି ଲେଖାଯାଇଛି । ଆଜିଠାରୁ ୧୪ ତାରିଖ ଯାଏଁ ଜିଲ୍ଲାସ୍ତରରେ ଥିବା ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟାଳୟକୁ ୨୪ ଘଂଟା ଖୋଲା ରଖିବାକୁ କୁହାଯାଇଛି । ଭୂସ୍ଖଳନ ଆଶଙ୍କା ଥିବାରୁ ଜିଲ୍ଲାପାଳମାନେ ପଦକ୍ଷେପ ନେବେ । ମାଟି ଘର ତଥା ତଳିଆ ଅଂଚଳର ଲୋକଙ୍କୁ ନିରାପଦ ସ୍ଥାନକୁ ନେବା ପାଇଁ କୁହାଯାଇଛି । ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ବି ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି ।

Comments are closed.