କରୋନା ସଂକ୍ରମିତ ପିଲାଙ୍କ ପାଇଁ କେନ୍ଦ୍ରର ନୂଆ ଗାଇଡ୍ ଲାଇନ୍‌, ରେମଡେସିଭିର ବ୍ୟବହାର ମନା

ନୂଆଦିଲ୍ଲୀ: କୋଭିଡ୍‌-୧୯ର ସମ୍ଭାବ୍ୟ ତୃତୀୟ ଲହରୀକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ତୃତୀୟ ଲହରୀରେ ପିଲାମାନେ ଅଧିକ ପ୍ରଭାବିତ ହେବା ଆଶଙ୍କା ଥିବାରୁ ୧୮ ବର୍ଷରୁ କମ୍ ପିଲାମାନଙ୍କ କୋଭିଡ୍ ଚିକିତ୍ସା ପାଇଁ କେନ୍ଦ୍ର ସରକାର ନୂଆ ଗାଇଡ୍ ଲାଇନ୍ ଜାରି କରିଛନ୍ତି । କରୋନା ସଂକ୍ରମିତ ପିଲାଙ୍କ ଚିକିତ୍ସା ପାଇଁ ରେମଡେସିଭିର ର ବ୍ୟବହାର ନିଷେଧ କରାଯାଇଛି । ଏହାଛଡ଼ା ଆବଶ୍ୟକ ସ୍ଥଳେ ହିଁ ସିଟି ସ୍କାନ୍ କରିବାକୁ ପରାମର୍ଶ ଦିଆଯାଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅଧୀନସ୍ଥ ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶକ (ଡିଜିଏଚ୍‌ଏସ୍‌)ଙ୍କ ପକ୍ଷରୁ ଜାରି ଗାଇଡ୍‌ଲାଇନ୍‌ରେ କୁହାଯାଇଛି ଯେ, ବିଲକ୍ଷଣ ତଥା ମଧ୍ୟମ ଲକ୍ଷଣ ଥିବା କୋଭିଡ୍ ସଂକ୍ରମିତ ପିଲାଙ୍କ କ୍ଷେତ୍ରରେ ଷ୍ଟେରଏଡ୍‌ର ବ୍ୟବହାର କ୍ଷତିକାରକ । କେବଳ ଗୁରୁତର ତଥା ହସ୍ପିଟାଲରେ ଚିିକିତ୍ସିତ ହେଉଥିବା ପିଲାଙ୍କ କ୍ଷେତ୍ରରେ ଷ୍ଟେରଏଡ୍ ବ୍ୟବହାର କରାଯିବ । ଷ୍ଟେରଏଡ୍ ସଠିକ୍ ଏବଂ ସମାନ ପରିମାଣରେ ବ୍ୟବହାର କରିବାକୁ ଗାଇଡ୍‌ଲାଇନ୍‌ରେ ପରାମର୍ଶ ଦିଆଯାଇଛି ।

ହାଇ ରେଜୋଲୁସନ ସିଟି ସ୍କାନ୍ (ଏଚ୍‌ଆର୍‌ସିଟି)ର ସୀମିତ ତଥା ଯୁକ୍ତିସଙ୍ଗତ ବ୍ୟବହାର ପାଇଁ ନିର୍ଦ୍ଦେଶ ଦିଆଯାଇଛି । କରୋନା ସଂକ୍ରମଣର ତୀବ୍ରତା ଓ ଏହା ଯୋଗୁଁ ଫୁସ୍‌ଫୁସ କେତେ ଦୂର ସଂକ୍ରମିତ ହୋଇଛି ତାହା ଜାଣିବା ପାଇଁ ସିଟି ସ୍କାନର ବହୁଳ ବ୍ୟବହାର ହେଉଛି । ଏହା ଦ୍ୱାରା କ୍ୟାନସର ହେବା ସମ୍ଭାବନା ଥିବାରୁ ଆବଶ୍ୟକ ସ୍ଥଳେ ହିଁ ସିଟି ସ୍କାନ୍ ବ୍ୟବହାର କରିବାକୁ କୁହାଯାଇଛି । ସିଟି ସ୍କାନରୁ ପ୍ରାପ୍ତ କୌଣସି ଅତିରିକ୍ତ ସୂଚନା ଦ୍ୱାରା କରୋନା ଚିକିତ୍ସାନରେ ଫରକ ପଡ଼ିବ ନାହିଁ । ତେଣୁ ସେଭଳି ଜରୁରୀ ହେଲେ ହିଁ ଏଚ୍‌୍‌ଆରସିଟି ପାଇଁ ପରାମର୍ଶ ଦେବାକୁ ଡାକ୍ତର ମାନଙ୍କୁ କୁହାଯାଇଛି ।

ଡିଜିଏଚ୍‌ଏସ୍ ଦ୍ୱାରା ଜାରି ଗାଇଡ୍ ଲାଇନ୍‌ରେ କୁହାଯାଇଛି ଯେ, ୧୨ ବର୍ଷରୁ ଊର୍ଦ୍ଧ୍ୱ ବୟସର ପିଲାଙ୍କ ଆଙ୍ଗୁଠିରେ ପଲ୍ସ ଅକ୍ସିମିଟର ଲଗାଇ ୬ ମିନିଟ୍ ପର୍ଯ୍ୟନ୍ତ ୱାକ୍ ଟେଷ୍ଟ କରାଯିବା ଆବଶ୍ୟକ । କରୋନା ସଂକ୍ରମିତ ପିଲାଙ୍କ ଶାରିରୀକ କ୍ଷମତାର ଆକଳନ ପାଇଁ ଏହି ଟେଷ୍ଟ କରିବାକୁ ପରାମର୍ଶ ଦିଆଯାଇଛି । ମାତାପିତା କିମ୍ବା ଗାର୍ଡିଆନଙ୍କ ତତ୍ତ୍ୱାବଧାନରେ ଏଭଳି ୱାକ୍ ଟେଷ୍ଟ କରିବାକୁ କୁହାଯାଇଛି । ଯଦି ୱାକ୍ ଟେଷ୍ଟ ବେଳେ ୧୨ ବର୍ଷରୁ ଊଦ୍ଧ୍ୱ ବୟସ ପିଲାଙ୍କ ଅକ୍ସିଜେନ ସ୍ତର ୯୪ରୁ କମ୍ ହୁଏ କିମ୍ବା ସେମାନଙ୍କୁ ନିଃଶ୍ୱାସ ନେବାରେ କଷ୍ଟ ହୁଏ ତେବେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବା ଉଚିତ ।

Comments are closed.