କରୋନା ଅପଡେଟ୍‌: ଗତ ୨୪ ଘଣ୍ଟାରେ ଭାରତରେ ରେକର୍ଡ ୬୧୪୮ ମୃତ

ନୂଆଦିଲ୍ଲୀ: ଭାରତରେ ସଂକ୍ରମଣ କମୁଥିଲେ ମଧ୍ୟ ମୃତ୍ୟୁସଂଖ୍ୟା ହାର ଖସୁ ନାହିଁ । ଗତ ୨୪ ଘଣ୍ଟାରେ ଦେଶରେ ରେକର୍ଡ ୬୧୪୮ ଜଣଙ୍କର ମୃତ୍ୟୁ ହୋଇଛି । ପ୍ରଥମ ଥର ପାଇଁ ମୃତ୍ୟୁସଂଖ୍ୟା ୬ ହଜାର ଟପିଛି । ଏଥିସହ କୋଭିଡ୍ ଜନିତ ମୋଟ ମୃତ୍ୟୁ ସଂଖ୍ୟା ୩,୫୯,୬୭୬କୁ ବୃଦ୍ଧି ପାଇଛି । କ୍ରମାଗତ ତୃତୀୟ ଦିନ ପାଇଁ ଲକ୍ଷେରୁ କମ୍ ମାମଲା ରିପୋର୍ଟ ହୋଇଛି । ଦେଶରେ ଦିନକରେ ଆଉ ୯୪,୦୫୨ ନୂଆ ମାମଲା ସାମ୍ନାକୁ ଆସିଛି । କରୋନାରୁ ପୁଣି ଏକ ଲକ୍ଷ ୫୧ ହଜାର ୩୬୭ ଜଣ ସୁସ୍ଥ ହୋଇଛନ୍ତି ।

ଭାରତରେ ଏପ୍ରିଲ ୨୮ରେ ଦୈନିକ ମୃତ୍ୟୁସଂଖ୍ୟା ତିନି ହଜାର ଛୁଇଁଥିଲା । ଏହି ସଂଖ୍ୟା ମେ ୮ରେ ଚାରି ହଜାର ଟପିଯାଇଥିଲା । ଭାରତରେ ଏବେ ପ୍ରଥମ ଥର ୬ ହଜାରରୁ ଊର୍ଦ୍ଧ୍ୱ ମୃତ୍ୟୁ ରେକର୍ଡ ହୋଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ମୁତାବକ, ଭାରତରେ ମୋଟ କରୋନା ମାମଲା ୨ କୋଯି ୯୧ ଲକ୍ଷ ୮୩ ହଜାର ୧୨୧ରେ ପହଞ୍ଚିଛି । ଏଥିମଧ୍ୟରୁ ଏ ପର୍ଯ୍ୟନ୍ତ ୨ କୋଟି ୭୬ଲକ୍ଷ ୫୫ ହଜାର ୪୯୩ ଜଣ ସୁସ୍ଥ ହୋଇଥିବା ବେଳେ ୩ ଲକ୍ଷ ୫୯ ହଜାର ୬୭୬ ଜଣ ପ୍ରାଣ ହରାଇଛନ୍ତି । ସକ୍ର୍ରିୟ ମାମଲା ୧୧ ଲକ୍ଷକୁ ଖସିଛି । ଗୁରୁବାର ସୁଦ୍ଧା ଦେଶରେ ୧୧ ଲକ୍ଷ ୬୭ ହଜାର ୯୫୨ ସକ୍ରିୟ ରୋଗୀ ଅଛନ୍ତି । ଜୁନ୍ ୯ ସୁଦ୍ଧା ଦେଶରେ ମୋଟ ୨୪ କୋଟି ୨୭ ଲକ୍ଷ ୨୬ ହଜାର କରୋନା ଟିକା ଦିଆଯାଇଛି ।

Comments are closed.