ସୁଶାନ୍ତ ସିଂହ ରାଜପୁତଙ୍କୁ ନେଇ ନିର୍ମିତ ଫିଲ୍ମ ଉପରେ ରୋକ୍ ଲଗାଇବାକୁ ମନାକଲେ ହାଇକୋର୍ଟ

ନୂଆଦିଲ୍ଲୀ: ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଉପରେ ନିର୍ମିତ ଫିଲ୍ମ ‘ନ୍ୟାୟ: ଦି ଜଷ୍ଟିସ୍‌’ର ରିଲିଜ୍ ଉପରେ ରୋକ୍ ଲଗାଇବାକୁ ଦିଲ୍ଲୀ ହାଇକୋର୍ଟ ମନା କରିଦେଇଛନ୍ତି । ସୁଶାନ୍ତଙ୍କ ଜୀବନୀ ଉପରେ ନିର୍ମିତ ଏହି ଫିଲ୍ମ ଆସନ୍ତାକାଲି ମୁକ୍ତିଲାଭ କରୁଛି । ଗତବର୍ଷ ଜୁନ୍‌ରେ ସୁଶାନ୍ତ ତାଙ୍କ ଫ୍ଲାଟ୍‌ରେ ଆତ୍ମହତ୍ୟା କରିଥିଲେ ।

ଏହି ଫିଲ୍ମ ଉପରେ ରୋକ୍ ଲଗାଇବାକୁ ସୁଶାନ୍ତଙ୍କ ବାପା କ୍ରିଷ୍ଣା କିଶୋର ସିଂହ ଆବେଦନ କରିଥିଲେ । ଏହି ଫିଲ୍ମ ତାଙ୍କ ପରିବାରର ବିନା ଅନୁମତିରେ ଏବଂ ସୁଶାନ୍ତଙ୍କ ମୃତ୍ୟୁରେ ହାତ ଥିବା କିଛି ଲୋକଙ୍କ ଦ୍ୱାରା ଉଦ୍ଦେଶ୍ୟମୂଳକ ଭାବେ ନିର୍ମାଣ କରାଯାଇଛି । ଏଭଳି ଫିଲ୍ମ ତାଙ୍କ ପୁଅର ଚରିତ୍ର ସଂହାର ପାଇଁ ଉଦ୍ଦିଷ୍ଟ ବୋଲି କିଶୋର ସିଂହ ତାଙ୍କ ଆବେଦନରେ ଦର୍ଶାଇଥିଲେ ।

ଜଷ୍ଟିସ୍ ସଞ୍ଜୀବ ନାରୁଲାଙ୍କ ଖଣ୍ଡପୀଠ ସୁଶାନ୍ତଙ୍କ ବାପାଙ୍କ ଆବେଦନ ଖାରଜ କରିଦେଇଛନ୍ତି । ତେବେ ‘ନ୍ୟାୟ: ଦି ଜଷ୍ଟିସ୍‌’ର ନିର୍ମାତାଙ୍କୁ ଏହି ଫିଲ୍ମରୁ ଆୟ ରାଜସ୍ୱର ହିସାବ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

‘ନ୍ୟାୟ: ଦି ଜଷ୍ଟିସ୍‌’ ବ୍ୟତୀତ ସୁଶାନ୍ତ ସିଂହ ରାଜପୁତଙ୍କ ଜୀବନୀ ଉପରେ ‘ସୁଇସାଇଡ୍ ଅର୍ ମର୍ଡର: ଏ ଷ୍ଟାର୍ ୱାଜ୍ ଲଷ୍ଟ’, ‘ଶଶାଙ୍କ’ ଏବଂ ଆହୁରି ଅନେକ ଫିଲ୍ମ ଓ ୱେବ୍ ସିରିଜ୍ ନିର୍ମାଣାଧୀନ ରହିଛି ।

Comments are closed.