ତୈଳଦର ବୃଦ୍ଧି ପ୍ରତିବାଦରେ ଆଜି କଂଗ୍ରେସ ପକ୍ଷରୁ ସାରା ଦେଶରେ ପ୍ରତୀକାତ୍ମକ ବିକ୍ଷୋଭ

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଦରରେ କ୍ରମାଗତ ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଆଜି ଦେଶର ବିଭିନ୍ନ ପଟ୍ରୋଲ ପମ୍ପ୍ ସମ୍ମୁଖରେ ଦୁଇ ଘଣ୍ଟିଆ ପ୍ରତୀକାତ୍ମକ ବିକ୍ଷୋଭ ପ୍ରଦର୍ଶନ କରାଯିବ । ଦେଶର ଅନେକ ରାଜ୍ୟରେ ତୈଳଦର ୧୦୦ ଟପିଛି ।

ତୈଳ ଦର ବୃଦ୍ଧି ପ୍ରତ୍ୟାହାର ଦାବିରେ ଆଜି ପୂର୍ବାହ୍ନ ୧୦ଟାରୁ ଦୁଇ ଘଣ୍ଟିଆ ବିକ୍ଷୋଭ ପ୍ରଦର୍ଶନ କରିବାକୁ କଂଗ୍ରେସ ତାର ସବୁ ରାଜ୍ୟ ଶାଖା ଓ ଛାମୁଆ ସଂଗଠନଗୁଡିକୁ କହିଛି । ଜାତୀୟ ରାଜଧାନୀ ଦିଲ୍ଲୀର ବହୁ ପଟ୍ରୋଲ ପମ୍ପ୍ ଆଗରେ ମଧ୍ୟ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପବନ ବଂଶଲଙ୍କ ସମେତ ଏଆଇସିସି ସାଧାରଣ ସମ୍ପାଦକ କେସି ବେଣୁଗୋପାଳ, ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ, ଦୀପେନ୍ଦ୍ର ସିଂହ ହୁଡା ଭଳି ଦଳର ବରିଷ୍ଠ ନେତା ଧାରଣା ଦେବେ ।କଂଗ୍ରେସ ପ୍ରବକ୍ତା ଅଜୟ ମାକେନ୍ ରାଜିନ୍ଦର ନଗର ଏବଂ ଜନପଥରେ ଧାରଣାରେ ବସିବେ ।

କର୍ଣ୍ଣାଟକ କଂଗ୍ରେସ ପ୍ରଦେଶ କମିଟି ମଧ୍ୟ ଆଜିଠାରୁ ପାଞ୍ଚ ଦିନ ଯାଏଁ ତୈଳ ଦର ବୃଦ୍ଧି ବିରୋଧରେ ସାରା ରାଜ୍ୟରେ “୧୦୦ ନଟ୍ ଆଉଟ୍‌’’ ନାମରେ ଏକ ଅଭିଯାନ ବାହାର କରିବେ । ଏହାଛଡ଼ା ରାଜ୍ୟର ପ୍ରାୟ ୫୦୦୦ ପେଟ୍ରୋଲ ପମ୍ପ୍ ସାମ୍ନାରେ ମଧ୍ୟ ଦଳ ବିକ୍ଷୋଭ କରିବ ।

Comments are closed.