ନବୀନଙ୍କ ସତନ୍ତ୍ର ପ୍ୟାକଜରେ ପଶ୍ଚିମ ଓଡ଼ିଶା: ଶିଳ୍ପ କରିଡର ସହ ଯୋଡ଼ି ହେବ କୃଷି କରିଡର୍

୬ ଜିଲ୍ଲାର ଆର୍ଥିକ ବିକାଶର ଭାଗିଦାରୀ ହେବ ବିଜୁ ଏକ୍ସପ୍ରେସ୍ ୱେ

ସମ୍ବଲପୁର : ପଶ୍ଚିମ ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସତନ୍ତ୍ର ଫୋକସ୍ । ଏହି ବିରାଟ ଭୂଖଣ୍ଡର ଦୁଇଟି ପ୍ରାନ୍ତ ଯୋଡି ହେବ । ଆଉ ଏହା ହିଁ ପାଲଟିବ ପଶ୍ଚିମ ଓଡିଶାର ଆର୍ଥିକ ବିକାଶର ଅନ୍ୟତମ ଆଧାର । ବିଜୁ ଏକ୍ସପ୍ରେସ୍ ରେ ଶିଳ୍ପ ସମୃଦ୍ଧ ରାଉରକେଲା ସହିତ ଯୋଡି ହେବ ଶିବିହୀନ ତଥା କୃଷିର ପେଣ୍ଠସ୍ତଳୀ ଭାବେ ପରିଣତ ହେଉଥିବା କେବିକେ ଅଞ୍ଚଳ । ଗତକାଲି ମୁଖ୍ୟମନ୍ତ୍ରୀ କେବିନେଟ୍ ବୈଠକରେ ଏହି ବିଜୁ ଏକ୍ସପ୍ରେସ୍ ୱେ ପ୍ରକଳ୍ପର କାର୍ଯ୍ୟ ଶେଷ କରିବା ପାଇଁ ସତନ୍ତ୍ର ଭାବେ ୫୪୭ କୋଟି ମଞ୍ଜୁର କରି ପୁଣି ଥରେ ଏହି ଅଞ୍ଚଳ ତାଙ୍କ ପ୍ରତିବଦ୍ଧତାର ପ୍ରମାଣ ଦେଇଛନ୍ତି । ଏହି ବିରାଟ ପ୍ରକଳ୍ପ ଦ୍ବାରା ପଶ୍ଚିମ ଓଡ଼ିଶାର ୬ଟି ଜିଲ୍ଲା ବିଶେଷ କରି କେବିକେର ବିକାଶର ଚିତ୍ରରେ ବିରାଟ ପରିବର୍ଭନ ହେବାକୁ ଯାଉଛି । କୃଷିରୁ ଆରମ୍ଭ କରି ପର୍ଯ୍ୟଟନ ଶିଳ୍ପର ଅଭିବୃଦ୍ଧି ଯାଏ ଏହି ପ୍ରକଳ୍ପ ବାଟ କଢାଇବ ।

ସମ୍ବଲପୁରରୁ ରାଉରକେଲା ପର୍ଯ୍ୟନ୍ତ ପ୍ରାୟ ୧୮୦ କିମି ଲମ୍ବର ୧୦ ନମ୍ବର ରାଜ୍ୟ ରାଜପଥକୁ ରାଜ୍ୟ ସରକାର ବିଜୁ ଏକ୍ସପ୍ରେସ୍ ରେ ଏହାର ସଂପ୍ରସାରଣ କରି ୩ ବର୍ଷ ତଳୁ କାର୍ଯ୍ୟକାରୀ କରି ସାରିଛନ୍ତି । ହେଲେ ରାଉରକେଲାରୁ ନୂଆପଡା ପର୍ଯ୍ୟନ୍ତ ସଂଯୋଗ କରିବା ପାଇଁ ପୂର୍ବରୁ ପରିକଳ୍ପନା କରାଯାଇଥିଲା । ଆଉ ବରଗଡର ସୋହେଲାରୁ ନୂଆପଡାକୁ ବିଜୁ ଏକ୍ସପ୍ରେସ୍ ୱେ କାମ ବି ଜାରି ରହିଥିଲା । ଏହା ପୂର୍ବରୁ ଦୁଇ ଥାକିଆ ହୋଇ ପ୍ରାୟ ୯୦ ପ୍ରତିଶତ ସରିଯାଇଥିଲା । କେବଳ ଜମି ଅଧିଗ୍ରହଣ ଏବଂ ପ୍ରାପ୍ୟ ପ୍ରଦାନ ନେଇ ଥିବା କେତେକ ଆଇନଗତ ସମସ୍ୟା ଯୋଗୁଁ କିଛି ଅଂଶ ବାକି ରହିଛି ।

