ଏଣିକି ଏଲ୍‌ପିଜି ଗ୍ରାହକଙ୍କୁ ଡିଷ୍ଟ୍ରିବ୍ୟୁଟର ବାଛିବାକୁ ମିଳିବ ବିକଳ୍ପ

ନୂଆଦିଲ୍ଲୀ: ଦେଶର ଏଲ୍‌ପିଜି ଗ୍ରାହକଙ୍କୁ ଏଣିକି ନିଜ ପସନ୍ଦର ଡିଷ୍ଟ୍ରିବ୍ୟୁଟର ବାଛିବାକୁ ବିକଳ୍ପ ମିଳିବ । କେଉଁ ଡିଷ୍ଟ୍ରିବ୍ୟୁଟରଙ୍କ ଦ୍ୱାରା ସେମାନେ ନିଜ ଏଲ୍‌ପିଜି ସିଲିଣ୍ଡର ରିଫିଲିଂ କରିବାକୁ ଚାହୁଁଛନ୍ତି, ତାହା ସ୍ଥିର କରିବେ ଗ୍ରାହକ । ପ୍ରଥମ ପର୍ଯ୍ୟାୟରେ ଏହି ସେବା ଚଣ୍ଡିଗଡ଼, କୋଏମ୍ବାଟୁର, ଗୁରଗାଓଁ ଏବଂ ପୁଣେରେ ଆରମ୍ଭ ହେବ । ଏହାପରେ ଦେଶର ସବୁ ସହରରେ ଏହି ସୁବିଧା ଉପଲବ୍ଧ ହେବ । କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରାଳୟ ଟ୍ୱିଟ୍ କରି ଏହି ସୂଚନା ଦେଇଛି ।
ଏହି ନୂଆ ସେବା ଅନୁଯାୟୀ ଡିଷ୍ଟ୍ରିବ୍ୟୁଟର ବାଛିବା ପୂର୍ବରୁ ଏଲ୍‌ପିଜି ଗ୍ରାହକ ସେମାନଙ୍କ ରେଟିଂ ଦେଖିପାରିବେ । ମୋବାଇଲ୍‌,ଆପ୍ କିମ୍ବା ପୋର୍ଟାଲରେ ଏଲ୍‌ପିଜିର ରିଫିଲିଂ ପାଇଁ ବୁକିଂ କଲାବେଳେ ଗ୍ରାହକଙ୍କୁ ଡିଷ୍ଟ୍ରିବ୍ୟୁଟର ବାଛିବାକୁ ବିକଳ୍ପ ଦିଆଯିବ । ତା’ସହ ଡିଷ୍ଟ୍ରିବ୍ୟୁଟରଙ୍କ ରେଟିଂ ବି ପ୍ରଦର୍ଶିତ ହେବ । ରେଟିଂ ଆଧାରରେ ଗ୍ରାହକ ନିଜ ଡିଷ୍ଟ୍ରିବ୍ୟୁଟରଙ୍କୁ ବାଛିପାରିବ । ଏହା ଦ୍ୱାରା ଉନ୍ନତ ସେବା ଯୋଗାଇବା ପାଇଁ ଡିଷ୍ଟ୍ରିବ୍ୟୁଟର ମାନଙ୍କ ମଧ୍ୟରେ ସୁସ୍ଥ ପ୍ରତିଯୋଗିତା ହେବ ଏବଂ ଗ୍ରାହକଙ୍କୁ ମଧ୍ୟ ଫାଇଦା ହେବ ।

Comments are closed.