ଏଭଳି ସ୍ଥିତିରେ ଏହି ରାସ୍ତାକୁ ଏବେ ଚାରି ଥାକିଆ କରିବାକୁ ସରକାର ଅଣ୍ଟା ଭିଡିଛନ୍ତି । ତେବେ , ଏଥିପାଇଁ ପୂର୍ବରୁ ଚାରି ଥାକିଆ କରିବାକୁ ହିଁ ଜମି ଅଧିଗ୍ରହଣ ପ୍ରକ୍ରିୟା ବି ଚୂଡ଼ାନ୍ତ ହୋଇଥିଲା । ଏଭଳି ସ୍ଥିତିରେ ଗତକାଲି ରାଜ୍ୟ କ୍ୟାବିନେଟ୍‌ରେ ଏହି ପ୍ରକଳ୍ପକୁ ଚୂଡାନ୍ତ କରିବାକୁ ରାଜ୍ୟ ସରକାର ୫୪୭ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।

ଏଥିରେ ନୂଆପଡା ଜିଲ୍ଲାର ଘାଟିକିଆରୁ ସିନାପାଲି ପର୍ଯ୍ୟନ୍ତ ରାସ୍ତା ପାଇଁ ୨୬୫.୮୩ କୋଟି , ସିନାପାଲିରୁ କଳାହାଣ୍ଡିର ଧର୍ମଗଡ ପର୍ଯ୍ୟନ୍ତ ୯୦.୯୬ କୋଟି ଟଙ୍କା ଏବଂ ଧର୍ମଗଡରୁ ଆମପାଣି ପର୍ଯ୍ୟନ୍ତ ରାସ୍ତା ପାଇଁ ୯୧.୪୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ସେହିପରି ଏହି ପ୍ରକଳ୍ପକୁ ଆସନ୍ତା ୨୦୨୨ ସୁଦ୍ଧା ସଂପୂର୍ଣ୍ଣ କରିବାକୁ ମୁଖ୍ୟମନ୍ତ୍ରୀ କଡା ନିର୍ଦ୍ଦେଶ ଦେଇଛନ୍ତି । ତେବେ , ଏହି ପ୍ରକଳ୍ପ ଦ୍ବାରା ପଶ୍ଚିମ ଓଡିଶାର କେବିକେ ଅଞ୍ଚଳ ବିଶେଷ ଭାବେ ଉପକୃତ ହେବ । ଏହି ରାସ୍ତା ଦ୍ଵାରା ପଶ୍ଚିମ ଓଡିଶାର ଶିଳ୍ପସମୃଦ୍ଧ ସୁନ୍ଦରଗଡ , ରାଉରକେଲାକୁ କେବିକେ ଅଞ୍ଚଳ ପାଇଁ ବାଟ ଫିଟିବ । ସେହିପରି ବ୍ୟବସାୟିକ ଅଭିବୃଦ୍ଧି କ୍ଷେତ୍ରରେ ଏହା ଏକ ବରଦାନ ସାଜିବା ସହିତ କେବିକେ ଅଞ୍ଚଳରୁ ଦାଦନ ଦୂରୀକରଣରେ ବି ଏହା ବିଶେଷ ସହାୟକ ହେବ ବୋଲି ଆଶା କରାଯାଉଛି ।

ବିଶେଷ କରି ଛତିଶଗଡର ଜଗଦଲପୁରକୁ ଏହି ରାସ୍ତା ଯୋଡିବାକୁ ଯାଉଥିବା ବେଳେ ଏହା ନୂଆପଡ଼ା ଏବଂ କଳାହାଣ୍ଡି ଜିଲ୍ଲାର ବିକାଶକୁ ନୂତନ ବାଟ ଦେଖାଇବ । କାରଣ , ଗୋଟିଏ ପଟେ କେବିକେ ଅଞ୍ଚଳର ଲୋକେ ସମ୍ବଲପୁର , ସୁନ୍ଦରଗଡ଼ ଏବଂ ଝାରସୁଗୁଡା ଜିଲ୍ଲାରେ ଗଢି ଉଠିଥିବା କଳ କାରଖାନାରେ କାମ କରିବା ପାଇଁ ଅଚିରେ ଆସିପାରିବେ । ସେପଟେ , ଲୋୟର ଇନ୍ଦ୍ର ପ୍ରକଳ୍ପ ପରେ ନୂଆପଡା , କଳାହାଣ୍ଡି ଅଞ୍ଚଳ ବର୍ଭମାନ ଶସ୍ୟ ଶ୍ୟମଳାରେ ପରିଣତ ହୋଇଥିବା ବେଳେ ଏଠିକାର କୃଷିଜାତ ଉତ୍ପାଦନ ବି ଜଗଦଲପୁର ପର୍ଯ୍ୟନ୍ତ ଯୋଗାଣରେ ସହାୟକ ହେବ ବୋଲି ଆଶା କରାଯାଉଛି ।

ପୂର୍ବରୁ ସିଧା ରାସ୍ତା ନଥିବାରୁ ପଶ୍ଚିମ ଓଡିଶାର ଏହି ଦୁଇଟି ପ୍ରାନ୍ତକୁ ଗମନାଗମନ ଏକ ଦୁରୂହ ବ୍ୟାପାର ଥିଲା । ହେଲେ ବର୍ତ୍ତମାନ ଏହି ପ୍ରକଳ୍ପ ଶେଷ ହେବା ପରେ ବହୁବିଧ ବ୍ୟବସାୟ ନେଇ ବାଟ ଫିଟିବାକୁ ଯାଉଛି । ସବୁଠାରୁ ଗୁରୁତ୍ବପୂର୍ଣ କଥା ହେଉଛି ଯେ , ନୂଆପଡା ଏବଂ କଳାହାଣ୍ଡି ଜିଲ୍ଲାରେ କୌଣସି ଶିଳ୍ପ ସଂସ୍ଥା ନଥିବା ବେଳେ ଜହୁଗଲ ପରିବେଷ୍ଟିତ ଅଞ୍ଚଳର ଲୋକେ ସେମାନଙ୍କ ଲଘୁବନ ଜାତ ଦ୍ରବ୍ୟର ବିପଣନରେ ଗମନାଗମନ ଅଭାବରୁ ବହୁ ଅସୁବିଧାର ସମ୍ମୁଖୀନ ହୋଇଆସୁଛନ୍ତି । ଆଉ ଏହି ପ୍ରକଳ୍ପ ଦ୍ବାରା ଦଶନ୍ଧି ଦଶନ୍ଧିର ଦୁଃଖ ଦୂର ହେବାକୁ ଯାଉଛି ।

ଏହାବାଦ୍ ସବୁଠାରୁ ପ୍ରମୁଖ କଥା ହେଉଛି ଯେ , ସୁନ୍ଦରଗଡ଼ରୁ ଆରମ୍ଭ କରି ଝାରସୁଗୁଡା , ସମ୍ବଲପୁର , ବରଗଡ , ନୂଆପଡା ଏବଂ କଳାହାଣ୍ଡି ଜିଲ୍ଲାରେ ପର୍ଯ୍ୟଟନର ଭରପୁର ସୁଯୋଗ ରହିଛି । ପ୍ରକୃତିର ଅଫୁରନ୍ତ ଗନ୍ତାଘର ରହିଛି । ହେଲେ ଗମନାଗମନର ଆବଶ୍ୟକ ସୁବିଧା ଅଭାବ ଯୋଗୁଁ ସେହି ସ୍ଥାନ ଗୁଡିକର ଯେତେଟା ବିକାଶ ହେବା କଥା ହୋଇପାରିନାହିଁ । ପର୍ଯ୍ୟଟନ ସ୍ଥାନ ଗୁଡିକର ବିକାଶ ଉଲ୍ଲେଖନୀୟ ଭାବେ ହୋଇଥିଲେ ହେଁ ରାଜ୍ୟ ବାହାରର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଏହି ପ୍ରକଳ୍ପ ନିତାନ୍ତ ଆବଶ୍ୟକ ହୋଇଥିଲା । ଆଉ ଏହି ପର୍ଯ୍ୟଟନ ଶିଳ୍ପ ରୋଜଗାର ସୃଷ୍ଟି ଦିଗରେ ବି ବିରାଟ ସହାୟକ । ବୋଲି ଆଶା କରାଯାଉଛି ।

ତେବେ , ଯୁଦ୍ଧକାଳୀନ ଭିତ୍ତିରେ ଏହି ପ୍ରକଳ୍ପକୁ ସାରିବାକୁ ଗତକାଲି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ପ୍ରଶାସନିକ କ୍ଷେତ୍ରରେ ତତ୍ପରତା ପ୍ରକାଶ ପାଇଛି । ସେପଟେ , ଗତକାଲି ବରଗଡ ଏବଂ ନୂଆପଡା ବିଜୁ ଜନତା ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ଏହି ପ୍ରକଳ୍ପ ପାଇଁ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି ।

Comments are closed.